୨୦୨୪ ନିର୍ବାଚନ ପାଇଁ ଦ୍ବନ୍ଦ୍ବରେ ନେତା ଓ କର୍ମୀ

ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ

ଖୋର୍ଦ୍ଧା : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର କର୍ମୀମାନଙ୍କ ମନରେ ସେତିକି ଉତ୍ସାହ ପରିଲକ୍ଷିତ ହେଉଛି। ଆସନ୍ତା ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ନେତା ଓ କର୍ମୀମାନେ ଦ୍ବନ୍ଦ୍ବରେ ରହିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତା ଓ କର୍ମୀମାନେ ଲୋକଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାକୁ ଲାଗିପଡ଼ିଲେଣି। ଏଠାରୁ ବିଜେଡିର ବିଧାୟକ ଅଛନ୍ତି ଜ୍ୟୋତିରିନ୍ଦ୍ରନାଥ ମିତ୍ର। ସେ ନିର୍ବାଚନ ମଣ୍ଡଳୀ ସାରା ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକ ସମ୍ପର୍କ ରଖୁଛନ୍ତି। ସେ ନିଜେ ପୁଣି ଥରେ ନିର୍ବାଚନ ଲଢ଼ି ପାରନ୍ତି କିମ୍ବା ଅସୁସ୍ଥତା ଯୋଗୁଁ ନିଜ ପୁଅଙ୍କୁ ପ୍ରାର୍ଥୀ କରିବା ଆଶା ରଖିଛନ୍ତି। ଖୋର୍ଦ୍ଧା ରାଜନୀତିରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଜ୍ୟୋତିରିନ୍ଦ୍ରନାଥଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ବେଗୁନିଆ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ ବେଶ୍‌ ଜଣାଶୁଣା।

ଗତ ସାଧାରଣ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ତାଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିଥିଲା ବିଜେଡି। ଏଥର ସେ ଖୋର୍ଦ୍ଧା ଆସନକୁ ଫେରିବା ଆଶା ରଖିଛନ୍ତି। ଖୋର୍ଦ୍ଧା ଓ ଟାଙ୍ଗୀ ଉଭୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ତାଙ୍କ ସମର୍ଥକ ବୋଲି ବିଜେଡି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ସେହିପରି ଦଳ ଯଦି ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରେ ତେବେ ତାଙ୍କ ପତ୍ନୀ ତଥା ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ପ୍ରାର୍ଥୀ ହେବେ ବୋଲି ରାଜେନ୍ଦ୍ର ସାହୁଙ୍କ ସମର୍ଥକମାନେ କହୁଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ରାଜ୍ୟ ମହିଳା ବିଜେଡି ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଜନସମ୍ପର୍କ ରଖୁଛନ୍ତି। ସେହିପରି ପୂର୍ବତନ ପ୍ରଶାସକ ଦେବରାଜ ସେନାପତି, ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଦିଲ୍ଲୀପ କୁମାର ହୋତା ବିଜେଡି ଟିକେଟ ପାଇବା ଆଶା ରଖିଥିବା ଚର୍ଚ୍ଚା ହେଉଛି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ ଗତ ସାଧାରଣ ନିର୍ବାଚନରେ ମାତ୍ର ୧୦ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ତାଙ୍କୁ ବିଜେପି ପୁଣି ପ୍ରାର୍ଥୀ କରିବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଶ୍ରୀ ଖଣ୍ଡାୟତରାୟ ବିଭିନ୍ନ ବୁଥ୍‌କୁ ଯାଇ ଦଳୀୟ ସଙ୍ଗଠନ ପାଇଁ କାମ କରୁଛନ୍ତି। ବିଜେପି ଖୋର୍ଦ୍ଧା ଜିଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଦଳୀୟ ଟିକଟ ପାଇବେ ବୋଲି କହୁଛନ୍ତି। ଏବେ କିଛି ଦିନ ହେଲା ଦଳୀୟ କନ୍ଦଳକୁ ଭୁଲି ଦୁଇ ନେତା ପ୍ରାୟ ସ୍ଥାନରେ ଏକାଠି ବୁଲୁଥିବା ଦେଖାଯାଉଛି। ସେହିପରି କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ମିଶ୍ର ବିଜେପି ଟିକଟ ପାଇବା ଆଶା ରଖିଛନ୍ତି। ଅନ୍ୟପକ୍ଷରେ ସଂଘ ପରିବାରରୁ ଏଥର ଜଣେ ପ୍ରାର୍ଥୀ ହେବା ସମ୍ଭାବନା ଥିବା କୁହାଯାଉଛି। ସେହିପରି ବିଜେପି ରାଜ୍ୟ ନେତୃତ୍ୱଙ୍କ ସହ ଯୋଗାଯୋଗରେ ଅଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ଜଣେ ବିଧାୟକ। ସେ ବିଜେପିରେ ଯୋଗ ଦେଇ ଟିକଟ ପାଇବା ଆଶା ରଖିଛନ୍ତି। ବିଜେପି‌ରେ ଦୀର୍ଘ ବର୍ଷ ଧରି କାମ କରୁଥିବା କର୍ମୀମାନେ ଦଳ ଡିଆଁକୁ ଆଉ ଗ୍ରହଣ କରିବେନି ବୋଲି ଖୋଲାଖୋଲି କହୁଛନ୍ତି। ପୂର୍ବରୁ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଓ ଜ୍ୟୋତିରିନ୍ଦ୍ରନାଥ ମିତ୍ର ବିଜେପିରୁ ଲଢ଼ିଥିଲେ ଓ ପରେ ଦଳ ଛାଡିଥିଲେ। ନିଜ ଦଳ ଲୋକଙ୍କ ଉପରେ ଭରସା ନ କରି ଅନ୍ୟ ଦଳରୁ ଆଣି କାହାକୁ ପ୍ରାର୍ଥୀ କରିବାକୁ ତୃଣମୂଳସ୍ତରର କର୍ମୀ ଚାହୁଁ ନାହାନ୍ତି।

ଜାତୀୟସ୍ତରରେ କଂଗ୍ରେସ ଶିବିର ଚଳଚଞ୍ଚଳ ହେବା ପରେ ଏବେ କିଛି ଦିନ ହେଲା ଖୋର୍ଦ୍ଧାରେ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ପୁଣି ଦଳକୁ ସକ୍ରିୟ କରିବାକୁ ଉଦ୍ୟମ ଚାଲିଛି। ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ସ୍ବାଗତିକା ପଟ୍ଟନାୟକ, ବିଶ୍ୱଭୂଷଣ ଛୋଟରାୟ, ପଦ୍ମଚରଣ ରାୟ ପ୍ରମୁଖଙ୍କ ମଧ୍ୟରୁ କାହାକୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ଠିକ୍‌ଭାବେ ଜଣାପଡ଼ୁ ନ ଥିବାରୁ ଉଭୟ ନେତା ଓ କର୍ମୀ ଦ୍ବନ୍ଦ୍ବରେ ରହିଥିବା ଜଣାପଡ଼ିଛି।

Comments are closed.