ଅନୁସୂଚିତ ଜନଜାତି ତାଲିକାରେ ୧୬୯ଟି ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବାକୁ ଦାବି

ଡେସ୍କ: ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ରାଜ୍ୟର ଅନୁସୂଚିତ ଜାତି ତାଲିକାରେ ୧୬୯ଟି ସମ୍ପ୍ରଦାୟ ଓ ଅନେକ ଆଦିବାସୀ ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଅନ୍ତର୍ଜାତୀୟ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ଦଳୀୟ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଏହି ଦାବି କରିଛନ୍ତି। ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ବିଜେଡି ସରକାର ୧୬୯ଟି ସମ୍ପ୍ରଦାୟକୁ ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ପଠାଇଥିଲେ। ଦୀର୍ଘ ଦିନ ଧରି ଏହା କେନ୍ଦ୍ର ପାଖରେ ପଡ଼ି ରହିଛି।

ହୋ, ମୁଣ୍ଡାରୀ, ଭୂମିଜ, ସୌରା ଆଦି ବିଭିନ୍ନ ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ବିଜେଡି ସରକାର ବାରମ୍ବାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି ଓ କହିଛନ୍ତି, ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୫% ହେଉଛନ୍ତି ଆଦିବାସୀ।

ଓଡ଼ିଶାରେ ୬୪ଟି ପ୍ରମୁଖ ଜନଜାତି ଓ ୧୩ଟି ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ରହୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ଏହା ଦେଶରେ ଏକ ନୂଆ ଧାରଣା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ସଂଖ୍ୟକ ହଷ୍ଟେଲ ପ୍ରତିଷ୍ଠା କରିଛନ୍ତି।

Comments are closed.