ଉଛୁଳୁଛି ଯମୁନା
କେନ୍ଦ୍ର ସହାୟତା ଲୋଡ଼ିଲେ କେଜରିୱାଲ, ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୪୪ ଜାରି
ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁଁ ଯମୁନା ସମେତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଯମୁନାର ଜଳପତ୍ତନ ବୃଦ୍ଧି ଯୋଗୁଁ ରାଜଧାନୀ ଦିଲ୍ଲୀର ଉପକଣ୍ଠରେ ବନ୍ୟା ଦେଖାଯାଇଛି। ଦିଲ୍ଲୀର ଯମୁନା ବଜାର, ଗୀତା ଘାଟ, ଗରହି ମୁଣ୍ଡୁ, ବୋଟ କ୍ଲବ, ମୋନାଷ୍ଟ୍ରି ମାର୍କେଟ ଓ ମଞ୍ଜୁ କା ତିଲାରୁ ୱାଜିରାବାଦ ପର୍ଯ୍ୟନ୍ତ ଅଞ୍ଚଳରେ ବନ୍ୟା ଆସିଛି। ଦିଲ୍ଲୀରେ ଯମୁନା ନଦୀର ବିପଦ ସଙ୍କେତ ୨୦୫.୩୩ ମିଟର ରହିଥିବାବେଳେ ବୁଧବାର ନଦୀର ଜଳସ୍ତର ୨୦୭.୭୧ ମିଟରରେ ପ୍ରବାହିତ ହେଉଛି। ଯାହା ୧୯୭୮ ମସିହାର ରେକର୍ଡ ଭାଙ୍ଗିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜରୁରୀ ବୈଠକ କରିଛନ୍ତି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ବନ୍ୟା ଦୃଶ୍ୟ ଦେଖିବା ଲାଗି ବନ୍ୟାଞ୍ଚଳକୁ ନ ଯିବା ଲାଗି କେଜରିୱାଲ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ବନ୍ୟାଞ୍ଚଳକୁ ଯାଇ ଲୋକେ ପର୍ଯ୍ୟଟନର ମଜା ନେବା ସହିତ ସେଲଫି ଓ ଭିଡିଓ ସୁଟିଂ କରି ଜୀବନକୁ ବିପଦରେ ପକାଇଥାନ୍ତି। ତେଣୁ ଏପରି ନ କରିବାକୁ କେଜରିୱାଲ ନିବେଦନ କରିବା ସହିତ ଏସବୁ ଅଞ୍ଚଳରେ ଦିଲ୍ଲୀ ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଦିଲ୍ଲୀର ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ କେଜରିୱାଲ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି। ପରିସ୍ଥିତି ସମ୍ପର୍କରେ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହିତ କଥା ହୋଇଛନ୍ତି। ହରିୟାଣାର ହାଥନିକୁଣ୍ଡ ଜଳଭଣ୍ଡାରରୁ ଜଳ ନିଷ୍କାସନ ନିୟନ୍ତ୍ରଣ କରିବାକୁ କେଜରିୱାଲ ନିବେଦନ କରିଛନ୍ତି। କାରଣ ହାଥନିକୁଣ୍ଡ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଯୋଗୁଁ ଦିଲ୍ଲୀରେ ବନ୍ୟା ଆସିଛି। ତେବେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣାରେ ବର୍ଷା କମି ଥିବାରୁ ଏଠାକାର ଜଳ ଭଣ୍ଡାରରୁ ଅଧିକ ପାଣି ଛଡାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ। ବନ୍ୟା ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଓ ସ୍ଥାନାନ୍ତର ନିମନ୍ତେ ୪୫ଟି ଡଙ୍ଗା ନିୟୋଜିତ ହୋଇଛି। ଯମୁନା ନଦୀରେ ବନ୍ୟା ଆସିବା ନେଇ ରବିବାର ଠାରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହାସତ୍ତ୍ବେ ଅନେକ ଲୋକ ବନ୍ୟା ଘେରରେ ରହିଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଉଛି। ବନ୍ୟା ଯୋଗୁଁ ରାସ୍ତାଘାଟ ବୁଡି ଯାଇଥିବାରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଯାଇଛି। ମୋନାଷ୍ଟ୍ରି ମାର୍କେଟ ଓ ଆଇଏସ୍ବିଟି କାଶ୍ମୀରୀ ଗେଟ ନିକଟ ରାସ୍ତାରେ ପାଣି ଲହଡି ଭାଙ୍ଗୁଥିବା ଦେଖାଯାଇଛି। ରବିବାର ଠାରୁ ଉତ୍ତର ଭାରତରେ ବର୍ଷା ଲାଗି ରହିଥିବାବେଳେ ବୁଧବାର କିଛିଟା ଆଶ୍ବସ୍ତି ମିଳିଛି।
Comments are closed.