ଲକ୍ଷ୍ୟଧାର୍ଯ୍ୟରୁ ୫୦% ଛୁଇଁନାହିଁ କୃଷି ଋଣ
ସୁଧ ବିହୀନ ଋଣ ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି, ଖରିଫରେ ୧୯.୩୧ ହଜାର କୋଟି କୃଷି ଋଣ ଲକ୍ଷ୍ୟ ,୧୧.୫୮ ଲକ୍ଷ ଚାଷୀ ପାଇଲେଣି କୃଷି ଋଣ
ଭୁବନେଶ୍ୱର : ଚଳିତବର୍ଷ ଖରିଫରେ ମୋଟ ୧୯ ହଜାର ୩୧ କୋଟି ଟଙ୍କା ଋଣ ଦେବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ରାଜ୍ୟ ସମବାୟ ବ୍ୟାଙ୍କ ୯ ହଜାର କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ ଗୁଡିକ ୧୦ ହଜାର ୩୧ କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ପ୍ରଦାନ କରିବାକୁ ସ୍ଥିର କରିଛନ୍ତି। ଜୁଲାଇ ୧୨ ସୁଦ୍ଧା ରାଜ୍ୟ ସମବାୟ ବ୍ୟାଙ୍କ ଚାଷୀଙ୍କୁ ଲକ୍ଷ୍ୟଧାର୍ଯ୍ୟ ୯ ହଜାର କୋଟି ଟଙ୍କାରୁ ୫ ହଜାର ୪୫୩ କୋଟି ଟଙ୍କା ଋଣ ଦିଆଯାଇଥିବା ସମବାୟ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ। ଜାତୀୟକରଣ ଏବଂ ଘରୋଇ ବ୍ୟାଙ୍କ ଗୁଡିକ ଲକ୍ଷ୍ୟଧାର୍ଯ୍ୟରୁ ମାତ୍ର ୨୮ଶହ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି। ମୋଟ ୮ ହଜାର ୨୫୩ କୋଟି ଟଙ୍କା ଋଣ ଦିଆଯାଇଛି। କିନ୍ତୁ ୧୯ ତାରିଖ ବେଳକୁ ସମବାୟ ବ୍ୟାଙ୍କ ଆଉ ୫୪୭ କୋଟି ଟଙ୍କା ଋଣ ଦେଇଥିବା କୁହାଯାଇଛି। ଚାଷ କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଲକ୍ଷ୍ୟଧାର୍ଯ୍ୟରୁ ୫୦ ପ୍ରତିଶତ ଋଣ ଦିଆଯାଇ ପାରିନାହିଁ। ଏହି ଋଣ ରାଜ୍ୟର ପ୍ରାୟ ୧୧ ଲକ୍ଷ ୫୮ ହଜାର ୪୭୫ରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଦିଆଯାଇଛି। ରାଜ୍ୟରୁ ବ୍ୟାପକ ଜମା ଅର୍ଥ ସଂଗ୍ରହ କରୁଥିବା ଜାତୀୟକରଣ ଏବଂ ଘରୋଇ ବ୍ୟାଙ୍କ ଚାଷୀଙ୍କୁ ଋଣ ଦେବା ନିମନ୍ତେ ଯେତିକି ଟଙ୍କା ଲକ୍ଷ୍ୟଧାର୍ଯ୍ୟ ରଖୁଛନ୍ତି ତା’ର ପ୍ରାୟ ୬୫ରୁ ୭୦ ପ୍ରତିଶତ ଅର୍ଥ କୃଷି ଋଣ ଦେଉଥିବା ବେଳେ ଅବଶିଷ୍ଟ ଟଙ୍କା ବଳକା ରହୁଛି।
ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ସମବାୟ ବ୍ୟାଙ୍କ ୯ ହଜାର କୋଟି ଟଙ୍କା କୃଷି ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସେଥିମଧ୍ୟରୁ ୮ହଜାର ୬ଶହ ୮୬.୪ କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ଦେଇଥିଲା। ସମବାୟ ବ୍ୟାଙ୍କ ତା’ର ଲକ୍ଷ୍ୟଧାର୍ଯ୍ୟରୁ ୯୭ ପ୍ରତିଶତ ଋଣ ପ୍ରଦାନ କରିଥିଲା। ୩ ପ୍ରତିଶତ ଋଣ ପ୍ରଦାନ କରିପାରି ନଥିଲା, ଯାହା କି ୩୧୩.୬ କୋଟି ଟଙ୍କା ବ୍ୟାଙ୍କରେ ବଳକା ରହିଥିଲା। ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଗୁଡିକ ନାବାର୍ଡ ବ୍ୟାଙ୍କରୁ ଋଣ ଆକାରରେ ଟଙ୍କା ଆଣି ଚାଷୀଙ୍କୁ ୮ ହଜାର ୬୮୫ କୋଟି ଟଙ୍କା ଋଣ ଦେବାକୁ ସ୍ଥିର କରିଥିବା ବେଳେ ୫ ହଜାର ୮୬୧ ଟଙ୍କା ଦେଇଥିଲେ। ଯାହା କି ୬୭ ପ୍ରତିଶତ ଅର୍ଥ ଋଣ ପ୍ରଦାନ କରିବାରେ ବ୍ୟାଙ୍କ ଗୁଡିକ ସକ୍ଷମ ହୋଇଥିଲେ। ମୋଟ ୩୪.୭୪ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଥିଲା। ସେହିପରି ୨୦୧୭-୧୮ରେ ମୋଟ ୩୦.୭୪ ଲକ୍ଷ ଚାଷୀଙ୍କୁ ୧୧ ହଜାର କୋଟି ଟଙ୍କାର କୃଷି ଋଣ ଦିଆଯାଇଥିଲା। ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧରେ ଦିଆଯାଉ ଥିବାବେଳେ ଏହି ରାଶିକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଣିକି ଏକ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ମଧ୍ୟରେ ଚାଷୀଙ୍କ ପାଇଁ କୃଷି ଋଣ ଉପରେ ୨ ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଛି। କିଷାନ କ୍ରେଡିଟ କାର୍ଡ ଜରିଆରେ କୃଷି ଋଣ ଦିଆଯାଉଛି। ଜମି ଓ ଫସଲ କିସମକୁ ନେଇ ଋଣ ଧାର୍ଯ୍ୟ କରାଯାଇ ଋଣ ଦିଆଯାଉଛି। ରାଜ୍ୟସ୍ତରରେ ରହିଥିବା ବୈଷୟିକ କମିଟି ଋଣ ପରିମାଣ ନିର୍ଦ୍ଧାରଣ କରିଥାନ୍ତି। ପୂର୍ବରୁ ଋଣୀ ଚାଷୀଙ୍କୁ ଫସଲ ବୀମା କରିବା ବାଧ୍ୟତାମୂଳକ ଥିବାବେଳେ ଖରିଫ ଋତୁ-୨୦୨୧ରେ ଏହି ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ୨୦୧୬ରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଚାଷୀଙ୍କୁ ଋଣ ପରିମାଣର ୨ ପ୍ରତିଶତ ଅର୍ଥ ପ୍ରିମିୟମ ଦେବାକୁ ପଡୁଛି। ଅତିରିକ୍ତ ପ୍ରିମିୟମ ରାଜ୍ୟ ସରକାର ୫୦ ପ୍ରତିଶତ ଏବଂ କେନ୍ଦ୍ର ସରକାର ୫୦ ପ୍ରତିଶତ ଚାଷୀଙ୍କ ପାଇଁ ଭରଣା କରୁଛନ୍ତି।
କୃଷି ଋଣ ନେଉଥିବା ଚାଷୀ ପ୍ରକୃତରେ ଚାଷ କାର୍ଯ୍ୟରେ ବିନିଯୋଗ କରିବା କମ ଦେଖିବାକୁ ମିଳୁଛି। ପ୍ରାୟ ଚାଷୀ କୃଷି ଋଣ ନେଇ ଟଙ୍କାକୁ ବ୍ୟବସାୟ ଭିତ୍ତିରେ ଖର୍ଚ୍ଚ କରୁଛନ୍ତି। ୧୦ରୁ ୧୨ ଏକର ଜମି ଥିବା ଚାଷୀ ନିଜେ ଚାଷ କାର୍ଯ୍ୟ ନ କରି ଭାଗ ଦେଉଛନ୍ତି। କିନ୍ତୁ ଜମି ପଟ୍ଟାରେ ସମବାୟ, ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କରୁ କମ ସୁଧରେ ଋଣ ନେଇ ବିଭିନ୍ନ ପ୍ରକାର ବ୍ୟବସାୟ କ୍ଷେତ୍ରରେ ବିନିଯୋଗ କରୁଛନ୍ତି। ଜମି ଭାଗ ଦେଇଥିବାରୁ ଋଣ ଟଙ୍କାକୁ ଚାଷ କାର୍ଯ୍ୟରେ ଖର୍ଚ୍ଚ କରିବା ପରିବର୍ତ୍ତେ ବେପାରରେ ଖଟାଉଛି। ପ୍ରକୃତ ଚାଷ ଭାଗ ଚାଷୀ କରୁଛି। ଭାଗ ଚାଷୀ ପାଖରେ ଅର୍ଥ ଅଭାବ ପଡୁଥିବାରୁ ଚାଷ କାର୍ଯ୍ୟ ନିମନ୍ତେ ସାହୁକାର ପାଖରୁ କରଜ କରୁଛି। ଋଣ ଶୁଝି ନପାରିଲେ ବାଧ୍ୟ ହୋଇ ଆତ୍ମହତ୍ୟା କରୁଛି। ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ ଗୁଡିକ ରାଜ୍ୟରୁ ବାର୍ଷିକ ୫ ଲକ୍ଷ ୨୧ ହଜାର ୨୬୪.୪୦ କୋଟି ଟଙ୍କା ବ୍ୟବସାୟ କରୁଥିବା ବେଳେ ଏହି ବ୍ୟାଙ୍କ ଗୁଡିକ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ୫୫ ହଜାର ୩୧୦.୨୧ କୋଟି ଟଙ୍କା କୃଷି ଋଣ ପ୍ରଦାନ କରିଥିବା ଏସଏଲବିସି ୱେବସାଇଟ ତଥ୍ୟ କହୁଛି। କୋଟି କୋଟି ଟଙ୍କା କାରବାର କରୁଥିଲେ ମଧ୍ୟ ବ୍ୟାଙ୍କ ଗୁଡିକ କେବେ ହେଲେ ଶତପ୍ରତିଶତ ଋଣ ଦେଇପାରୁ ନାହାନ୍ତି। କୁହାଯାଉଛି, ସୁଧ ମୂଳ ଆଦାୟ ହୋଇ ନପାରିବା ହେତୁ ବ୍ୟାଙ୍କ ଗୁଡିକ ଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଛାଡି ଦେଲେ ଗ୍ରାମାଞ୍ଚଳରେ ଘରୋଇ ବ୍ୟାଙ୍କର ଶାଖା ଦେଖିବା ସାତସପନ। ତେଣୁ ଘରୋଇ ବ୍ୟାଙ୍କ ଗୁଡିକ ଚାଷୀଙ୍କୁ ଋଣ ଦେବାରେ ସେତେଟା ସହାୟତା କରୁନାହିଁ।
Comments are closed.