ନ୍ୟୁୟର୍କ: ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନର ଗାଜାକୁ ଦୁର୍ଭିକ୍ଷ ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଛି ଜାତିସଂଘ। ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜା ସହର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବାବେଳେ ଏଠାରେ ପ୍ରାୟ ୫ଲକ୍ଷ ଲୋକ ଅନାହାରରେ ରହିଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଜାତିସଂଘର ଅଧିକାରୀ ଟମ୍ ଫ୍ଲେଚର କହିଛନ୍ତି ଗାଜାରେ ଯେଉଁ ଦୁର୍ଭିକ୍ଷ ଦେଖାଯାଇଛି ତା’ର ପ୍ରତିକାର କରାଯାଇପାରିବ। ଇସ୍ରାଏଲର ପ୍ରତିବନ୍ଧକ ଯୋଗୁଁ ଗାଜାକୁ କୌଣସି ପ୍ରକାର ମାନବିକ ସହାୟତା ପହଞ୍ଚିପାରୁ ନଥିବାରୁ ଏଠାରେ ଦୁର୍ଭିକ୍ଷ ଦେଖାଯାଇଛି। ଜାତିସଂଘର ଇଣ୍ଟିଗ୍ରେଟେଡ ଫୁଡ୍ ସିକ୍ୟୁରିଟି ଫେଜ୍ କ୍ଲାସିଫିକେସନ (ଆଇପିସି) ପକ୍ଷରୁ ଗାଜାରେ ଦୁର୍ଭିକ୍ଷ ଘୋଷଣା କରାଯାଇଛି। ଆଇପିସି ହେଉଛି ବିଶ୍ବର ଅଗ୍ରଣୀ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ। ଆଇପିସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ ଗାଜାର ୨୦ ପ୍ରତିଶତ ଅଞ୍ଚଳରେ ଦୁର୍ଭିକ୍ଷ ଦେଖାଯାଇଛି। ଏହି ଦୁର୍ଭିକ୍ଷ ଆଗାମୀ ଦିନରେ ଖାନ ୟୁନୁସ୍, ଡେର ଅଲ ବାଲାହ ଆଦି ଅଞ୍ଚଳକୁ ବ୍ୟାପିବାକୁ ଯାଉଛି।
ଜୁଲାଇ ପ୍ରଥମ ଭାଗରୁ ଅଗଷ୍ଟ ମଧ୍ୟ ଭାଗ ମଧ୍ୟରେ ଖାଜାରେ ଖାଦ୍ୟର ଅଭାବ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। ଏଠାକାର ଏକ ତୃତୀୟାଂଶ ଲୋକ ଅନାହାର ମଧ୍ୟରେ କାଳାତିପାତ କରୁଛନ୍ତି। ଗାଜାରେ ଦୁର୍ଭିକ୍ଷକୁ ଏଡାଇବାକୁ ହେଲେ ଏଠାକୁ ପୂର୍ଣ୍ଣ ମାନବିକ ସହାୟତା ଯୋଗାଣ କରାଯିବା ଜରୁରୀ ବୋଲି ଫ୍ଲେଚର କହିଛନ୍ତି। ଜେନେଭାରେ ନିଜର ଉଦ୍ବୋଧନରେ ଫ୍ଲେଚର କହିଛନ୍ତି ଯେ ଆମକୁ ଅନୁମତି ଦିଆଗଲେ ଦୁର୍ଭିକ୍ଷକୁ ଏଡାଇ ପାରିବୁ। କାରଣ ପାଲେଷ୍ଟାଇନର ସୀମାରେ ଏବେ ବସ୍ତାବସ୍ତା ଖାଦ୍ୟ ଗଦା ହୋଇ ରହିଛି। ଇସ୍ରାଏଲ ପ୍ରତିବନ୍ଧନକ ଯୋଗୁଁ ଏହି ଖାଦ୍ୟ ଗାଜାକୁ ଯୋଗାଣ ହୋଇପାରୁ ନାହିଁ। ଜାତିସଂଘ ମାନବାଧିକାର ସଂଗଠନ ମୁଖ୍ୟ ଭୋଲକେର ଟୁର୍କ କହିଛନ୍ତି ଯେ ଲୋକଙ୍କ ଅନାହାରରେ ରଖିବା ଏକ ଯୁଦ୍ଧ ଅପରାଧ।
More than half a million people in #Gaza are trapped in famine, according to a new IPC analysis.
Famine is confirmed when three critical thresholds – extreme food deprivation, acute malnutrition and starvation-related deaths – have been breached.
An immediate ceasefire is the… pic.twitter.com/gpt88DINtp
— World Food Programme (@WFP) August 22, 2025
ଅନ୍ୟପଟେ ଜାତିସଂଘର ଏପରି ଘୋଷଣାକୁ ଇସ୍ରାଏଲ ଅଗ୍ରାହ୍ୟ କରିଛି। ଇସ୍ରାଏଲ କହିଛି ଯେ ଗାଜାରେ ଦୁର୍ଭିକ୍ଷ ଦେଖାଯିବା ଘୋଷଣା ହମାସ ପରିଚାଳିତ ଏକ ମିଥ୍ୟା ପ୍ରଚାର। ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜାତିସଂଘର ଏହି ରିପୋର୍ଟ ମିଥ୍ୟା ଓ ଅନ୍ୟଦ୍ବାରା ପ୍ରଭାବିତ। ଇସ୍ରାଏଲ କହିଛି ଯେ ଗାଜାର କୌଣସି ସ୍ଥାନରେ ଦୁର୍ଭିକ୍ଷ ପଡିନାହିଁ। ହମାସ ଆତଙ୍କବାଦୀ ସଂଗଠନ ଏହାର ଯୋଜନାବନ୍ଧ ମିଥ୍ୟା ପ୍ରଚାର ମାଧ୍ୟମରେ ଜାତିସଂଘକୁ ପ୍ରଭାବିତ କରିଛି। ଇସ୍ରାଏଲ ମିଲିଟାରୀ ଏଜେନ୍ସି ସିଓଜିଏଟି ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଜାତିସଂଘର ଏହି ରିପୋର୍ଟ ମିଥ୍ୟା। ସିଓଜିଏଟି ପାଲେଷ୍ଟାଇନ ଓ ଗାଜାକୁ ମାନବିକ ସହାୟତା ଯୋଗାଣ କରିଥାଏ। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଗାଜାରେ ୬୧,୯୪୪ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହେଲାଣି। ଏହା ସହିତ ୧,୫୫,୮୮୬ଜଣ ଆହତ ହେଲେଣି ବୋଲି ଗାଜା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।



