୧୪୧ଟି କୋଇଲା ଖଣିର ସର୍ବ ବୃହତ ନିଲାମର ଶୁଭାରମ୍ଭ

ଚଳିତ ବର୍ଷ ୯୦୦ ନିୟୁତ ଟନ୍ କୋଇଲା ଉତ୍ପାଦନ ସମ୍ଭାବନା : ପ୍ରହଲାଦ ଯୋଶୀ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ  ର୍ନିମଳା ସୀତାରମଣ କୋଇଲା ମନ୍ତ୍ରଣାଳୟର ଷଷ୍ଠ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା ଉତ୍ପାଦନ ଏବଂ ଗ୍ୟାସିଫିକେସନ୍ ପ୍ରକଳ୍ପରେ ଅଧିକ ବିନିଯୋଗ ଆବଶ୍ୟକ କରୁଛି । ସର୍ବଭାରତୀୟ ସ୍ତରରେ ଶକ୍ତି ମୂଲ୍ୟ ବିଶେଷ ଭାବରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଛି।  ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ବର୍ତ୍ତମାନ ହେଉଛି ବିଶ୍ୱର ସର୍ବୋତ୍ତମ ପୁଞ୍ଜି ବିନିଯୋଗ ସ୍ଥାନ। ବର୍ତ୍ତମାନ ସରକାରଙ୍କର ନୀତିରେ ସ୍ଥିରତା ଏବଂ ସ୍ୱଚ୍ଛ ପ୍ରକ୍ରିୟା ଯୋଗୁଁ ବିଦ୍ୟୁତ୍‍ କ୍ଷେତ୍ର ପାଇଁ କୋଇଲା ଆମଦାନୀ ୪୧% ହ୍ରାସ ପାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୧୪୧ ଟି କୋଇଲା ଖଣି ନିଲାମରୁ ବାରଟି ରାଜ୍ୟ ସିଧାସଳଖ ଲାଭବାନ ହେବେ। କୋଇଲା କ୍ଷେତ୍ରକୁ ମୁକ୍ତ କରିବା ପାଇଁ ସମ୍ପ୍ରତି କୋଇଲା ମନ୍ତ୍ରଣାଳୟର ପଦକ୍ଷେପକୁ ପ୍ରଶଂସା କରି ସୀତାରମଣ କହିଛନ୍ତି ଯେ ଖଣି କ୍ଷେତ୍ର ସଂସ୍କାର ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ସଠିକ୍ ଭାବେ ଗତି ଦେଉଛି । କୋଇଲା ଗ୍ୟାସିଫିକେସନ୍ ଏବଂ ବ୍ୟବସାୟିକ ଖନନକୁ ପ୍ରୋତ୍ସାହନ ପାଇଁ ଅର୍ଥ ମନ୍ତ୍ରଣାଳୟ ସମସ୍ତ ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି ।

କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ଏହି କାର୍ୟ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ କୋଇଲା ମନ୍ତ୍ରଣାଳୟ କୋଇଲା ବ୍ୟବହାର ବୃଦ୍ଧି ପାଇଁ ବିକଳ୍ପ ପଦ୍ଧତି ଅନୁସନ୍ଧାନ କରୁଛି । ଶ୍ରୀ ଯୋଶୀ କହିଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟ କୋଇଲା ଗ୍ୟାସିଫିକେସନ୍ ପାଇଁ ୬୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ଏବଂ ଅନୁସନ୍ଧାନ ପାଇଁ ୨୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ନିଲାମ ସମୟରେ ଗୁରୁବାର ଏଗାରଟି ରାଜ୍ୟର ୧୪୧ ଟି ଖଣି ନିଲାମ କରାଯାଇଛି । ଶ୍ରୀ ଜୋଶୀ କହିଛନ୍ତି ଯେ ପୂର୍ବରୁ ନିଲାମ ହୋଇଥିବା ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି ଏବଂ ଆଶା କରୁଛି ଯେ ଆସନ୍ତା ବର୍ଷ ସୁଦ୍ଧା ନୂତନ ଖଣିରୁ ୧୦ ରୁ ୧୫ ନିୟୁତ ଟନ୍ କୋଇଲା ଉତ୍ପାଦନ ହେବ । ଅନ୍ୟ ଦିନ ଗୁଡିକରେ କରାଯାଇଥିବା ସମୀକ୍ଷା ଅନୁଯାୟୀ କୋଇଲା ମନ୍ତ୍ରଣାଳୟ ଚଳିତ ବର୍ଷ ୯୦୦ ନିୟୁତ ଟନ୍ କୋଇଲା ଉତ୍ପାଦନର ଆଶା କରୁଛି ବୋଲି ଶ୍ରୀ ଯୋଶୀ କହିଛନ୍ତି । କୋଇଲା, ଖଣି ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ରାଓସେହେବ ପାଟିଲ ଦାନଭେ, କୋଇଲା ସଚିବ ଶ୍ରୀ ଅମୃତ ଲାଲ ମୀନା ଏବଂ ଅତିରିକ୍ତ ସଚିବ ଶ୍ରୀ ଏମ ନାଗରାଜୁ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।

ଷଷ୍ଠ ପର୍ୟ୍ୟାୟ ବ୍ୟବସାୟିକ ନିଲାମରେ ୧୩୩ ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଛି, ସେଥି ମଧ୍ୟରୁ ୭୧ ଟି ନୂତନ କୋଇଲା ଖଣି ଏବଂ ୬୨ ଟି କୋଇଲା ଖଣିର ବ୍ୟବସାୟିକ ନିଲାମ ପୂର୍ବ ପର୍ଯ୍ୟାୟରୁ ରହିଛି । ଏଥିସହ, ୫ମ ପର୍ଯ୍ୟାୟ ବ୍ୟବସାୟିକ ନିଲାମର ଦ୍ୱିତୀୟ ପ୍ରୟାସରେ ୮ ଟି କୋଇଲା ଖଣି ଅନ୍ତର୍ଭୂକ୍ତ କରାଯାଇଥିଲା ଯେଉଁଥି ପାଇଁ ପ୍ରଥମ ପ୍ରୟାସରେ ଏକକ ବିଡ୍ ଗ୍ରହଣ କରାଯାଇଥିଲା । ଏହି ନିଲାମ ପ୍ରକ୍ରିୟାର ଶୁଭାରମ୍ଭ ସହିତ କୋଇଲା ମନ୍ତ୍ରଣାଳୟ ତାପଜ କୋଇଲା କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି ।

ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ, ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ, ୪୦% ରୁ ଅଧିକ ଜଙ୍ଗଲ ଆବରଣ, ବହୁଳ ଭାବରେ ନିର୍ମାଣ ଅଞ୍ଚଳରେ ଥିବା ଖଣିଗୁଡିକୁ ଏଥିରୁ ବାଦ ଦିଆଯାଇଛି । କେତେକ କୋଇଲା ଖଣିର ସୀମା ଯେଉଁଠାରେ ଘନ ଜନବସତି, ଘଞ୍ଚ ସବୁଜିମା କିମ୍ବା ଜଟିଳ ଭିତ୍ତିଭୂମି ଇତ୍ୟାଦି ରହିଥିଲା, ଏହିସବୁ କୋଇଲା ଖଣି ପ୍ରତି ନିଲାମଧାରୀଙ୍କ ଆଗ୍ରହ ଏବଂ ଅଂଶଗ୍ରହଣକୁ ବଢାଇବା ପାଇଁ ହିତାଧିକାରୀଙ୍କ ପରାମର୍ଶ ସମୟରେ ଗ୍ରହଣ କରାଯାଇଥିବା ମନ୍ତବ୍ୟକୁ ଆଧାର କରି କେତେକ ପରିବର୍ତ୍ତନ କରାଯାଇଛି । ନିଲାମ କରାଯାଉଥିବା ଖଣିଗୁଡିକ ଝାଡଖଣ୍ଡ, ଛତିଶଗଡ, ଓଡିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ତାମିଲନାଡୁ ଏବଂ ବିହାରର କୋଇଲା / ଲିଗ୍ନାଇଟ୍ ଥିବା ରାଜ୍ୟରେ ରହିଛି ।

 

Comments are closed.