ଭୁବନେଶ୍ଵର: ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନକୁ ନେଇ ମାରାଥନ୍ ଏନଫୋର୍ସମେଣ୍ଟ ପରେ ଏବେ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ନ ଲଗାଉଥିବା ବାଣିଜ୍ୟିକ ଗାଡ଼ି ବିରୋଧରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଇଛି। ନିୟମ ଉଲ୍ଲଙ୍ଘନ କରିଥିବା ୨୨୭ ଗାଡ଼ିର ଫିଟନେସ ପ୍ରମାଣପତ୍ର ରଦ୍ଦ କରାଯାଇଥିବା ସୂଚନା ଦିଆଯାଇଛି।
ଏହି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଗଷ୍ଟ ୧୪ ରାତି ୯ଟାରୁ ୧୨ଟା ଓ ଅଗଷ୍ଟ ୧୩ ଭୋର୍ ୪ଟାରୁ ୬ଟା ଯାଏଁ କରାଯାଇଥିଲା । ଆରଟିଓମାନଙ୍କ ଦ୍ୱାରା ଗଠିତ ସ୍ନତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ବିଭିନ୍ନ ରାଜପଥରେ ଉଭୟ ମାଲବାହୀ ଓ ଯାତ୍ରୀବାହୀ ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ। ଯେଉଁ ଗାଡ଼ି ବି ଏହି ନିୟମ ଉଲ୍ଲଙ୍ଘନ କରିଥିଲେ, ସେମାନଙ୍କ ଫିଟନେସ ରଦ୍ଦ କରାଯାଇଥିଲା।
ଜଗତସିଂହପୁର ଆରଟିଓ ଦ୍ୱାରା ସର୍ବାଧିକ ୨୭, ଝାରସୁଗୁଡ଼ା ଆରଟିଓରେ ୨୬, ଭୁବନେଶ୍ୱର-୧ ଆରଟିଓ ୧୫, ରାଉରକେଲା ଆରଟିଓ ୧୩, କେନ୍ଦୁଝର ଆରଟିଓ ୧୨, କଟକ ଓ ଚଣ୍ଡିଖୋଲ ଆରଟିଓରେ ୯ ଲେଖାଏଁ, ଭୁବନେଶ୍ୱର-୨ ଆରଟିଓ ୮, ଗଞ୍ଜାମ ଆରଟିଓ ୭, ବଲାଙ୍ଗିର, ତାଳଚେର ଓ କେନ୍ଦ୍ରାପଡ଼ା ଆରଟିଓରେ ୬ ଲେଖାଏଁ, ଭଦ୍ରକ ଓ ସୋନପୁରରେ ୫ ଲେଖାଏଁ ଗାଡ଼ିର ଫିଟନେସ ରଦ୍ଦ କରାଯାଇଛି। ସେହିଭଳି ଢେଙ୍କାନାଳ, ଫୁଲବାଣୀ, ନୂଆପଡ଼ା, ବୌଦ୍ଧ, ଯାଜପୁର, ରାୟଗଡ଼ା ଆରଟିଓ ଓ ଖୋର୍ଦ୍ଧା ଏଆରଟିଓରେ ୪ ଲେଖାଏଁ ଗାଡ଼ିର ଫିଟନେସ ରଦ୍ଦ କରାଯାଇଛି। ଫିଟନେସ ପ୍ରମାଣପତ୍ର ରଦ୍ଦ ହୋଇଥିବା ଗାଡ଼ିଗୁଡ଼ିକରୁ ଅନେକ ଆଦୌ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇ ନ ଥିଲେ ଏବଂ କିଛି ଏହାକୁ ଠିକ୍ ଭାବେ ଲଗାଇ ନ ଥିଲେ । ସେହି ଗାଡ଼ିଗୁଡ଼ିକ ପୁଣି ଫିଟନେସ ପାଇବାକୁ ନିୟମ ଅନୁଯାୟୀ ଟେପ୍ ଲଗାଇ ଆବେଦନ କରିବାକୁ କୁହାଯାଇଛି।
ମୋଟର ଯାନ ଆଇନ ଅନୁଯାୟୀ ସମସ୍ତ ବାଣିଜ୍ୟିକ ଯାନ ଗାଡ଼ିରେ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇବା ବାଧ୍ୟତାମୂଳକ। ଗାଡ଼ିର ପଛପଟେ ନାଲି, ଉଭୟ ପାର୍ଶ୍ୱରେ ହଳଦିଆ ଏବଂ ଆଗରେ ଧଳା ଟେପ୍ ଲଗାଯାଏ। ଏହାଦ୍ୱାରା ଅନ୍ୟ ସଡ଼କ ବ୍ୟବହାରକାରୀ ଗାଡ଼ିକ ଅନ୍ଧାର କିମ୍ବା କମ୍ ଆଲୁଅରେ ଦେଖିପାରନ୍ତି । ଯାହା ଦୁର୍ଘଟଣାକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ବିଶେଷକରି, ଜାତୀୟ ରାଜପଥରେ ରାତି ଓ ଭୋର୍ ସମୟରେ ଭାରିଯାନ ଚଲାଉଥିବା ଚାଳକଙ୍କ ପାଇଁ ଅନ୍ୟ ଗାଡ଼ିର ସ୍ଥିତିକୁ ଜାଣିବାରେ ସହାୟକ ହୋଇଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।



