ଜାଲ୍ ନୋଟ୍ ରାକେଟ୍ ଠାବ

ଭୁବନେଶ୍ୱର: ଭୁବନେଶ୍ୱର ଓ ବ୍ରହ୍ମପୁରରେ ନକଲି ନୋଟ୍ ତିଆରି କାରଖାନା ଓ ରାକେଟ୍କୁ କମିଶନରେଟ୍ ପୁଲିସ ଠାବ କରିଛି। ସେହି ଦୁଇ ସ୍ଥାନରେ ଗତ କାଲି ରାତିରେ ପୁଲିସ ଓ କ୍ୟୁଏଟି ଟିମ୍ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪ ଲକ୍ଷ ୬୫ ହଜାର ୫୦ ହଜାର ଟଙ୍କାର ଜାଲ୍ ନୋଟ୍ ଏବଂ ନୋଟ୍ ତିଆରିରେ ବ୍ୟବହୃତ ଉପକରଣ ଜବତ କରାଯାଇଛି।
ଗତ କାଲି ରାତି ପ୍ରାୟ ୧୦ଟା ବେଳେ ତମାଣ୍ଡୋ ପୁଲିସ ଓ କ୍ୟୁଏଟିର ମିଳିତ ଟିମ୍ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ ତମାଣ୍ଡୋ ନିକଟ ମହୁରା ଛକ ନିକଟରେ ଥିବା ଏକ ଆଡ୍ଡା ଉପରେ ଚଢ଼ଉ କରିଥିଲା। ସେଠାରୁ ଶରତ କୁମାର ସାହୁ ଓରଫ ବାପି, ପ୍ରଣାମ ଭୋଇ, ଦିଲ୍ଲୀପ ଭୋଇଙ୍କୁ ଗିରଫ କରିଥିଲା। ବାପିଠାରୁ ୧୫,୬୦୦ ଟଙ୍କାର ଜାଲ୍ ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନୋଟ୍ ଜବତ କରିଥିଲା।
ବ୍ରହ୍ମପୁରର ରମେଶ ମହାରଣାଠାରୁ ଜାଲ୍ ନୋଟ୍ ଆଣୁଥିବା ଜେରା ବେଳେ ବାପି କହିଥିଲା। ବାପିର ସୂଚନା ଆଧାରରେ ଇନ୍ସପେକ୍ଟର ଏସ ଏସ ମାନ୍ଧାତା ଓ ସବ୍ଇନ୍ସପେକ୍ଟର ଦୀପକ କୁମାର ଲେଙ୍କାଙ୍କ ନେତୃତ୍ୱରେ ପୁଲିସ୍ର ଦୁଇଟି ମିଳିତ ଟିମ୍ ବ୍ରହ୍ମପୁର ପାଲୁର ବଙ୍ଗଳା ସାହି ସ୍ଥିତ ରମେଶ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଜେରା ବେଳେ ରମେଶ ଦେଇଥିବା ସୂଚନା ଅନୁଯାୟୀ ସେ କେ ରମେଶ ନାମକ ଜଣେ ବ୍ୟକ୍ତି ସହଯୋଗରେ ଜାଲ୍ ନୋଟ୍ ତିଆରି କରୁଥିଲା। ଏହାପରେ ଭୁବନେଶ୍ୱରର ବାପି, ପ୍ରଣାମ ଓ ଦିଲ୍ଲୀପ ସହଯୋଗରେ ଜାଲ୍ ନୋଟ ବଜାରକୁ ଛାଡ଼ୁଥିଲା। ସେମାନଙ୍କ କାରବାର କୋରାପୁଟ୍, ଜୟପୁର, ଗୁଣୁପୁର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଶିଳ୍ପାଞ୍ଚଳରେ ଚାଲିଥିବା ଜଣାପଡ଼ିଛି। ରମେଶ ମହାରାଣା ନାମରେ ପୂର୍ବରୁ ସମାନ ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା।
ରମେଶ ମହରାଣା ଓ କେ ରମେଶଠାରୁ ପୁଲିସ ୪,୪୯,୫୫୦ ଟଙ୍କା ଜବତ କରିଛି। ଏଥିସହିତ କେ ରମେଶ ନିକଟରୁ ଗୋଟିଏ କଲର ପ୍ରିଣ୍ଟର, ୨୨ଟି ଜେରକ୍ସ କାର୍ଟିଜ୍, ୯ଟି ରବର ଷ୍ଟାମ୍ପ, ୩୨ଟି ନେଲ୍ ପଲିସ୍, ୨୨ଟି ପେପର କଟର, ୫ଟି ମୋବାଇଲ୍ ଫୋନ, ଗୋଟିଏ ଷ୍ଟିଲ୍ ସ୍କେଲ୍ ଜବତ କରାଯାଇଛି।
