ମଝି ଆକାଶରେ ଜଳିଗଲା ଇଞ୍ଜିନ୍‍, ଆତଙ୍କରେ ଥରିଲେ ବିମାନ ଯାତ୍ରୀ

0

ନ୍ୟୁୟର୍କ : ସମୁଦ୍ର ପତ୍ତନଠାରୁ ହଜାର ହଜାର ଫୁଟ୍‍ ଉପରେ ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନର ଇଞ୍ଜିନ ଜଳିଗଲା। ଯାତ୍ରୀମାନେ ଆତଙ୍କରେ ଥରିଲେ। ଭଗବାନଙ୍କୁ ଡାକି ମୃତ୍ୟୁ ଅପେକ୍ଷାରେ ଥିଲେ। ହେଲେ ବିମାନ ପରିଚାଳିକାଙ୍କ ସାହସ ଓ ସଫଳତାପୂର୍ଣ୍ଣ ଜରୁରୀ ଅବତରଣ ଯୋଗୁଁ ବିମାନର ସମସ୍ତ ଯାତ୍ରୀ ମୃତ୍ୟୁ ମୁଖରେ ବଞ୍ଚିଗଲେ। ଆମେରିକାର ଫିଲାଡେଲଫିଆରେ ମଙ୍ଗଳବାର ଏହି ଘଟଣା ଘଟିଥିଲା। ଫିଲାଡେଲଫିଆ ବିମାନ ବନ୍ଦରରେ ଜରୁରୀ ଅବତରଣ ଯୋଗୁଁ ସମସ୍ତ ବିମାନ ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ସୂଚନା ଅନୁସାରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ (ଭାରତୀୟ ସମୟ ଅନୁସାରେ) ସାଉଥୱେଷ୍ଟ ଏୟାରଲାଇନ୍ସ ବିମାନ ୧୩୮୦ରେ ନ୍ୟୁୟର୍କରୁ ଦାଲାସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବିମାନଟି ବାଦଲ ଚିରି ପ୍ରାୟ ୩୦ ହଜାର ଫୁଟ୍‍ ଉପରକୁ ଉଠି ଉଡିଚାଲିଥିଲା। ପ୍ରାୟ ୨୦ ମିନିଟ୍‍ ପରେ ହଠାତ୍‍ ବିସ୍ଫୋରଣ ଘଟି ବିାମନର ବାମପାର୍ଶ୍ବ ଇଞ୍ଜିନଟି ଜଳିଯାଇଥିଲା। ବିମାନରେ ଯାତ୍ରା କରୁଥିବା ୧୪୪ ଯାତ୍ରୀ ଆତଙ୍କରେ ଥରିବା ସହ ପ୍ରଭୁଙ୍କ ପ୍ରାର୍ଥନା କରିଥିଲେ। ଝରକା କଡ଼ରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ମୁଣ୍ଡରେ ଭଙ୍ଗା ଇଞ୍ଜିନର କିଛି ଭଗ୍ନାବଶେଷ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ଇଞ୍ଜିନ୍‍ ବିସ୍ଫୋରଣ ଶବ୍ଦରେ ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ। ମାତ୍ର କିଛି ମିନିଟ ମଧ୍ୟରେ ଇଞ୍ଜିନ୍‍ଟି ପ୍ରାୟ ହଜାର ଫୁଟ୍‍ ତଳକୁ ଖସିଆସିଥିଲା। ଆତଙ୍କ ମଧ୍ୟରେ ଆଉ ୭ ଅନ୍ୟ ଯାତ୍ରୀ ମଧ୍ୟ ଆହତ ହୋଇଥିଲେ। ତେବେ ସଫଳତାର ସହ ଜରୁରୀ ଅବତରଣ ପରେ ଆହତ ଯାତ୍ରୀଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ବିମାନ ଫ୍ୟାନ୍‍ର ଏକ ପକ୍ଷ ଭାଙ୍ଗିଯାଇ ଇଞ୍ଜିନ୍‍ରେ ବାଜିବାରୁ ବିସ୍ଫୋରଣ ଘଟିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave A Reply