ଦେଶର ୭୦୦ରୁ ଅଧିକ ସ୍କୁଲରେ ଆରମ୍ଭ ହେବ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମ :  ଧର୍ମେନ୍ଦ୍ର ପ୍ରଧାନ

‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ନବୋଦୟ ବିଦ୍ୟାଳୟ ସଂଗଠନ ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ

ଶିକ୍ଷା ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଫିଫା, ୟୁନିସ୍କୋ, ଏଆଇଏଫଏଫ ମଧ୍ୟରେ ଫୁଟବଲ ପ୍ରୋତ୍ସାହନକୁ ନେଇ ବୈଠକ
ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ
ଦେଶର ୭୦୦ରୁ ଅଧିକ ଜିଲ୍ଲାର ୧୦ ହଜାର ସ୍କୁଲକୁ ୧୦୦ଟି ଲେଖାଁଏ ଫୁଟବଲ ବଣ୍ଟନ କରାଯିବ
ସ୍କୁଲ ସ୍ତରରେ ଫୁଟବଲକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ନେଉଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଫିଫାର ମହାସଚିବ ଫାତମା ସମୌରା

ନୂଆଦିଲ୍ଲୀ/ଭୁବନେଶ୍ୱର :  ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ । ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏ ସମ୍ପର୍କୀତ ବୈଠକରେ ଯୋଗଦେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ୍ ପରମାଣିକ, ଫିଫାର ସେକ୍ରେଟାରୀ ଜେନେରାଲ ଫାତମା ସମୌରା, ୟୁନିସ୍କୋ, ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ, ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମଙ୍ଗଳବାର ଠାରୁ ଦେଶରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଅନୁଷ୍ଠିତ ହେବା ଖୁସିର ବିଷୟ । ଦେଶରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଓ ଛାତ୍ରଛାତ୍ରୀଙ୍କୁ ଫିଟ୍ ରଖିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଏ ଦିଗରେ ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।

prayash

ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲର ବ୍ୟାପକ ନେଟଓ୍ୱାର୍କକୁ ଦୃଷ୍ଟିରେ ରଖି ଦେଶରେ ଥିବା ୭୦୦ରୁ ଉର୍ଦ୍ଧ୍ୱ ଜିଲ୍ଲାକୁ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମରେ ଯୋଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନବୋଦୟ ବିଦ୍ୟାଳୟ ସଂଗଠନ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଫିଫା, ଏଆଇଏଫଏଫ ଓ ୟୁନିସ୍କୋ ଦେଶର ୧୦ ହଜାର ସ୍କୁଲକୁ ୧୦୦ ଲେଖାଁଏ ଫୁଟବଲ ଯୋଗାଇ ଦେବେ । ଜାତୀୟ ଶିକ୍ଷା ନୀତି -୨୦୨୦ର ଉଦ୍ଦେଶ୍ୟକୁ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମକୁ ସହାୟକ ହେବା ସହ କ୍ରୀଡ଼ା ଆଧାରିତ ପାଠପଢ଼ାକୁ ପ୍ରୋତ୍ସାହନ ଦିଆଯିବ । ଏହି ପଦକ୍ଷେପ ଦେଶରେ କ୍ରୀଡ଼ା ସଂସ୍କୃତିକୁ ଗତି ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦକ୍ଷତାର ବିକାଶ କରାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଭାରତ କ୍ରୀଡ଼ାର ମହାଶକ୍ତି ହେବା ସହ ଫିଟ୍ ଇଣ୍ଡିଆକୁ ସୁନିଶ୍ଚିତ କରି ବିକଶିତ ଭାରତ ଗଢ଼ିବାରେ ଶିକ୍ଷା ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଏଆଇଏଫ୍ଏଫ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ାର ପ୍ରୋତ୍ସାହନ ଏବଂ ଫୁଟବଲକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ,ସ୍କୁଲ ସ୍ତରରେ ଫୁଟବଲକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ନେଉଥିବାରୁ ଭାରତ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଫିଫାର ମହାସଚିବ ଧନ୍ୟବାଦ ଜଣାଇଛନ୍ତି । ସେହିପରି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ସ୍ତରରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କ୍ରୀଡା ରାଷ୍ଟ୍ରମନ୍ତ୍ରୀ ପରମାଣିକ ପ୍ରେସମିଟରେ କହିଥିଲେ ।

kalyan agarbati

Comments are closed.