କ୍ଷତାକ୍ତ ଦନ୍ତାକୁ ଖୋଜୁଛି ବନବିଭାଗ

0

ଯୋଡା: ପ୍ରାୟ ୧୫ଦିନରୁ ଊର୍ଦ୍ଧ୍ବ ସମୟ ହେବ ଏକ ଗୋଠଛଡା କ୍ଷତାକ୍ତ ଦନ୍ତା ଜଙ୍ଗଲରେ ଘୁରି ବୁଲୁଥିବା ବେଳେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି। ଦନ୍ତାର ଚିକିତ୍ସା ନିମନ୍ତେ ଶିମିଳିପାଳ ବ୍ୟାଘ୍ର ରିଜର୍ଭରୁ ଏକ ଡାକ୍ତରୀ ବିଶେଷଜ୍ଞ ଦଳ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ସହ ବୈତରଣୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଝରଣ ଜଙ୍ଗଲରେ ହାତୀକୁ ଠାବ କରିବା ପ୍ରକ୍ରିୟା ଜାରି ରଖିଥିବା ଖବର ମିଳିଛି। ହେଲେ ଖବର ଲେଖାହେବା ଯାଏଁ ଚିକିତ୍ସକ ଦଳ କ୍ଷତାକ୍ତ ଦନ୍ତାକୁ ଠାବ କରିବାରେ ସମର୍ଥ ହୋଇ ନଥିବା ଜଣାପଡ଼ିଛି। ଦନ୍ତାଟି ସଂକ୍ରମଣ ଜନିତ ଯନ୍ତ୍ରଣାର ଉତ୍ପୀଡନ କାରଣରୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ସମ୍ପୃକ୍ତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଇତସ୍ତତଃ ଅବସ୍ଥାରେ ଘରି ବୁଲୁଥିବା କାରଣରୁ ଅସୁସ୍ଥ ହାତୀକୁ ଠାବ୍‌ କରିବା କଷ୍ଟସାଧ୍ୟ ହୋଇପଡିଛି ବୋଲି ଖବର ମିଳିଛି।
କୌଣସି କାରଣରୁ ଗୁରୁତର ରୂପେ ଆହତ ହୋଇ ଏହି ଗୋଠଛଡା ଦନ୍ତାହାତୀ ପଲଭିତରୁ ବିତାଡିତ ହୋଇ ଚମ୍ପୁଆ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବୈତରଣୀ ସଂରକ୍ଷିତ ଜଙ୍ଗଲ ଅଧୀନସ୍ଥ ଝରଣ ଜଙ୍ଗଲରେ ଏକାକି ଅବସ୍ଥାନ କରୁଛି। ଉକ୍ତ ମଧ୍ୟ ବୟସ୍କ ଦନ୍ତାର ଡାହାଣ ପାର୍ଶ୍ବ ଉପରି ଭାଗରେ ଗଭୀର କ୍ଷତ ସୃଷ୍ଟି ହୋଇ କ୍ରମଶଃ ସଂକ୍ରମିତ ହୋଇ କ୍ଷତରେ ପୋକ ହୋଇଥିବାରୁ ବନ୍ୟପ୍ରାଣୀଟି ଅନେକ ଯନ୍ତ୍ରଣା ଭୋଗୁଛି। ଖବର ପାଇ ୧୫ ତାରିଖ ଚମ୍ପୁଆ ରେଞ୍ଜର ଘନଶ୍ୟାମ ବାରିକଙ୍କ ନେତୃତ୍ୱରେ ଯୋଡା ବନପାଳ ପିଅନ ନାଏକ ଓ ପଶୁ ଡାକ୍ତର ମାଧବ ଚୌଧୁରୀଙ୍କ ସମେତ ଡଡୁଆଁ ବନ୍ୟ ସୁରକ୍ଷା ବାହିନୀର ୨୦ ସଭ୍ୟ ଓ ବନବିଭାଗ ସ୍କ୍ୱାର୍ଡ ପ୍ରାୟ ଚାରି କିମି ଘଞ୍ଚ ଜଙ୍ଗଲ ଅତିକ୍ରମ କରି ହାତୀକୁ ଠାବ କରିଥିଲେ ମଧ୍ୟ ଆଶୁ ଚିକିତ୍ସା କରିବାରେ ସାହାସ ଜୁଟାଇ ପାରି ନଥଲେ। ସେମାନଙ୍କ କହିବାନୁଯାୟୀ, ହାତୀକୁ ନିଶ୍ଚେତକ ପ୍ରୟୋଗ ମାଧ୍ୟମରେ ଚେତାଶୂନ୍ୟ କରାଗଲେ ଚିକିତ୍ସାର ଅଗ୍ରଗତି ହୋଇପାରିବ। ତେବେ ଦନ୍ତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଶୁକ୍ରବାର ଶିମିଳିପାଳ ଟାଇଗର ରିଜର୍ଭରୁ ଡଃ ଖାନିନ ଚଙ୍ଗମାଇଙ୍କ ସମେତ ଚମ୍ପୁଆ ରେଞ୍ଜର ଘନଶ୍ୟାମ ବାରିକ,ବାମେବାରୀ ବନପାଳ ଜିତେନ୍ଦ୍ର ପ୍ରସାଦ ସାହୁ,ଯୋଡା ବନପାଳ ପିଅନ ନାଏକ,ଚମ୍ପୁଆ ବନପାଳ ରଣଜୀତ ଜେନା, ଉଖୁଣ୍ଡା ବନପାଳ ଖଗେଶ୍ୱର ବାରିକ, ବାଲିବନ୍ଧ ଫରେଷ୍ଟ ଗାର୍ଡ ଲାଲମୋହନ ଜେନା ଓ ବନସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଆହତ ଦନ୍ତାକୁ ଠାବ କରିବାରେ ପ୍ରଚେଷ୍ଟା ଚଳାଇଛନ୍ତି।

Leave A Reply