ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ

ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର :  ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ପରଲୋକ ଘଟିଥିବା ଜଣାପଡିଛି । ଏନେଇ ତାଙ୍କ ଝିଅ ସୁନୀତା  ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ନିଜ ଗାଁ ଠାକୁରପଡ଼ାରେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଚିକତ୍ସା ପାଇଁ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦୁଇ ଦୁଇ ରାଜ୍ୟର ଥର ମୁଖ୍ୟମନ୍ତ୍ରୀ ଓ ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଥିଲେ।  ତାଙ୍କ ବିୟୋଗରେ​‌ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ନିଜର ଦୀର୍ଘ ରାଜନୈତିକ ଜୀବନରେ ସେ ୧୯୮୯ ଡିସେମ୍ବରରୁ ୧୯୯୦ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଦ୍ୱିତୀୟ ଥର ପାଇଁ ୧୯୯୯ ଡିସେମ୍ବରରୁ ୨୦୦୦ ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟ ସ୍ବଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ । ୧୯୯୫ ମାର୍ଚ୍ଚରୁ ୧୯୯୮ ମେ’ ମାସ ପର୍ଯ୍ୟନ୍ତ  ସେ ଦିବଗଂତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୪ରୁ ୨୦୦୪ ମଧ୍ୟରେ ସେ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ହେମାନନ୍ଦ ବିଶ୍ୱାଳ ୧୯୩୯ ମସିହା ଡିସେମ୍ବର ଏକ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୬୭ରେ ଝାରସୁଗୁଡା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୭୨ରେ ସେ କଂଗ୍ରେସରେ ଯୋଗ ଦେଇ ଝାରସୁଗୁଡା ଜିଲ୍ଲା ଲଇକେରା ଆସନରୁ ୧୯୭୪ରେ ପ୍ରଥମେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ସେ ରାଜ୍ୟ ତଥା ଦଳରେ ବେଶ ପରିଚିତ ଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 

 

Comments are closed.