www.samajalive.in
Friday, December 5, 2025
17.1 C
Bhubaneswar

କୃଷକଙ୍କ ଶକ୍ତି ସଂଗ୍ରହ ; ପ୍ରଶାସନ କଠୋର

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଓ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ସ୍ଥାନୀୟ ଲୋକଙ୍କ ଗୁଣ୍ଡାଗିରିକୁ ବେଖାତିର କରି କୃଷକମାନେ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଟ୍ରାକ୍ଟର ଶୋଭାଯାତ୍ରା ସମୟରେ ହିଂସାକାଣ୍ଡକୁ ନେଇ ଆନ୍ଦୋଳନ ଥମିଯିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ଦିଲ୍ଲୀର ସିଙ୍ଘୁ, ଗାଜିପୁର ଓ ଟିକ୍ରି ସୀମାରେ ଚାଲିଥିବା ଆନ୍ଦୋଳନ ଥମିବାର ନାଁ ଧରୁ ନାହିଁ। ଆନ୍ଦୋଳନକାରୀ ପୂର୍ବପରି ରାସ୍ତା ଅବରୋଧ କରି ରଖିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଓ କୃଷକଙ୍କ ମଧ୍ୟ​‌େ​‌ର ଉତ୍ତେଜନା ଲାଗି ରହିଛି। ଉଭୟପକ୍ଷଙ୍କ ମଧ୍ୟରେ ଶନିବାର ପୁନର୍ବାର ହାତାହାତି ହୋଇଛି। ପରିସ୍ଥିତି ସମ୍ଭାଳିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପରୋକ୍ତ ତିନିଟି ସ୍ଥାନ ସହିତ ସମଗ୍ର ଦିଲ୍ଲୀ ସୀମାରେ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବେ ବାତିଲ କରିଛି। ଶୁକ୍ରବାର ରାତିରୁ ୩୧ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଅପରପକ୍ଷରେ ଉତ୍ତରପ୍ରଦେଶର ମୁଜାଫର୍‌ନଗର ଅଞ୍ଚଳରୁ ହଜାର ହଜାର କୃଷକ ଗାଜିପୁର ସୀମାଆଡ଼କୁ ଅଗ୍ରସର ହେଉଛନ୍ତି। ଏହାକୁ ଆଖିରେ ରଖି ଗାଜିଆବାଦ୍‌ ଓ ଗାଜିପୁର ସଂଲଗ୍ନ ଜାତୀୟ ରାଜପଥ-୨୪କୁ ପୁଲିସ ବନ୍ଦ କରିଦେଇଛି। ଶୁକ୍ରବାର ହରିୟାଣା ସରକାର ଦିଲ୍ଲୀ ସୀମା ସଂଲଗ୍ନ ଓ ଆଖପାଖ ୧୭ ଜିଲାରେ ଇଣ୍ଟରନେଟ ଯୋଗାଯୋଗ ବାତିଲ କରିଥିଲେ। ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣାରେ ପୁଲିସ ଅଦ୍ୟାବଧି ୩୮ଟି ଏତଲା ଦାୟର କରିଥିବାବେଳେ ୮୪ଜଣଙ୍କୁ ଗିରଫ କରିଛି। ଏତଦ୍‌ବ୍ୟତୀତ ୧୩ କୃଷକ ନେତାଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି। ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ସଫ୍ଟଓୟର ବ୍ୟବହାର କରୁଛି। ପୁଲିସର ନିବେଦନକ୍ରମେ ସାଧରଣ ଜନତାଙ୍କ ପକ୍ଷରୁ ଜାନୁଆରୀ ୨୬ ଘଟଣା ସମ୍ପର୍କିତ ୨୭୭ଭିଡିଓ ହସ୍ତଗତ ହୋଇଛି।
ଅନ୍ୟ ଏକ ମହତ୍ତ୍ବପୂର୍ଣ୍ଣ ଘଟଣାକ୍ରମେ ସାଧାରଣତନ୍ତ୍ର ଦିବସ ହିଂସା ପରେ ଆନ୍ଦୋଳନ ଫସର ଫାଟିଯିବ ବୋଲି ଧାରଣାକୁ ବିଫଳ ସାବ୍ୟସ୍ତ କରିଥିବା ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଏବେ ହିରୋ ପାଲଟି ଯାଇଛନ୍ତି। ସେ କୃଷକଙ୍କୁ ପୁନର୍ବାର ଏକଜୁଟ କରିବା ସହ ଆନ୍ଦୋଳନକୁ ତୀବ୍ର କରିବାରେ ସମର୍ଥ ହେବା ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଟିକାୟତଙ୍କୁ ଏବେ ବିଭିନ୍ନ ମହଲରୁ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ‘ଆଇ ସପୋର୍ଟ ରାକେଶ ଟିକାୟତ ଚାଲେଞ୍ଜ’ ବହୁଳ ପ୍ରସାରିତ ହୋଇଛି। ସୂଚନାଯୋଗ୍ୟ ଯେ ହିଂସାକାଣ୍ଡ ଘଟଣାରେ ଭାଙ୍ଗିପଡ଼ିଥିବା ଟିକାୟତ କାନ୍ଦିକାନ୍ଦି ଆନ୍ଦୋଳନ ଜାରି ରଖିବା ପାଇଁ ଆହ୍ବାନ ଦେଇଥିଲେ। ମରିବେ ପଛେ ହଟିବେ ନାହିଁ; ଆବଶ୍ୟକ ପଡ଼ିଲେ ଆତ୍ମହତ୍ୟା କରିବେ ବୋଲି ଘୋଷଣା କରିଥିଲେ। ଉତ୍ତରପ୍ରଦେଶ ସରକାର ଆନ୍ଦୋଳନସ୍ଥଳ ଖାଲି କରିବା ଲାଗି ନିର୍ଦେଶ ଦେବା ପରେ ଟିକାୟତ ଆନ୍ଦୋଳନ ବିଫଳ ହେବାକୁ ଦେବେନାହିଁ ବୋଲି ଯେଉଁ ଆବେଗପୂର୍ଣ୍ଣ ଘୋଷଣା କରିଥିଲେ ତାହା ତାଙ୍କ ନେତୃତ୍ବକୁ ପୁନର୍ବାର ପ୍ରତିପାଦିତ କରିଥିଲା। ତାଙ୍କ ଆହ୍ବାନକ୍ରମେ କୃଷକ ମହାପଞ୍ଚାୟତ ଅପୂର୍ବ ସଫଳତା ହାସଲ କରିଥିଲା। ପଶ୍ଚିମ ଉତ୍ତରପ୍ରଦେଶରୁ ହଜାର ହଜାର କୃଷକ ଆନ୍ଦୋଳନମୁହାଁ ହେବାରେ ଲାଗିଛନ୍ତି। ଟିକାୟତଙ୍କୁ ଆନ୍ଦୋଳନ ପାଇଁ ଯାହା ଦରକାର ଦିଲ୍ଲୀ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି। ଏହାକୁ ସାମାଜିକ ଗଣମାଧ୍ୟମ ଅଧିକ ପରିବ୍ୟାପ୍ତ କରିବାରୁ ସରକାର ଆତଙ୍କିତ ହୋଇ ଇଣ୍ଟରନେଟ ସେବା ବନ୍ଦ କରିଥିବା ସୂଚନା ମିଳିଛି। ଅପରପକ୍ଷରେ ଆନ୍ଦୋଳନ ପ୍ରତି ବଢୁଥିବା ଜନସମର୍ଥନକୁ ଦେଖି ହରିୟାଣା ବିଜେପି ନେତା ମଧ୍ୟ ଟିକାୟତଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗୀ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଦିଗବିଜୟ ସିଂ ଚୌତାଲା ମଧ୍ୟ ସମର୍ଥନ ଜଣାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ନାତି ଜୟନ୍ତ ଚୌଧୁରୀ ଶନିବାର ଗାଜିପୁରଠାରେ ପହଞ୍ଚି ଟିକାୟତଙ୍କୁ ସାହସ ଯୋଗାଇଛନ୍ତି। ସେହିପରି ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲୁ, ଦିଲ୍ଲୀ କଂଗ୍ରେସ ନେତ୍ରୀ ଅଲକା ଲାମ୍ବା, ହରିୟାଣା କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚିଛନ୍ତି। ଶନିବାର ଗାଜିପୁର ବିକ୍ଷୋଭ ସ୍ଥଳରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏକଜୁଟ ହେବାରେ ଲାଗିଥିବା ଦେଖାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories