ଫିଫା ମାନ୍ୟତା : ବ୍ରାଜିଲକୁ ହଟାଇ ୬ ବର୍ଷ ପରେ ଶୀର୍ଷରେ ଆର୍ଜେଣ୍ଟିନା
ନୂଆଦିଲ୍ଲୀ : ବିଶ୍ବ ବିଜେତା ଆର୍ଜେଣ୍ଟିନା ଦୀର୍ଘ ୬ ବର୍ଷ ପରେ ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫେଡେରେଶନ ଅଫ ଇଣ୍ଟରନ୍ୟାସନାଲ ଫୁଟବଲ ଆସୋସିଏସନ(ଫିଫା) ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ବ୍ରାଜିଲକୁ ହଟାଇ ଲିଓନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନା ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ଅନ୍ୟପକ୍ଷରେ ୨୦୨୨ ବିଶ୍ବକପର କ୍ବାର୍ଟର ଫାଇନାଲରୁ ବିଦାୟ ନେଇଥିବା ବ୍ରାଜିଲ ୩ୟ ସ୍ଥାନକୁ ଖସି ଆସିଛି। କାତାର ଫୁଟବଲ ବିଶ୍ବକପ-୨୦୨୨ରେ ଆର୍ଜେଣ୍ଟିନା ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଏହି ସଫଳତା ପରେ ଚଳିତ ୨୦୨୩ରେ ଆର୍ଜେଣ୍ଟିନା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମୁକାବିଲାରେ ପାନାମାକୁ ୨-୦ ଓ କ୍ୟୁରାକାଓକୁ ୭-୦ରେ ପରାସ୍ତ କରି ଫିଫା ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛି । ଅନ୍ୟପକ୍ଷରେ କାତାର ବିଶ୍ବକପରେ ରନର୍ସଅପ ଆଖ୍ୟା ଅର୍ଜନ କରିଥିବା ଫ୍ରାନ୍ସ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ୟୁରୋ -୨୦୨୪ ଯୋଗ୍ୟତାପପ୍ୟାୟ ମ୍ୟାଚରେ ଫ୍ରାନ୍ସ ୪-୦ ଗୋଲରେ ନେଦରଲାଣ୍ଡ୍ସ ଓ ୧-୦ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରି ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ସେହିପରି ମରକ୍କୋ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ୨-୧ ଗୋଲରେ ପରାଜିତ ପରେ ବ୍ରାଜିଲ ୩ୟ ସ୍ଥାନକୁ ଖସି ଆସିଛି। ବ୍ରାଜିଲ ୨୦୧୭ ପରେ ୬ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ନମ୍ବର ସ୍ଥାନରୁ ୩ୟ ସ୍ଥାନକୁ ଖସି ଆସିଛି। ବେଲଜିୟମ ୪ର୍ଥ ଓ ଇଂଲଣ୍ଡ ପୂର୍ବଭଳି ୫ମ ସ୍ଥାନ ବଜାୟ ରଖିଛି। ସେହିପରି ନେଦରଲାଣ୍ଡ୍ସ ୬ଷ୍ଠ,କ୍ରୋଏସିଆ ୭ମ, ଇଟାଲି ଅଷ୍ଟମ, ପର୍ତ୍ତୁଗାଲ ୯ମ ଓ ସ୍ପେନ ୧୦ତମ ସ୍ଥାନରେ ରହିଛନ୍ତି। ୨୦୨୨ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଥିବା ଆଫ୍ରିକୀୟ ଦେଶ ମରକ୍କୋ ୧୧ତମ ସ୍ଥାନରେ ରହିଛି। ଆମେରିକା ୧୩ତମ ସ୍ଥାନରେ ରହିଥିବାବେଳେ ଏସୀୟ ରାଷ୍ଟ୍ର ଜାପାନ ୪୮ତମ ସ୍ଥାନରେ ରହିଛି।
୧୦୧ ତମ ସ୍ଥାନରେ ଭାରତ
ନୂଆଦିଲ୍ଲୀ : ଫେଡେରେଶନ ଅଫ ଇଣ୍ଟରନ୍ୟାସନାଲ ଫୁଟବଲ ଆସୋସିଏସନ(ଫିଫା) ପକ୍ଷରୁ ସଦ୍ୟ ପ୍ରକାଶିତ ପୁରୁଷ ଫୁଟବଲ ଦଳ ମାନ୍ୟତାରେ ଭାରତ ଉପରକୁ ଉନ୍ନୀତ ହୋଇଛି। ଭାରତ ୫ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୦୧ ତମ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଭାରତ ୧୦୬ତମ ସ୍ଥାନରେ ଥିଲା। ଗତ ମାସରେ ଭାରତ ମିଆଁମାରକୁ ୧-୦ ଓ ୨-୦ ଗୋଲରେ କାଜାକିସ୍ତାନକୁ ପରାସ୍ତ କରିବା ପରେ ୮.୫୭ ପଏଣ୍ଟ ସହ ୧୦୧ ତମ ସ୍ଥାନରେ ପହଞ୍ଚିଛି। ୧୯୯୬ରେ ଭାରତ ୯୪ମ ସ୍ଥାନ ହାସଲ କରିଥିଲା। ଯାହା ଭାରତର ଏପର୍ଯ୍ୟନ୍ତ ସର୍ବକାଳୀନ ଶ୍ରେଷ୍ଠ ମାନ୍ୟତା ରହିଛି। ଏହା ପରଠାରୁ ଭାରତ ସବୁବେଳେ ୧୦୦ ମାନ୍ୟତା ଉପରେ ରହି ଆସୁଛି।ଏସୀୟ ଦେଶ ମଧ୍ୟରେ ଭାରତ ୧୯ତମ ସ୍ଥାନରେ ରହିଛି।
Comments are closed.