୪ ସନ୍ତାନଙ୍କୁ ହତ୍ୟା କରିବା ପରେ ବାପା କହିଲେ ଏପରି କଥା; ଜାଣିଲେ ଲୋମ ଟାଙ୍କୁରି ଉଠିବ

ପଟନା: ବିହାରର ସିୱାନ ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ତା’ର ୪ ସନ୍ତାନଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛି। ଏହା ସହିତ ଆଉ ଜଣେ ସନ୍ତାନ ଏବଂ ପତ୍ନୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଅଭିଯୁକ୍ତ ବାପା ନିଜେ ବିଷ ପିଇ ଦେଇଛି। ତା’କୁ ବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ହୋସ୍‌ ଆସିବା ପରେ ଅଭିଯୁକ୍ତ ଜଣକ ପୁଲିସକୁ ଯାହା କହିଛି ତାହା ଅତ୍ୟନ୍ତ ଭୟାନକ ଥିଲା। ଏହା ଜାଣିଲେ ଯେକୌଣସି ଲୋକର ଲୋମ ଟାଙ୍କୁରି ଉଠିବ।

ସୂଚନା ଅନୁସାରେ, ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା ୪ ସନ୍ତାନଙ୍କ ମଧ୍ୟରେ ୩ ପୁଅ ଅଭିଶେକ(୧୫), ନିତିଶ(୧୨), ମୁକେଶ(୭) ଏବଂ ଜଣେ ଝିଅ ଜ୍ୟୋତି କୁମାରୀ(୧୭) ଅଛନ୍ତି। ପତ୍ନୀ ରୀତା ଦେବି ଏବଂ ଅନ୍ୟ ଜ​‌ଣେ ଝିଅ ଅଞ୍ଜଳି କୁମାରୀଙ୍କୁ ପଟନା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ତେବେ ହତ୍ୟାର କାରଣ ଜଣାପଡ଼ି ନ ଥିବାବେଳେ ଅଭିଯୁକ୍ତ ବାପା ଅବଧେଶ ଚୌଧୁରୀ ଯେଉଁ ବୟାନ ଦେଇଛି ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି। ସେ ଗଣମାଧ୍ୟମ ଏବଂ ପୁଲିସକୁ କହିଛି ଯେ, ମୁଁ ଘର ବାହାରକୁ ବୁଲିବାକୁ ଯାଇଥିଲି। ଫେରିବା ସମୟରେ ମୋ ଶରୀରରେ ହଠାତ୍‌ ଏକପ୍ରକାର ହାୱା ପ୍ରବେଶ କଲା। ଏହା ପରେ ମୋତେ ଲାଗିଲା ଯେ ମୋ ସାମ୍ନାରେ ଯିଏ ଆସିବ ମୋତେ ତା’କୁ ମାରିଦେବା ଦରକାର। ଏହି ସମୟରେ ମୋ ସାମ୍ନାକୁ ସ୍ତ୍ରୀ ଏବଂ ପିଲାମାନେ ଚାଲିଆସିଥିଲେ। ତେଣୁ ମୁଁ ସେମାନଙ୍କୁ ଏକ ଧାରୁଆ ଅସ୍ତ୍ରରେ ମାରିଦେଇଥିଲି।

ଅବଧେଶ କହିଛି ଯେ, ଘଟଣା ପରେ ସେ ନିଜେ ଥାନାକୁ ଯାଇଥିଲା। ଜିଲାପାଳଙ୍କ ନମ୍ବର ଆଣି ଫୋନ କରିଥିଲା। କିନ୍ତୁ ଜିଲାପାଳ ଫୋନ ଉଠାଇ ନ ଥିଲେ। ଏହା ପରେ ସେ ନିଜ ଘରକୁ ଫେରିଥିଲା। ବାଟରେ ପୁଲିସ ତାଙ୍କୁ ସନ୍ଦେହରେ ଅଟକାଇଥିଲା। ପରେ ସେ ପୁଲିସକୁ ପୂରା ଘଟଣା ବିଷୟରେ କହିଥିଲା।

ପୁଲିସ ତୁରନ୍ତ ତାଙ୍କୁ ଗାଡ଼ିରେ ବସାଇ ଘରକୁ ନେଇଥିଲା। ଘରେ ୪ଟି ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାବେଳେ ପତ୍ନୀ ଏବଂ ଆଉ ଏକ ଝିଅ ଗୁରୁତର ଆହତ ହୋଇଥିବା ଦେଖି ଡାକ୍ତରଖାନାକୁ ନେଇଥିଲା। ଏହା ପରେ ଅବଧେଶ ନିଜେ ଘରେ ବିଷ ଖାଇଦେଇଥିଲା। ପୁଲିସ ତାକୁ ବି ହସ୍ପିଟାଲରେ ଭର୍ତ୍ତି କରିଛି।

Comments are closed.