www.samajalive.in
Friday, December 12, 2025
16.1 C
Bhubaneswar

ବିଦେଶରେ ଚାକିରି ନାଁରେ ଠକେଇ

ବ୍ରହ୍ମପୁର : ବିଦେଶରେ ଚାକିରି ଦେବାକୁ କହି ୨୦ରୁ ଅଧିକ ଓଡ଼ିଆ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ତାମିଳନାଡୁର ଜଣେ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡବଜାର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ତାମିଲନାଡୁ ରାଜ୍ୟର କୁଡାଲୋର ଜିଲା ପେନାଡମର ସୁବ୍ରମଣ୍ୟମ ଭିରାସାମୀ(୪୭) । ତାଙ୍କ ନିକଟରୁ ଗୋଟିଏ ଲାପଟପ, ୨ଟି ମୋବାଇଲ ଓ ୨୭ ଟି ଭିସା ଜବତ କରାଯାଇଛି।
ତାମିଲନାଡୁରେ ନ୍ୟୁ ଲାଇଫ ୱେ ଭିସା କନସଲଟାନ୍ସି ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଖୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ବୋଲଉଥିବା ଅଭିଯୁକ୍ତ ସୁବ୍ରମଣ୍ୟମ ଲୋକଙ୍କ ନାଁରେ ଭିସା ପ୍ରସ୍ତୁତ କରାଇବା ସହ ବିଦେଶରେ ଚାକିରି କରାଇଦେବାର ଲୋଭ ଦେଖାଉଥିଲେ । ମାଳଦୀପ, ବ୍ରୁନେଇଇ ଭଳି ଦେଶରେ ବିଭିନ୍ନପ୍ରକାର ଚାକିରି ସୁଯୋଗ, ଭିସା ପ୍ରସ୍ତୁତ ଓ ବିମାନ ଟିକଟ ବାବଦକୁ ଅଭିଯୁକ୍ତ ସୁବ୍ରମଣ୍ୟ ଓଡ଼ିଶାର ୨୦ରୁ ଅଧିକ ଜଣ ଯୁବକଙ୍କ ଠାରୁ ପ୍ରାୟ ସାଢେ ୮ ଲକ୍ଷ ଟଙ୍କା ନେଇଥିଲୋ ନକଲି ଭିସା ଦେଇ ଟଙ୍କା ଠକିନେଇଥିବା ସମ୍ପର୍କରେ ବ୍ରହ୍ମପୁର ହର୍ଷବିହାର ୪ର୍ଥ ଲାଇନର ଯୁବକ ମାନସ ରଞ୍ଜନ ମହାନ୍ତି ଗତ ମାର୍ଚ୍ଚ ମାସରେ ବଡବଜାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ସୁବ୍ରମଣ୍ୟଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ଜେନା ନାମକ ଜଣେ ଯୁବକଙ୍କ ନାଁରେ ମଧ୍ୟ ସେତେବେଳେ ଥାନାରେ ଠକେଇ ଅଭିଯୋଗ ହୋଇଥିଲା । ପୁଲିସ ସେତେବେଳେ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଠକେଇ ଘଟଣାର ମାଷ୍ଟରମାଇଣ୍ଡ ସୁବ୍ରମଣ୍ୟକୁ ଗିରଫ କରିବାକୁ ତାମିଲନାଡୁ ଯାଇଥିଲା । ବ୍ରହ୍ମପୁର ସାଇବର ସେଲର ଅରକ୍ଷୀ ନିରୀକ୍ଷକ ଅକ୍ଷୟ ନାୟକ ଓ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କିଛି ଦିନ ତଳେ ତାମିଲନାଡୁ ଯାଇ ସୁବ୍ରମଣ୍ୟଙ୍କୁ ତା’ ଅଫିସରେ ହିଁ ଗିରଫ କରିଥିଲେ। ସେଠାରେ ଯାଞ୍ଚ ବେଳେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଥିଲା । ଗିରଫ ପରେ ସୁବ୍ରମଣ୍ୟଙ୍କୁ ସେଠାକାର ଅଦାଲତରେ ହାଜର କରାଯିବା ପରେ ୩ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ବ୍ରହ୍ମପୁର ଅଣାଯାଇଛି ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାତ ରାଉତରାୟ କହିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଜଣାଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories