ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ସଚିତ୍ରବିଜୟାର ସମ୍ପାଦକ ଅଭୟ ସିଂଙ୍କର ଶନିବାର ପରଲୋକ ଘଟିଛି। ପୁରୁଣା ଭୁବନେଶ୍ୱର ସ୍ଥିତ ଆନନ୍ଦାଶ୍ରମ ଜରା ନିବାସରେ ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇ ଯାଇଛି। ଗତ କିଛି ବର୍ଷ ଧରି ସେ ଭୁବନେଶ୍ୱରର ଏକ ଜରାଶ୍ରମରେ ରହୁଥିଲେ ଏବଂ ବିଭିନ୍ନ ରୋଗରେ ପୀଡିତ ଥିଲେ। ଜଣେ ସ୍ପଷ୍ଟବାଦୀ ତଥା ସ୍ୱାଧୀନ ଚେତା ବ୍ୟକ୍ତିତ୍ୱ ଭାବେ ପରିଚିତ ସ୍ବର୍ଗତ ସିଂଙ୍କର ମୂଲ୍ୟବାନ ପ୍ରବନ୍ଧ ଦୈନିକ ସମାଜ, ପ୍ରଗତିବାଦୀ ଓ ଧରିତ୍ରୀରେ ପ୍ରକାଶିତ ହୋଇଛି। ଲେଖକ ତଥା ସାଧକ ମନୋଜ ଦାସଙ୍କ ସଂସ୍ପର୍ଶରେ ଆସିବା ପରେ ସେ ସମୟରେ ପଣ୍ଡିଚେରୀରୁ ପ୍ରକାଶିତ ସଚିତ୍ରବିଜୟାର ସମ୍ପାଦନା ଦାୟିତ୍ୱ ନେଇଥିଲେ।
ସୂଚନା ଅନୁଯାୟୀ, ସସମ୍ବଲପୁର ଅଂଚଳର ପୂର୍ବତନ ରାଜ୍ୟସଭା ସାଂସଦ ସ୍ବର୍ଗୀୟ ପତିତପାବନ ପ୍ରଧାନଙ୍କର ସେ ଭିଣେଇ ଥିଲେ।ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ,ଭୁବନେଶ୍ୱରରେ ଛାତ୍ର ଥିବାବେଳେ ତାଙ୍କ ସାହିତ୍ୟିକ ପ୍ରତିଭାର ପରିଚୟ ମିଳିଥିଲା। ସେ ସମବାୟ ବିଭାଗର ମାସିକ ପତ୍ରିକା ‘କଲ୍ୟାଣି’ର ମଧ୍ୟ ସମ୍ପାଦକ ଥିଲେ।
ତାଙ୍କ ନିଜ ଗ୍ରାମ କେନ୍ଦ୍ରାପଡା ଅଞ୍ଚଳର ଡେରାବିଶ ଅଞ୍ଚଳର। ସେ କଟକରୁ ପ୍ରକାଶିତ ଗଳ୍ପ ପତ୍ରିକା ‘ଅଧୁନା’ର ସୌଜନ୍ୟ ସଂପାଦକ ଥିଲେ। ନିଜେ ମଧ୍ୟ ‘ପ୍ରବାହ ’ ନାମକ ଏକ ପତ୍ରିକା ସମ୍ପାଦନା କରିଥିଲେ। ଏହା ପୂର୍ବରୁ ସେ ଦୈନିକ ପ୍ରଗତିବାଦୀ ସମ୍ବାଦପତ୍ରରେ ଆରମ୍ଭରୁ ସହ-ସମ୍ପ।ଦକ ଥିଲେ। ୧୯୮୮ରେ ଭୁବନେଶ୍ୱରଠାରେ କାନ୍ତକବିଙ୍କ ଜନ୍ମ ଶତବାର୍ଷିକ ଉତ୍ସବରେ ସେ ପ୍ରମୁଖ ଆୟୋଜକ ଥିଲେ। ତାଙ୍କ ଵିୟୋଗରେ ତାଙ୍କର ଘନିଷ୍ଠ ବନ୍ଧୁ, ସହପାଠୀ ଗୁରୁକଲ୍ୟାଣ ମହାପାତ୍ର ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।



