ସମାଜ ଡିଜିଟାଲ ଡେସ୍କ: ‘ଝିଅ ରୋଜଗାରରେ ଚଳୁଛୁ। ତତେ ଲଜ୍ଜା ନାହିଁ।’ ଲୋକଙ୍କଠାରୁ ଏଭଳି ଟାହିଟାପରା ଶୁଣିବା ପରେ ହତୋତ୍ସାହିତ ବାପା ଶେଷରେ ନିଜ ଝିଅ ତଥା ଟେନିସ ତାରକା ରାଧିକା ଯାଦବ(୨୫)ଙ୍କୁ ହତ୍ୟା କରିଛି। ରୋଷେଇ ଘରେ ଝିଅକୁ ଗୁଳି କରି ହତ୍ୟା କରିଛି ବାପା। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ବାପା ଦୀପକ ଯାଦବ(୪୯)କୁ ଗିରଫ କରିଛି। ଗୁରଗାଓଁର ସେକ୍ଟର ୫୭ରେ ଗୁରୁବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି।
ସୂଚନା ଅନୁସାରେ, ରାଧିକା ଜଣେ ପୂର୍ବତନ ଅନ୍ତର୍ଜାତୀୟ କନିଷ୍ଠ ଟେନିସ ଖେଳାଳି। ବର୍ତ୍ତମାନ ସେ ଟେନିସ ପ୍ରଶିକ୍ଷଣ ଦେଉଥିଲେ। ଘର ନିକଟରେ ଏକାଡେମୀ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ତାଙ୍କ ବାପା ଦୀପକଙ୍କର ଏକ ସ୍ପେୟାର ପାର୍ଟ୍ସ ଦୋକାନ ଥିଲା। କିନ୍ତୁ ତାହା ବନ୍ଦ ହୋଇଯିବା ପରେ ସେ ଆର୍ଥିକ ଅନଟନ ଭିତରେ ରହୁଥିଲେ। ରାଧିକାଙ୍କ ରୋଜଗାରରେ ପରିବାର ଚଳୁଥିଲା।
ଏହାକୁ ନେଇ ଦୀପକଙ୍କ ପାଖ ପଡ଼ିଶା ଲୋକେ ନାନା କଥା କହୁଥିଲେ। ସେମାନଙ୍କ ଟାହିଟାପରା ଦୀପକଙ୍କୁ ଅତିଷ୍ଠ କରୁଥିଲେ। ଏସବୁ ଅସହ୍ୟ ହେବାରୁ ସେ ନିଜ ଝିଅ ରାଧିକାଙ୍କୁ ହତ୍ୟା କରିଥିଲେ। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ରାଧିକା ରୋଷେଇ ଘରେ ରୋଷେଇ କରୁଥିଲେ। ଏହି ସମୟରେ ଦୀପକ ଏକ ବନ୍ଧୁକରୁ ରାଧିକାଙ୍କ ବେକକୁ ଗୋଟିଏ ଗୁଳି ଚଳାଇଥିଲେ। ଏହା ପରେ ତାଙ୍କ ପିଠିକୁ ଅନ୍ୟ ଦୁଇଟି ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ରାଧିକାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ତଳ ମହଲାରେ ରହୁଥିବା ରାଧିକାଙ୍କ ସାନ ଭାଇ କୁଳଦୀପ ଗୁଳି ଶବ୍ଦ ଶୁଣି ଉପର ମହଲାକୁ ଯାଇଥିଲେ। ଘଟଣା ଦେଖି ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଦୀପକଙ୍କୁ ଗିରଫ କରିବା ସହିତ ବନ୍ଧୁକ ଜବତ କରିଥିଲା। ରାଧିକାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।



