ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ଏବଂ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ବନ୍ୟା ଆସିଥିବାବେଳେ ବାଲେଶ୍ବରରେ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଝାଡଖଣ୍ଡ ମୁହଁାଇବ । ଝାଡଖଣ୍ଡରେ ବର୍ଷା ହେଲେ ବନ୍ୟା ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି। ତେଣୁ ଆଗାମୀ ୨୪ ଘଣ୍ଟା ଉତ୍ତର ବାଲେଶ୍ବର ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। ଏବେ ବର୍ଷା କମିଥିବାରୁ ନଦୀ ଗୁଡିକର ଜଳପତ୍ତନ ଧୀରେ ଧୀରେ କମୁଛି। ବୈତରଣୀ, ଜଳକା ଏବଂ ବୁଢାବଳଙ୍ଗ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାବେଳେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ଏବେ ବି ପ୍ରବାହିତ ହେଉଛି। କିନ୍ତୁ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼ ଜିଲାର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦେଖିଲେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂ ଜଳକାର ଜଳସ୍ତର ବୃଦ୍ଧି ସମ୍ଭାବନା ରହିଛି।
ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ଜଳସ୍ତର ଆଖୁଆପଦାଠାରେ ବିପଦ ସଙ୍କେତ (୧୮.୩୩ ମିଟର) ତଳେ ୧୮.୧୧ ମିଟରରେ ଜଳ ପ୍ରବାହିତ ହେଉଛି। ଜଳକାର ଜଳସ୍ତର ମଥାନୀରେ ବିପଦ ସଙ୍କେତ ୪.୫୦ମିଟର ଥିବାବେଳେ ଏଠାରେ ୬.୪୭ମିଟରରେ ପ୍ରବାହିତ ହେଉଛି। ବୁଢାବଳଙ୍ଗ ଜଳସ୍ତର ଏନଏଚ-୫ ଗୋବିନ୍ଦପୁର ଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ୪.୧୮ମିଟରରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଜଳସ୍ତର ରାଜଘାଟରେ ବିପଦ ସଙ୍କେତ ୧୦.୩୬ମିଟର ଥିବାବେଳେ ରାତି ୮ଟା ସୁଦ୍ଧା ୧୦.୩୮ମିଟରରେ ପ୍ରବାହିତ ହେଉଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଗତ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ବିଶେଷ ବର୍ଷା ନଥିବାରୁ ନଦୀ ଗୁଡିକର ଜଳସ୍ତର କମୁଛି। ଆଗାମୀ ୨୪ଘଣ୍ଟା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଯଦି ଉପରମୁଣ୍ଡରେ ଅଧିକ ବର୍ଷା ନହୁଏ, ନଦୀ ଗୁଡିକର ଜଳସ୍ତର ଆହୁରି କମିଯିବ। ଯେଉଁ ଜିଲାରେ ବନ୍ୟା ଆସିଛି, ସେଠାରେ ପାଣି ଛାଡିବା ପରେ କ୍ଷୟକ୍ଷତି ଆକଳନ କରି ସମସ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ। ଜଣେ ହେଲେ କ୍ଷତିଗ୍ରସ୍ତ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯିବ।
ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଜିଲା ଗୁଡ଼ିକ ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ସେଠାକାର ପ୍ରଶାସନ ପରିସ୍ଥିତି ମୁକାବିଲା ପାଇଁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବର୍ଷା ଓ ବଜ୍ରପାତ ସମୟରେ ଲୋକେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ। ଜଳଭର୍ତ୍ତି ଥିବା ସ୍ଥାନକୁ କେହି ଯାଆନ୍ତୁ ନାହିଁ। ପ୍ରବଳ ବର୍ଷା ଏବଂ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ବର୍ଷା ପରେ ସ୍ଥାନୀୟ ପ୍ରଶାସନ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବେ। ବିଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ଥିବାରୁ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଖରିଫ ଋତୁରେ ଚାଷ କାର୍ଯ୍ୟ ଜାରି ରହିଛି। କିଛି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।



