ପ୍ରଥମ, ଦ୍ୱିତୀୟ ଶ୍ରେଣୀ ପାଠ୍ୟକ୍ରମ କାଣ୍ଟଛାଣ୍ଟ ହେବ

0

ନୂଆଦିଲ୍ଲୀ : ଏଣିକି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପରେ ପାଠପଢାର ଅତ୍ୟଧିକ ବୋଝ ରହିବ ନାହିଁ; ବରଂ ଶିଶୁମାନେ ଯେଭଳି ଆନନ୍ଦର ସହିତ ପାଠ ପଢିବେ ସେଥିନେଇ ବସ୍ତାନିର ବୋଝ କମ୍‍ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ପାଠ୍ୟକ୍ରମ କାଣ୍ଟଛାଣ୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିଭଳି ୨୦୧୯ ମାର୍ଚ୍ଚ ମାସରୁ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ପାସ୍‍-ଫେଲ୍‍ ବ୍ୟବସ୍ଥା ଲାଗୁ କରିବାକୁ ସ୍ଥିର କରାଯାଇଛି। ନୂତନ ବ୍ୟବସ୍ଥା କ୍ରମେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମନ୍ତେ ଦୁଇଟି ସୁଯୋଗ ପ୍ରଦାନ କରାଯିବ। ପ୍ରଥମେ ମାର୍ଚ୍ଚ ମାସରେ ଏକ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ଅସଫଳ ଛାତ୍ରଛାତ୍ରୀଙ୍କ ନିମନ୍ତେ ମେ ମାସରେ ଦ୍ୱିତୀୟ ପରୀକ୍ଷାର ଆୟୋଜନ କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବ୍‍ଡେକର କହିଛନ୍ତି। ଶିଶୁଙ୍କ ସାମଗ୍ରୀକ ବିକାଶ ଆଭିମୁଖ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିକ୍ଷା ବ୍ୟବସ୍ଥାରେ ସଂସ୍କାରକୁ ଗୁରୁତ୍ୱ ଦିଆଯାଇଛି। ଏଥିକ୍ରମେ ମନ୍ତ୍ରଣାଳୟ ପକ୍ଷରୁ ଶାରୀରିକ ଏବଂ ଅନୁଭବସିଦ୍ଧ ଶିକ୍ଷାର ପ୍ରଚଳନ କରାଯିବ ବୋଲି ଜାବ୍‍ଡେକର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଶିଶୁ ଶିକ୍ଷା ପାଇଁ ସରକାରୀସ୍ତରରେ ପ୍ରାକ୍‍ ବିଦ୍ୟାଳୟସ୍ତରୀୟ ୟୁନିଟ୍‍ ଖୋଲାଯିବ ଓ ଏଥିପାଇଁ ଏନ୍‍ସିଇଆରଟି ପାଠ୍ୟଖସଡ଼ା ପ୍ରସ୍ତୁତ କରୁଥିବା କଲକାତାଠାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ। ଶିଶୁଟିଏ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରବେଶ କରିବା ପୂର୍ବରୁ ତା’ ପାଇଁ କିଛିଟା ପ୍ରସ୍ତୁତି ଆବଶ୍ୟକ ଓ ଏଥିପାଇଁ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏନ୍‍ସିଇଆରଟି ପକ୍ଷରୁ ପ୍ରାକ୍‍ ବିଦ୍ୟାଳୟ ନୀତି ପ୍ରଣୟନ କରାଯାଉଥିବା ଅନୀଲ କହିଛନ୍ତି। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଆଧାରରେ ଏହା ପ୍ରଣୟନ କରାଯିବ ବୋଲି ସେ କହିଛନ୍ତି।
୨୦୧୯ ଡିସେମ୍ବରରେ ମାନବ ସମ୍ବଳ ବିକାଶ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଜାଭେଦକର ସ୍କୁଲ୍‍ ପାଠ୍ୟକ୍ରମ କାଣ୍ଟଛାଣ୍ଟ ଉପରେ ଜୋର ଦେଇଆସୁଥିଲେ। ବିଗତ ୪୮ ମାସ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ସୁରକ୍ଷା ବୀମା ଯୋଜନା, ସ୍ୱଚ୍ଛ ଭାରତ, ଖାଦ୍ୟ ସୁରକ୍ଷା, ଡିବିଟି ପ୍ରଭୃତି ବହୁ ଯୋଜନାର ଉପାଦେୟତା ସମ୍ବନ୍ଧରେ ସେ ଏହି ଅବସରରେ ବିବରଣୀ ଦେଇଥିଲେ। ବ୍ୟାଙ୍କରେ ସଂଖ୍ୟାଧିକ ଲୋକଙ୍କ ଖାତା ଖୋଲିବା ସହିତ ସେମାନଙ୍କୁ ବୀମାଭୁକ୍ତ କରିବା, ବାସହରାଙ୍କୁ ଗୃହ ଯୋଗାଇବା, ପେନ୍‍ସନ୍‍ ପ୍ରଦାନ ତଥା ଜନ ସଶକ୍ତୀକରଣ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

Leave A Reply