www.samajalive.in
Thursday, December 11, 2025
16.1 C
Bhubaneswar

ମନେରହିବ ଟୋକିଓ : ପୁରୁଷ ହକି, ଦୌଡ଼କୁଦର ଅଭ୍ୟୁଦୟ

ନୂଆଦିଲ୍ଲୀ : କରୋନା ମହାମାରୀ ଆତଙ୍କ ପାଇଁ ଆଶା ଆଶଙ୍କାରେ ରହିଥିବା ଟୋକିଓ ଅଲିମ୍ପିକ୍‌ସ ସଫଳତାର ସହିତ ଶେଷ ହୋଇଛି। ଟୋକିଓରେ ଭାରତ ଅଲିମ୍ପିକ୍‌ସ ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ସକ୍ଷମ ହୋଇଛି। ଭାରତ ଟୋକିଓ ଅଲିମ୍ପିକ୍‌ସରେ ରୁପା ପଦକରୁ ଅଭିଯାନ ଆରମ୍ଭ କରି ସୁନାରେ ଶେଷ କରିଛି। ଭାରତୀୟ ପ୍ରତିଯୋଗୀମାନେ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ସହ ୭ଟି ପଦକ ବିଜୟୀ ହୋଇଛନ୍ତି। ଯାହା ଭାରତର ଅଲିମ୍ପିକ୍‌ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଅଲିମ୍ପିକ୍‌ସରେ ଦୌଡ଼କୁଦରେ ପ୍ରଥମ ଥର ପାଇଁ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ପୁରୁଷ ହକି ଦଳ ୪୧ବର୍ଷ ପରେ ପଦକ ଧାରାକୁ ଫେରିଥିଲା। ମହିଳା ହକି ଦଳ ତାର ୩ୟ ଅଲିମ୍ପିକ୍‌ସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିବାବେଳେ ଗଲ୍‌ଫରେ ଅଦିତି ଅଶୋକ ଓ ଡିସ୍‌କସ୍‌ ଫିଙ୍ଗାଳି କମଲପ୍ରୀତ୍‌ କୌର ପଦକ ନ ଜିତି ମଧ୍ୟ ହୃଦୟ ଜିତି ପାରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬ ପଦକ ରହିଥିବାବେଳେ ଉକ୍ତ ରେକର୍ଡକୁ ଟୋକିଓରେ ଭାରତୀୟ ପ୍ରତିଯୋଗୀ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ମହିଳା ଗଲ୍‌ଫର ଅଦିତି ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବାବେଳେ ଡିସ୍‌କସ ଫିଙ୍ଗାଳି କମଲପ୍ରୀତ୍‌ ୬ଷ୍ଠ ସ୍ଥାନ ହାସଲ କରିଥିଲେ। ଅନ୍ୟପକ୍ଷରେ ମୁଷ୍ଟିଯୋଦ୍ଧା ଏମ୍‌.ସି ମେରୀ କମ୍‌, ତୀରନ୍ଦାଜୀ ଦମ୍ପତି ଅତନୁ ଦାସ ଓ ଦୀପିକା କୁମାରୀ, ଭାରତୀୟ ବନ୍ଧୁକଚାଳନା ଦଳ ନିକଟରୁ ଭାରତ ଭଲ ପ୍ରଦର୍ଶନ ଆଶା କରିଥିଲେ ମଧ୍ୟ ନିରାଶ କରିଥିଲେ। ଟୋକିଓ ଅଲିମ୍ପିକ୍‌ସରେ ଭାରତରୁ ୧୨୮ଜଣ କ୍ରୀଡ଼ାବିତ୍‌ ୧୮ଟି ଶୃଙ୍ଖଳାରେ ଭାଗ ନେଇଥିଲେ।

ପାନିପତ୍‌ର ସୁନା ପୁଅ ନୀରଜ
ହରିୟାଣା ପାନିପତ୍‌ର ୨୩ ବର୍ଷୀୟ ଜାଭେଲିନ୍‌ ଫିଙ୍ଗାଳି ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ଆଥ୍‌ଲେଟ୍‌ ଭ‌ାବେ ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେ ଫାଇନାଲରେ ୮୭.୫୮ ମିଟର ପକାଇ ଏହି ସଫଳତା ପାଇଛନ୍ତି।
ମୀରାବାଈ ଚାନୁ
ମଣିପୁରର ଭାରୋତ୍ତୋଳିକା ମୀରାବାଈ ଚାନୁଙ୍କ ରୌପ୍ୟ ପଦକରୁ ଭାରତର ପଦକ ଅଭିଯାନ ଆରମ୍ଭ କରିଥିଲେ। ଚାନୁ ମହିଳା ୪୮ କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ସେ ମୋଟ ୨୦୧ କିଗ୍ରା ଭାରୋତ୍ତୋଳନ କରି ଏହି ସଫଳତା ପାଇଥିଲେ। ୨୧ ବର୍ଷ ପରେ ଦ୍ବିତୀୟ ଭାରତୀୟ ଭାରୋତ୍ତୋଳିକା ଭାବେ ଏହି ସଫଳତା ପାଇଥିଲେ। ୨୦୦୦ ସିଡ୍‌ନୀ ଅଲିମ୍ପିକ୍‌ସରେ କର୍ଣ୍ଣମ ମାଲେଶ୍ବରୀ କାଂସ୍ୟ ପଦକ ବିଜୟୀ ହୋଇଥିଲେ।
ରବିକୁମାର ଦହିୟା
ଅଲିମ୍ପିକ୍‌ସରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ ରବି କୁମାର ଦହିୟା। ସେ ୫୭ କିଗ୍ରା ଫ୍ରି ଷ୍ଟାଇଲ ବର୍ଗରେ ଏହି ସଫଳତା ପାଇଥିଲେ। ସୁଶୀଲ କୁମାର ଓ ଯୋଗେଶ୍ବର ଦତ୍ତଙ୍କ ପରେ ରବି କୁମାର ତୃତୀୟ କୁସ୍ତିବିତ୍‌ ଭାବେ ଅଲିମ୍ପି୍‌ସରେ ପଦକ ବିଜୟୀ ହୋଇଥିଲେ।
ପି.ଭି ସିନ୍ଧୁ
ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍‌ସରେ ପଦକ ହାସଲ କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍‌ସରେ ରୌପ୍ୟ ପଦକ ଜିତିଥିବ​‌ା ସିନ୍ଧୁ ଟୋକିଓରେ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ମଲ୍ଲଯୋଦ୍ଧା ସୁଶୀଲ କୁମାରଙ୍କ ପରେ ଦ୍ବିତୀୟ ଭାରତୀୟ ତଥା ପ୍ରଥମ ମହିଳା ଭାବେ ଅଲିମ୍ପିକ୍‌ସରେ ବ୍ୟକ୍ତିଗତ ବିଭାଗରେ ଦୁଇଟି ପଦକ ହାସଲ କରିଛନ୍ତି।
ବଜରଙ୍ଗ ପୁନିଆ
କୁସ୍ତିବିତ୍‌ ବଜରଙ୍ଗ ପୁନିଆ ୬୫ କିଗ୍ରା ଫ୍ରିଷ୍ଟାଇଲ ବର୍ଗରେ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଏହା ଟୋକିଓରେ ଭାରତର କୁସ୍ତିରେ ଦ୍ବିତୀୟ ପଦକ ଥିଲା। ସେମିଫାଇନାଲରେ ପରାଜିତ ହେବା ପରେ ବଜରଙ୍ଗ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ବିଜୟୀ ହୋଇଥିଲେ।
ଲଭ୍‌ଲିନା ବର୍ଗୋହେନ
ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବର୍ଗୋହାନ ଅପ୍ରତ୍ୟାଶିତ ଭାବେ ଟୋକିଓରେ ପଦକ ଜିତି ସମସ୍ତଙ୍କୁ ଚକିତ କରିଛନ୍ତି। ୬ଥର ବିଶ୍ବ ଚମ୍ପିଆନ ତଥା ଲଣ୍ଡନ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ଏମ.ସି ମେରୀ କମ୍‌ ଟୋକିଓରେ ପଦକ ଜିତିବା ନେଇ ବିଫଳ ହୋଇଥିବାବେଳେ ଲଭ୍‌ଲିନା ସମ୍ମାନ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି। ଆସାମ ଲଳନା ଲଭ୍‌ଲିନା ମହିଳା ୬୯ କିଗ୍ରା ଫ୍ରିଷ୍ଟାଇଲ ବର୍ଗରେ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ପୂର୍ବରୁ ବିଜେନ୍ଦର ସିଂହ ୨୦୦୮ ଓ ଏମ୍‌.ସି ମେରୀ କମ୍‌ ୨୦୧୨ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ।
ଭାରତୀୟ ପୁରୁଷ ହକି ଦଳ
ଭାରତୀୟ ପୁରୁଷ ହକି ଦଳର ଟୋକିଓରେ ଅଭ୍ୟୁଦୟ ହୋଇଛି। ଦୀର୍ଘ ୪୧ ବର୍ଷ ପରେ ମନ୍‌ପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତ ଟୋକିଓରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛିି। ଏଥିସହିତ ଭାରତୀୟ ପୁରୁଷ ହକି ଅଲିମ୍ପିକ୍‌ସରେ ତାର ପୂର୍ବ ଗୌରବ ଫେରିପାଇବାରେ ସଫଳ ହୋଇଛି।

- Advertisement -

ପଦକ ବିଜେତାଙ୍କ ଉପରେ ପୁରସ୍କାର ବୃଷ୍ଟି

ଟୋକିଓ : ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ନୂଆ ଇତିହାସ ରହିଛନ୍ତି। ଭାରତ ଅଲିମ୍ପିକ୍‌ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଟୋକିଓରେ ହାସଲ କରିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସରେ ଭାରତ ୬ଟି ପଦକ ଶ୍ରେଷ୍ଠ ରହିଥିବା ବେଳେ ଟୋକିଓରେ ୭ଟି ପଦକ ହାସଲ କରିଛି ଭାରତ। ଯାହା ଅଲିମ୍ପିକ୍‌ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟୋକିଓ ଅଲିମ୍ପିକ୍‌ସରେ ପଦକ ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଉପରେ ପୁରସ୍କାର ବୃଷ୍ଟି ହେବାରେ ଲାଗିଛି। ଟୋକିଓ ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜଙ୍କୁ ହରିୟାଣା ସରକାର ୬ କୋଟି ଟଙ୍କା ଓ ପ୍ରଥମ ଶ୍ରେଣୀ ଅଧିକାରୀ ଚାକିରି ଦେବା ନେଇ ଘୋଷଣା କରିଛନ୍ତି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନୀରଜଙ୍କୁ ୨ କୋଟି ଦେବାକୁ ଘୋଷଣା କରିଛନ୍ତି। ନୀରଜଙ୍କ ପରିବାର ପଞ୍ଜାବର ମୂଳ ବାସିନ୍ଦା ହୋଇଥିବାରୁ ପଞ୍ଜାବ ସରକାର ପୁରସ୍କାର ପାଇଁ ଘୋଷଣା କରିଛନ୍ତି। ଆଇପିଏଲ ଦଳ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମଣିପୁର ମୁଖ୍ୟମନ୍ତ୍ରୀ ଏମ.ଏନ୍‌ ବୀରେନ୍ ସିିଂହ ନୀରଜଙ୍କୁ ୧ କୋଟି ଟଙ୍କା ପୁରସ୍କାର ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିସିସିଆଇ ନୀରଜଙ୍କୁ ୧ କୋଟି ଟଙ୍କା ଓ ଦୁଇ ରୌପ୍ୟ ପଦକ ବିଜୟୀ ଭାରୋତ୍ତୋଳିକା ମୀରାବାଈ ଚାନୁ ଓ ରବି କୁମାର ଦାହିୟାଙ୍କୁ ୫୦ ଲକ୍ଷ, ବ୍ୟକ୍ତିଗତ ବିଭାଗରେ କାଂସ୍ୟ ପଦକ ବିଜେତା ୩ କ୍ରୀଡ଼ାବିତ୍‌ ବ୍ୟାଡ଼ମିଣ୍ଟନ ତାରକା ପି.ଭି ସିନ୍ଧୁ, ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବର୍ଗୋହାନ, ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ୨୫ ଲକ୍ଷ ଲେଖାଏଁ ଓ ପୁରୁଷ ହକି ଦଳକୁ ମୋଟ ୧ କୋଟି ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ କେନ୍ଦ୍ର ସରକାର ଓ କ୍ରୀଡ଼ା ମନ୍ତ୍ରାଳୟର ପୁରସ୍କାର ଘୋଷଣା ବାକିରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories