ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ୬୩ ପ୍ରତିଶତ ମତଦାନ

ରାଞ୍ଜି : କାଁ-ଭାଁ ଘଟଣାକୁ ବାଦ ଦେଲେ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ପ୍ରାୟ ୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ଶତକଡ଼ା ୨୭ ଭାଗ ମତଦାନ ହୋଇଥିବା ବେଳେ ଦିନ ଗୋଟାଏ ସୁଦ୍ଧା ୪୬.୮% ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ଦିନ ୩ଟା ଭୋଟଗ୍ରହଣ ଶେଷ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ଅନେକ ମତଦାତା ଭୋଟଗ୍ରହଣ କେନ୍ଦ୍ରରେ ଥିବା ଦେଖିବାକୁ ମିଳିଥିଲା।

ଏହି ପର୍ଯ୍ୟାୟରେ ଚତ୍ରା, ପାଲାମୁ, ଗୁମ୍‍ଲା, ଗଡୱା, ଲତେହାର ଓ ଲୋହାରଦାଗା ଭଳି ୬ଟି ଜିଲ୍ଲାର ୧୩ଟି ନିର୍ବାଚନ
ମଣ୍ଡଳୀରେ ଭୋଟ୍‍ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ୧୫ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୧୮୯ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହୋଇଛି।  ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ, ରାଜ୍ୟ କଂଗ୍ରେସ ମୁଖ୍ୟ ରମେଶ ଓରାଓଁ ଓ ପୂର୍ବତନ ମନ୍ତ୍ରୀ ଦଦାଇ ଦୁବେ, ଭାନୁ ପ୍ରତାପ ସାହି, ରାଧାକ୍ରିଷ୍ଣ କିଶୋର ଓ କମଳେଶ ସିଂ ଅଛନ୍ତି। ସ୍ୱତନ୍ତ୍ର ପୁଲିସ୍‍ ପର୍ଯ୍ୟବେକ୍ଷକ ମୃଣାଳକାନ୍ତ ଦାସ ମତଦାନ ପ୍ରକ୍ରିୟାର ତଦାରଖ କରୁଛନ୍ତି। ଓଡ଼ିଶା, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ସହ ରାଜ୍ୟର ସୀମାକୁ ସିଲ୍‍ କରିଦିଆଯାଇଛି। ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରିବା
ପାଇଁ ଉଭୟ ପହରା ଓ ଖୋଜାଖୋଜି ଅଭିଯାନ ଜାରି ରହିଛି। ଆକାଶମାର୍ଗରୁ ପହରା କାର୍ଯ୍ୟ ପାଇଁ ଚାରୋଟି ହେଲିକପ୍ଟରକୁ କାର୍ଯ୍ୟରେ ଲଗାଯାଇଛି। କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ରାଞ୍ଚିଠାରେ ଗୋଟିଏ ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି।

Comments are closed.