ନକଲି ସାମ୍ବାଦିକ ଗିରଫ

ବ୍ରହ୍ମପୁର: ସାମ୍ବାଦିକ ପରିଚୟ ଦେଇ ପୁଲିସକୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ବ୍ରହ୍ମପୁର ଗୋସାଇଁନୁଆଗାଁ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣଙ୍କ ହେଲେ ପ୍ରସାଦ କୁମାର ସାହୁ । ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାବେଳେ ପୁଲିସ ପକ୍ଷରୁ ମୋଟରଯାନ ଯାଞ୍ଚ ଚାଲିଥିଲା। ଏହି ଯାଂଚରେ ଧରପଡିବା ପରେ ପ୍ରାସାଦ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । ହେଲେ ପୁଲିସ ତାଙ୍କୁ ନିଜ ପରିଚୟ ପତ୍ର ମାଗିବାରୁ ସେ କାଯ୍ୟରତ ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଚମକ ଦେଇଥିଲେ । ଏହାପରେ ପ୍ରସାଦଙ୍କୁ ଥାନାକୁ ନେଇ ଅଟକ ରଖାଯାଇଥିଲା । ପ୍ରସାଦ ଅନ୍ୟ ଜଣେ ବ୍ୟକ୍ତିଙ୍କ ସାମ୍ବାଦିକ ପରିଚୟ ପତ୍ର ଧରି ନିଜକୁ ଜଣେ ସାମ୍ବାଦିକ କହି ବୁଲୁଥିବା ପୁଲିସ ଜାଣିବାକୁ ପାଇଥିଲା । ସେ ନକଲି ସାମ୍ବାଦିକ ବୋଲି ସ୍ପଷ୍ଟ ହେବା ସହ ପୁଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ପ୍ରସାଦଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଏସକେ ସୋରେନ କହିଛନ୍ତି । ଏ ନେଇ ଥାନାରେ କେସ ନଂ  ୭୧/୧୯ ଆଇପିସି ଧାରା ୩୫୩,୪୧୯,୨୯୪,୫୦୬ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁରହିଛି ବୋଲି ଥାନାଧିକାରୀ କହିଛନ୍ତି।

Comments are closed.