କଟକ : ଟୋକିଓ ପାରାଲିମ୍ପିକ୍ସରେ ପ୍ରଥମ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଶୁକ୍ରବାର ପ୍ରମୋଦ ଓଡ଼ିଶାରେ ପହଞ୍ଚିବା ପରେ ଅପରାହ୍ଣରେ କଳିଙ୍ଗ ଷ୍ଟାଡ଼ିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବାରୁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇବା ସହିତ ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଏହାଛଡ଼ା ପ୍ରଥମ ଶ୍ରେଣୀ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ତୁମ ସଫଳତା ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିଛି। ସାରା ଦେଶ ତୁମ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ତୁମର ଉଲ୍ଲେଖନୀୟ ସଫଳତା ପାଇଁ ତୁମକୁ ସମ୍ବର୍ଦ୍ଧିତ କରିବା ମୋତେ ବହୁତ ଆନନ୍ଦ ଦେଇଛି। ତୁମର ବିଜୟ ସମଗ୍ର ଦେଶ ପାଇଁ ଗର୍ବର ମୁହୂର୍ତ୍ତ ଥିଲା ା କ୍ରୀଡ଼ା କ୍ଷେତ୍ରରେ ତୁମ ପ୍ରଦର୍ଶନ ଆଜି ସାରା ଦେଶ ଓ ବିଶେଷ କରି ଓଡ଼ିଶା ପାଇଁ ନୂଆ ଉତ୍ସାହ ଆଣିଛି। ତୁମ ସଫଳତା ଆଗାମୀ ପିଢି ପାଇଁ ପ୍ରେରଣା । କ୍ରୀଡ଼ା ଓ ପାରା କ୍ରୀଡ଼ା କ୍ଷେତ୍ରରେ ଯୁବପିଢିଙ୍କୁ ଏହା ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଭଲ ପାଇବା, ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମୋଦ କୃତଜ୍ଞତା ଜ୍ଞାପନ କରିଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରୋତ୍ସାହନ କମିଟି ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ, ୫ଟି ସଚିବ ଭି.କେ ପାଣ୍ଡିଆନ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



