ପ୍ୟାରିସ୍: ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା) ତରଫରୁ ଗୁରୁବାର ପ୍ରକାଶିତ ମାନ୍ୟତାରେ ଭାରତୀୟ ଦଳ ଦୁଇଟି ସ୍ଥାନ ତଳକୁ ଖସି ୧୦୩ନଂରେ ରହିଛି। ସଦ୍ୟସମାପ୍ତ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ତାଜିକସ୍ତାନ ଓ ଉତ୍ତର କୋରିଆ ନିକଟରୁ ପରାସ୍ତ ହୋଇଥିବା ବେଳେ ଶେଷ ମ୍ୟାଚ୍ରେ ସିରିୟା ସହ ମ୍ୟାଚ୍ ଡ୍ର ରଖିଥିଲା। ଏପରି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ପୂର୍ବରୁ ୧୦୧ନଂରେ ଥିବା ଭାରତୀୟ ଦଳ ୫ ପଏଣ୍ଟ ହରାଇବା ସହ ୨ଟି ସ୍ଥାନ ତଳକୁ ଖସି ମାନ୍ୟତାର ୧୦୩ନଂରେ ରହିଛି।
ଅନ୍ୟପକ୍ଷରେ କୋପା ଆମେରିକା କପ୍ ଚମ୍ପିଆନ୍ ହୋଇଥିବା ବ୍ରାଜିଲ୍ ଦଳ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନ ଦଖଲ କରିଛି। ପୂର୍ବରୁ ଫ୍ରାନ୍ସ ୨ନଂରେ ରହିଥିବା ବେଳେ ଏହି ଦଳ ଗୋଟିଏ ସ୍ଥାନ ତଳକୁ ଖସି ୩ନଂରେ ରହିଛି। ବେଲ୍ଜିୟମ ଦଳ ପୂର୍ବପରି ଶୀର୍ଷ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୪ର୍ଥ, ଉରୁଗୁଏ ୫ମ, ପର୍ତ୍ତୁଗାଲ୍ ୬ଷ୍ଠ, କ୍ରୋଏସିଆ ୭ମ, କଲମ୍ବିଆ ୮ମ, ସ୍ପେନ୍ ୯ମ ଓ ଆର୍ଜେଣ୍ଟିନା ୧୦ମ ସ୍ଥାନରେ ରହିଛି। ଜର୍ମାନୀ ୪ଟି ସ୍ଥାନ ତଳକୁ ଖସି ୧୫, ଇଟାଲୀ ୨ଟି ସ୍ଥାନ ତଳକୁ ଖସି ୧୬ନଂରେ ରହିଥିବା ବେଳେ ଆଲ୍ଜେରିଆ ୨୮ଟି ସ୍ଥାନ ଉପରକୁ ଉଠି ୪୦ନଂରେ ରହିଛି।



