୨ ଶହ ବିଲିଅନ ଡଲାର ଟପିଲା ଏଲନ୍ ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ଟେସ୍‌ଲା ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ୨୦୦ ବିଲିଅନ ଡଲାର ଟପିଛି । ସେ ନିକଟ ଅତୀତରେ ଫ୍ରାନ୍ସର ଧନୀ ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ପିନ୍ଧିଥିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମସ୍କଙ୍କ ସମ୍ପତ୍ତି ଗତ ୨୪ ଘଣ୍ଟାରେ ୨.୬୦ ବିଲିୟନ ଡ଼ଲାର ବୃଦ୍ଧି ପାଇଛି । ଏହି ବୃଦ୍ଧି ସହିତ ତାଙ୍କର ମୋଟ ମୂଲ୍ୟ ୨୦୨ ବିଲିୟନ ଡ଼ଲାରରେ ପହଞ୍ଚିଛି । ମସ୍କଙ୍କ ଇଲେକ୍ଟ୍ରିକ୍ କାର ଟେସ୍‌ଲାର ସେୟାର କ୍ରମାଗତ ବୃଦ୍ଧି ପାଇବାରୁ ତାଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି । ଟେସ୍‌ଲା ଇଙ୍କ୍ ଷ୍ଟକ୍ ସେୟାର ପିଛା ୩.୦୬ ପ୍ରତିଶତରୁ ବଢି ୨୨୦.୫୨ ଡଲାରରେ ବନ୍ଦ ହୋଇଛି । ଗତ ଏକ ମାସ ମଧ୍ୟରେ ଟେସ୍‌ଲା ଷ୍ଟକ ମୂଲ୍ୟରେ ୨୮.୩୭ ପ୍ରତିଶତ ବୃଦ୍ଧି ଘଟିଛି ।

ଏଥି ସହିତ ଗତ ପାଞ୍ଚ ଦିନରେ ଏହାର ମୂଲ୍ୟ ୧୦.୨୬ ପ୍ରତିଶତ ବୃଦ୍ଧି ପାଇଛି । ଶ୍ରେଷ୍ଠ-୧୦ ଧନୀଙ୍କ ତାଲିକାକୁ ଦେଖାଗଲେ, ବର୍ନାର୍ଡ ଆର୍ନଲ୍ଟ ଏଲନ୍ ମସ୍କ୍‌ଙ୍କ ପରେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି । ସେ କିଛି କାଳ ହେବ ବଡ଼ କ୍ଷତିର ସମ୍ମୁଖୀନ ହେଉଛନ୍ତି । ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟରେ ୨.୯୦ ବିଲିୟନ ଡ଼ଲାରର ହ୍ରାସ ଦେଖିବାକୁ ମିଳିଛି । ଏହି କ୍ଷତି ପରେ ୧୮୮ ବିଲିୟନ ଡ଼ଲାରକୁ ଖସି ଆସିଛନ୍ତି ଆର୍ନଲ୍ଟ । ତାଙ୍କ ପଛକୁ ଅର୍ଥାତ୍ ତୃତୀୟରେ ଅଛନ୍ତି ଜେଫ୍ ବେଜୋସ୍ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୪୯ ବିଲିୟନ ଡଲାର । ସେହିପରି ବିଲ୍ ଗେଟ୍ସ ୧୨୯ ବିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ, ଲ୍ୟାରି ଏଲିସନ୍ ୧୨୦ ଡଲାର ସହ ପଞ୍ଚମ ଏବଂ ଷ୍ଟିଭ୍ ବଲମର୍ ୧୧୬ ଡଲାର ସହ ଷଷ୍ଠ ଧନୀ ବ୍ୟକ୍ତି ଅଟନ୍ତି । ୱାରେନ୍ ବଫେଟ କ୍ଷତି ସହିଛନ୍ତି ଏବଂ ସେ ୧୧୫ ବିଲିୟନ ଡ଼ଲାର୍ ମୋଟ ସମ୍ପତ୍ତି ସହ ସପ୍ତମ ସ୍ଥାନରେ ଅଛନ୍ତି । ମାର୍କ ଜୁକରବର୍ଗ ୯୮.୯ ବିଲିୟନ ଡଲାର ସହିତ ଦଶମ ସ୍ଥାନରେ ଅଛନ୍ତି। ବିଶ୍ବ ଧନୀ ତାଲିକାର ୧୩ତମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ତାଙ୍କ ସମ୍ପତ୍ତି ୮୫ ବିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଆଦାନି ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନିଙ୍କ ମୋଟ ସମ୍ପତ୍ତି ୧୩୬ ମିଲିୟନ ଡଲାର ବୃଦ୍ଧି ପାଇଛି । ଏହାସହିତ ଆଦାନି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ୧୯ତମ ସ୍ଥାନରେ ଅଛନ୍ତି । ତାଙ୍କ ମୋଟ ସମ୍ପତ୍ତି ୬୧.୭ ବିଲିୟନ ଡଲାର ରହିଛି ।

Comments are closed.