ଚାଷ ଜମି ଖୋଳିବା ବେଳେ ହେଲା ଅଜବ ଶବ୍ଦ, ପ୍ରତ୍ନତତ୍ୱ ବିଭାଗର ଖନନ ପରେ ବାହାରିଲା . . .

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ବାଗପତ ସ୍ଥିତ ଯମୁନା ନଦୀଠାରୁ ମାତ୍ର ୮ କି.ମି ଦୂରରେ ଅବସ୍ଥିତ ସିନୌଲୀ ଗ୍ରାମ। ଏହି ଗ୍ରାମରେ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ଏକ ଚାଷ ଜମିରେ ଖନନ କରାଯାଇଛି। ଗାଁର ଚାଷୀ ପ୍ରଭାସ ଶର୍ମା ନିଜ ଜମିରେ ଚାଷ କରିବାକୁ ଖୋଳିଥିବା ବେଳେ ମାଟି ତଳେ କିଛି ଅଜବ ଶବ୍ଦ ହେଉଥିବା ଶୁଣିଥିଲେ। ମାଟି ତଳେ କିଛି ଜିନିଷ ଥିବା ନେଇ ପ୍ରତ୍ନତତ୍ୱ ବିଭାଗକୁ ଖବର ଦେବା ପରେ ସ୍ଥାନୀୟ ଅଂଚଳରେ ଅଧିକାରୀ ପହଂଚି ଖନନ ଆରମ୍ଭ କରିଥିଲେ। ଏହି ସମୟରେ ଅନେକ ପ୍ରାଚୀନ ଜିନିଷ ଆବିଷ୍କାର କରାଯାଇଛି। ଏଏସଆଇ ସେହି ସ୍ଥାନରୁ ୧୦୬ଟି ମାନବ କଙ୍କାଳ ପାଇଥିବା ସୂଚନା ମିଳିଛି।

୨୦୦୫ରେ ସିନୌଲୀ ଗାଁକୁ ନେଇ ସାରା ଦେଶରେ ଆଲୋଚନା ହୋଇଥିଲା। ଏଠାରେ ମାନବ କଙ୍କାଳ ମିଳିବା ପରେ ଏହାକୁ ଯାଂଚ ପାଇଁ ପଠାଯାଇଥିଲା। ଯାଂଚ ବେଳେ ଜଣାପଡିଛି ଯେ ଏହି କଙ୍କାଳ ସବୁ ୩ହଜାର ବର୍ଷ ତଳର। ଏହାପରେ ଖନନ ସ୍ଥାନ ବନ୍ଦ ହୋଇଥିଲା। ୨୦୧୭ରେ ପୁନର୍ବାର ଖନନ କରାଯାଇଥିଲା। ୨୦୧୮ରେ ତୃତୀୟ ପର୍ଯ୍ୟାୟ ଖନନ ବେଳେ ଏଏସଆଇକୁ ବଡ ସଫଳତା ମିଳିଥିଲା। ଏଥିରେ ଏଏସଆଇକୁ ଅନେକ ଅଦ୍ଭୁତ ଜିନିଷ ମିଳିଥିଲା। ବହୁ ବର୍ଷ ତଳର ସଭ୍ୟତା ମାଟି ତଳେ ଥିବା ଦେଖି ଲୋକମାନେ ଏହାକୁ ମହାଭାରତ ସହିତ ଯୋଡିଥିଲେ। ବିଶେଷଜ୍ଞ ମାନେ କହିଛନ୍ତି ଯେ ସିନୌଲୀ ଗ୍ରାମରେ ମିଳିଥିବା ପ୍ରମାଣ ବ୍ରିଟିଶମାନଙ୍କ ଦ୍ୱାରା ଲିଖିତ ଇତିହାସକୁ ବଦଳାଇବା ପାଇଁ ଯଥେଷ୍ଟ। ଏହି ଗ୍ରାମରେ ୪ହଜାର ବର୍ଷ ତଳର ପୁରୁଣା ରଥ, ଅସ୍ତ୍ରଶସ୍ତ୍ର ମିଳିବା ପରେ ପ୍ରତ୍ନତତ୍ତ୍ୱବିତ କୌଶଲ କିଶୋର ଶର୍ମା କହିଛନ୍ତି ଯେ ଏଭଳି ଜିନିଷ ଅନ୍ୟ କୌଣସି ସ୍ଥାନରେ ଖନନ ବେଳେ କେବେ ମିଳିନଥିଲା।
ଖନନ ବେଳେ ମିଳିଥିବା ରଥ, ତମ୍ବା ଖଣ୍ଡା ଏବଂ ମୁକୁଟ ସବୁ ଖ୍ରୀଷ୍ଟପୂର୍ବ ୨୩୦୦-୧୯୫୦ ମଧ୍ୟରେ ବୋଲି କୁହାଯାଇଛି। ଏସବୁ ହରପ୍ପା ସଭ୍ୟତାକୁ ମନେ ପକାଇଛି। କବର ସ୍ଥାନ ଖନନ ବେଳେ ଜଣେ ମହିଳା ଯୋଦ୍ଧାଙ୍କର କବର ମିଳିଥିବା ଏଏସଆଇ ଅଧିକାରୀ ସୂଚନା ଦେଇଥିଲେ। ଏଥିରୁ ଜଣାପଡିଥିଲା ଯେ ଭାରତୀୟ ମହିଳା ମାନେ ମଧ୍ୟ ଯୁଦ୍ଧରେ ସାମିଲ ହେଉଥିଲେ।

Comments are closed.