ଦେଶରେ ହ୍ରାସ ପାଉଛି ପ୍ରଜନନ ହାର

ନୂଆଦିଲ୍ଲୀ: ଚୀନ୍‌କୁ ପଛରେ ପକାଇ ଭାରତ ବର୍ତ୍ତମାନ ବିଶ୍ବର ସବୁଠାରୁ ଜନବହୁଳ ରାଷ୍ଟ୍ରଭାବେ ମାନ୍ୟତା ଲାଭ କରିଛି। ତେବେ ୧୯୫୦ ପରଠାରୁ ଦେଶରେ ପ୍ରଜନନ ହାର ହ୍ରାସ ପାଉଛି ବୋଲି ଲାନ୍‌ସେନ୍‌ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ୧୯୫୦ରେ ଭାରତରେ ପ୍ରଜନନ ହାର ୬.୨ ରହିଥିବାବେ​ଳେ ୨୦୨୧ରେ ଏହା ୨ରୁ କମ ରହିଥିବା ଜଣାପଡିଛି। ଅର୍ଥାତ୍‌ ୧୯୫୦ରେ ଜଣେ ମହିଳା ହାରାହାରି ୬ ଜଣ ସନ୍ତାନଙ୍କୁ ଜନ୍ମ ଦେଉଥିବାବେଳେ ୨୦୨୧ରେ ଜଣେ ମହିଳା ହାରାହାରି ୨ରୁ କମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୨୦୫୦ ଓ ୨୧୦୦ ମସିହା ସୁଦ୍ଧା ଏହା ଯଥାକ୍ରମେ ୧.୨୯ ଓ ୧.୦୪କୁ ହ୍ରାସ ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ ୧୯୫୦ରେ ବିଶ୍ବରେ ପ୍ରଜନନ ହାର ୪.୮ ଥିବାବେଳେ ୨୦୨୧ରେ ଏହା ୨.୨କୁ ହ୍ରାସ ପାଇଥିବା ଜଣାପଡିଛି। ୨୦୫୦ ଓ ୨୧୦୦ ସୁଦ୍ଧା ଏହି ହାର ଯଥାକ୍ରମେ ୧.୮ ଏବଂ ୧.୬କୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ୧୯୫୦ରେ ଭାରତରେ ୧.୬ କୋଟି ଶିଶୁ ଜନ୍ମଗ୍ରହଣ କରିଥିବାବେଳେ ୨୦୨୧ରେ ଏହା ୨.୨ କୋଟି ରହିଥିଲା। ୨୦୫୦ରେ ଏହା ୧.୩ କୋଟିକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ସେହିପରି ୧୯୫୦ରେ ବିଶ୍ବରେ ୯.୩ କୋଟି ଶିଶୁ ଜନ୍ମଗ୍ରହଣ କରିଥିବାବେଳେ ୨୦୨୧ରେ ନବଜାତକଙ୍କ ସଂଖ୍ୟା ୧୨.୯ କୋଟି ରହିଥିଲା। ଏକବିଂଶ ଶତାବ୍ଦୀରେ ବିଶ୍ବରେ ପ୍ରଜନନ ହାର ସମସ୍ୟା ସୃଷ୍ଟି କରିଥିବାବେଳେ ସ୍ବଳ୍ପ ଆୟକାରୀ ରାଷ୍ଟ୍ରରେ ଏହା ସନ୍ତୋଷଜନକ ରହିଥିବା କୁହାଯାଇଛି। ଏଭଳି ରାଷ୍ଟ୍ର ମଧ୍ୟରେ ଅଧିକାଂଶ ଆଫ୍ରିକା ମହାଦେଶରେ ରହିଛି। ତେବେ ଗରିବ ତଥା ସ୍ବଳ୍ପ ଆୟକାରୀ ରାଷ୍ଟ୍ରରେ ପ୍ରଜନନ ହାର ବୃଦ୍ଧି ପାଉଥିବାରୁ ବିଶ୍ବରେ ଏହା ସନ୍ତୁଳନ ବଜାୟ ରଖିପାରୁଛି। ଏଥିଯୋଗୁଁ ୨୦୨୧ରୁ ୨୧୦୦ ମସିହା ମଧ୍ୟରେ ବିଶ୍ବରେ ପ୍ରଜନନ ହାର ୧୮ରୁ ୩୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବୈଶ୍ବିକ ସମସ୍ୟାଭାବେ ଉଭା ହୋଇଥିବାବେଳେ ଆଫ୍ରିକାର ଏହି ରାଷ୍ଟ୍ରଗୁଡିକରେ ଆଗାମୀ ଦିନରେ ବନ୍ୟା, ମରୁଡି ଏବଂ ଗ୍ରୀଷ୍ମପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିବ। ଫଳରେ ସେଠାରେ ଖାଦ୍ୟ, ପାନୀୟଜଳ ସଂକ୍ରାନ୍ତ ସମସ୍ୟା ଉତ୍କଟ ରୂପ ଧାରଣ କରିବ। ବର୍ତ୍ତମାନ ବିଶ୍ବ ଲୋକସଂଖ୍ୟାର ଅଧିକାଂଶ ବୟସ୍କ ହୋଇପଡିଥିବାରୁ ପ୍ରଜନନ ହାର ହ୍ରାସ ପାଇଲେ ଏହାର ପ୍ରତିକୂଳ ପ୍ରଭାବ ଅର୍ଥନୀତି, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ଏବଂ ପରିବେଶ ଉପରେ ପଡିବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି। ଅପରପକ୍ଷରେ ବିଶ୍ବ ଜନସଂଖ୍ୟା ହ୍ରାସ ପାଇଲେ ପରିବେଶ ଅଧିକ ସୁରକ୍ଷିତ ରହିବ ବୋଲି କୁହାଯାଇଛି।

Comments are closed.