ସମାଜ ପୋର୍ଟାଲ ଡେସ୍କ: ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମର ସ୍ଥପତି ଅବଦୁଲ କାଦିର ଖାଁ ସେଠାକାର ସୁପ୍ରିମକୋର୍ଟଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ ତାଙ୍କୁ ବନ୍ଦୀ କରି ରଖାଯାଉଛି ଏବଂ ତାଙ୍କୁ ମୁକ୍ତ ଭାବେ ବିଚରଣ କରିବାକୁ ଦିଆଯାଉ ନାହିଁ। ସେ ସର୍ବୋଚ୍ଚ ନ୍ୟାୟାଳୟକୁ ଅନୁରୋଧ କରି କହିଛନ୍ତି, ତାଙ୍କ ମୌଳିକ ଅଧିକାରର ସୁରକ୍ଷା କରାଯାଉ ଓ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଦିର ଖାଁ ଗୁରୁବାର ଦିନ ତାଙ୍କ ଓକିଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଏକ ଚିଠି ଦାଖଲ କରିଥିଲେ ଯେଉଁଥିରେ ସେହି ପୂର୍ବତନ ଆଣବିକ ବୈଜ୍ଞାନିକ କହିଛନ୍ତି ଯେ ତାଙ୍କୁ “ଷ୍ଟ୍ରାଟେଜିକ୍ ପ୍ଲାନ୍ ଡିଭିଜନ୍” (ଏସପିଡି) ଏଜେଣ୍ଟମାନେ ବୁଧବାର ସୁପ୍ରିମକୋର୍ଟ ପରିସରକୁ ନେଇଥିଲେ ମଧ୍ୟ ହଜାର କରାଇନଥିଲେ। ସୂଚନାଯୋଗ୍ୟ ଯେ ପାକିସ୍ତାନ ସେନା ସେ ଦେଶର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଏସପିଡି ଦାୟିତ୍ୱରେ ରହିଛି।
ଚିଠିରେ କୁହାଯାଇଛି, “ମୋତେ କୋର୍ଟରେ ହାଜର କରାଯାଇ ନାହିଁ କିମ୍ବା ଓକିଲ ପରାମର୍ଶ ପାଇଁ ସୁଯୋଗ ଦିଆଯାଉ ନାହିଁ। ଗତ ବର୍ଷ ଲାହୋର ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ଦାଖଲ ହୋଇଥିବା ମୁକ୍ତ ବିଚରଣ ଓ ମୌଳିକ ଅଧିକାର ସୁରକ୍ଷା ଆବେଦନ କରିଥିବା ୮୪ ବର୍ଷୀୟ ନିବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। ୨୦୦୪ରେ ଅବଦୁଲ କାଦିର ଖାଁ ସ୍ୱୀକାର କରିଥିଲେ ଯେ ଉତ୍ତର କୋରିଆ ଲିବିଆକୁ ଆଣବିକ ଅସ୍ତ୍ରଶସ୍ତ୍ର ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଥିଲେ। ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଯାହା ଫଳରେ ସେ ଏହି ମାମଲାର ଶୁଣାଣି କରୁଥିବା ବେଞ୍ଚକୁ ସଠିକ ତଥ୍ୟ ପ୍ରଦାନ କରିବେ।



