www.samajalive.in
Sunday, December 14, 2025
23.1 C
Bhubaneswar

ବିଜେପି ଗଡ଼ ଅତୁଟ, ଆପ୍‌କୁ ପଞ୍ଜାବ ମୁକୁଟ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଅମୃତସର/ପାଣାଜୀ/ଇମ୍ଫାଲ : ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ଆଦି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଉତ୍ତରପ୍ରଦେଶ ସମେତ ୪ଟି ରାଜ୍ୟରେ ବିଜେପି ​‌େ​‌ଚୗକା ମାରି ପୁନର୍ବାର ସରକାରକୁ ଫେରିଥିବାବେଳେ ପଞ୍ଜାବରେ ଶାସକ କଂଗ୍ରେସକୁ ଧରାଶାୟୀ କରି ଆମ୍‌ ଆଦ୍‌ମୀ ପାର୍ଟି ବିସ୍ମୟକର ବିଜୟ ହାସଲ କରିଛି। ହିମାଳୟ ରାଜ୍ୟ ଉତ୍ତରାଖଣ୍ଡରେ ବିଜେପି ପୁନର୍ବାର ତୃତୀୟଥର ସରକାର ଗଠନ କରିବାକୁ ଜନାଦେଶ ହାସଲ କରିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାଜିତ ହୋଇଥିଲେ ବିଜେପି ତା’ର ପ୍ରମୁଖ ପ୍ରତିଦ୍ବନ୍ଦୀ କଂଗ୍ରେସକୁ ପୁନର୍ବାର ବିରୋଧୀ ଆସନରେ ବସାଇବାକୁ ସମର୍ଥ ହୋଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହଙ୍କ ଯାଦୁ ସହ ବିଜେପି ବହୁମତ ହାସଲ କରି କ୍ଷମତାକୁ ଫେରିଛି। ସେହିଭଳି ପ୍ରତି ୫ ବର୍ଷରେ ଶାସନ ବଦଳାଉଥିବା ୪୦ ଆସନ ବିଶିଷ୍ଟ ଛୋଟିଆ ରାଜ୍ୟ ଗୋଆରେ କ୍ରମାଗତ ତୃତୀୟ ଥର ବିଜେପି ତା’ର ଦବ୍‌ଦବା ବଜାୟ ରଖିଛି। ଏଠାରେ ୨୦ଟି ଆସନ ସହ ବିଜେପି ବୃହତ୍ ଦଳ ଭାବେ ଉଭା ହୋଇ ଗୋଟିଏ ସ୍ବାଧୀନ ସଦସ୍ୟଙ୍କ ସହଯୋଗରେ ସରକାର ଗଠନ କରିବାକୁ ଯାଉଛି।


ରାଜ୍ୟ ଗୁଡିକର ନିର୍ବାଚନ ଫଳାଫଳକୁ ଅନୁଶୀଳନ କଲେ ବିଜେପି ପାଇଁ ଉତ୍ତରପ୍ରଦେଶ ଏକପ୍ରକାର ଏସିଡ୍‌ ଟେଷ୍ଟ ରହିଥିଲା। ଉତ୍ତରପ୍ରଦେଶ ଦେଇ ଦିଲ୍ଲୀ କ୍ଷମତା ଦଖଲ ରାସ୍ତା ଥିବାରୁ ୪୦୩ ଆସନ ବିଶିଷ୍ଟ ଏହି ରାଜ୍ୟର ଜନାଦେଶ ହିଁ ଆଗାମୀ ରାଜନୀତିକ ସମୀକରଣକୁ ଓଲଟପାଲଟା କରିବା ସମ୍ଭାବନା ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍‌ ବାରାଣସୀ
ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହି ନିର୍ବାଚନ ଅଗ୍ନିପରୀକ୍ଷା ସମାନ ରହିଥିଲା। ବିଜେପି ଦଳରେ ଟିକଟ ବଣ୍ଟନକୁ ନେଇ ଆରମ୍ଭରୁ ଅସନ୍ତୋଷ ଓ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଭଳି ବରିଷ୍ଠ ଦଳିତବର୍ଗର କେତେକ ନେତାଙ୍କ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗଦାନ ୟୁପି ବିଜେପି ଗଣିତକୁ ଓଲଟ ପାଲଟ କରିବାର ଆଶଙ୍କା ସୃଷ୍ଟି କରିଥିଲା। ମାତ୍ର ହିନ୍ଦୁଭୋଟ ବ୍ୟାଙ୍କକୁ ବିଜେପି ସୁରକ୍ଷିତ ରଖିବାରେ ସଫଳ ହେବା ସହ ଜାତିବାଦ ରାଜନୀତିକୁ ୨୦୧୭ ଭଳି ଏଥର ମଧ୍ୟ ଭାଙ୍ଗିବାକୁ ସମର୍ଥ ହୋଇଛି। ୨୦୧୭ରେ ଦଳ ୩୧୨ ଆସନ ଜିତିଥିବାବେଳେ ଯଦିଓ ଏଥର ଏହି ସଂଖ୍ୟା ୨୭୪କୁ ଖସିଆସିଛି; ତଥାପି ଦଳର ଭୋଟ ହାର ୪୫ ପ୍ରତିଶତକୁ ବୃଦ୍ଧି ପାଇବା ମୋଦୀ-ଯୋଗୀ ଡବଲ ଇଞ୍ଜନ୍‌ ସରକାର ଯୋଡିକୁ ଜନତା ପସନ୍ଦ କରିଛନ୍ତି। ତେବେ ଯୋଗୀ ସରକାରର ଉପମୁଖ୍ୟମନ୍ତ୍ରୀ କେବଶପ୍ରସାଦ ମୌର୍ଯ୍ୟ ନିର୍ବାଚନ ହାରିଯାଇଛନ୍ତି। ଅଖିଳେଶଙ୍କ ସମାଜବାଦୀ ପାର୍ଟିର ସାଇକଲ ନିର୍ବାଚନୀ ରାସ୍ତାରେ ଲିକ୍‌ ହୋଇଥିବାବେଳେ ଜାତୀୟ ଦଳର ମାନ୍ୟତା ରଖୁଥିବା ସୁଶ୍ରୀ ମାୟାବତୀଙ୍କ ବହୁଜନ ସମାଜପାର୍ଟି (ବିଏସପି)ର ହାତୀ ନିର୍ବାଚନୀ ମଇଦାନରୁ ଏକପ୍ରକାର ଅଦୃଶ୍ୟ ହୋଇଯାଇଛି। ସମାଜବାଦୀ ପାର୍ଟିକୁ ୧୨୪ ଆସନ ମିଳିବାକୁ ଯାଉଥିବାବେଳେ ମାୟାବତୀ ମାତ୍ର ଗୋଟିଏ ଆସନ ଓ କଂଗ୍ରେସ ୨ଟି ଆସନରେ ସୀମୀତ ରହିଛି। ଅନ୍ୟପକ୍ଷରେ ଏକଦା ଜାତୀୟ କଂଗ୍ରେସର ଗଡ଼ ଥିବା ୟୁପିରେ ଏଥର ଦଳ ତା’ର ଅସ୍ତିତ୍ବ ହରାଇବା ଏକ ପ୍ରକାର ନିଶ୍ଚିତ। ପୂର୍ବ ତୁଳନାରେ ଆଇନ-ଶୃଙ୍ଖଳା ସ୍ଥିତିରେ ସୁଧାର ସହ ଦଳିତ, ପଛୁଆବର୍ଗ, ମହିଳା, କୃଷକ ଓ ଯୁବବର୍ଗଙ୍କୁ ବିଜେପି ଏକାଠି କରି ନିଜ ପକ୍ଷକୁ ଆଣିବାରେ ସକ୍ଷମ ହୋଇଛି। ସବୁଠାରୁ ବଡ଼ କଥା ​‌େ​‌ହଲା, ମହଙ୍ଗା ବଜାରରେ ସ୍ବତନ୍ତ୍ର ରାସନ ବ୍ୟବସ୍ଥା ହିତାଧିକାରୀଙ୍କ ସମର୍ଥନ ସଂଗ୍ରହରେ ସହାୟକ ହୋଇଛି। କୃଷି ଆଇନକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ମଧ୍ୟ ଦଳ ସୁଧାରିବାରେ ସମର୍ଥ ହୋଇ ଏହି ବର୍ଗଙ୍କ ଭରସା ଜିତିପାରିଛି।

- Advertisement -

ସେହିଭଳି ସୀମାନ୍ତ ରାଜ୍ୟ ପଞ୍ଜାବରେ ନିର୍ବାଚନ ଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ରହିଛି। ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଓ ଅକାଳୀ ଦଳର କବ୍‌ଜାରେ ରହିଆସିଥିବା ପଞ୍ଜାବରେ ଏଥର ଆମ୍‌ ଆଦ୍‌ମୀ ପାର୍ଟି ତା’ର ଦ୍ବିତୀୟ ପ୍ରବେଶରେ ବିରାଟ ବିଜୟ ହାସଲ କରିଛି। କଂଗ୍ରେସକୁ ଧରାଶାୟୀ କରିବା ସହିତ ଅକାଳୀ ଦଳର ପତ୍ତା କାଟି ଦେଇଛି। ଦଳ ଏଠାରେ ମାତ୍ର ୧୮ଟି ଆସନ ପାଇଛି। କ୍ରମାଗତ ଶାସନ କ୍ଷମତାରେ ଥିବା କଂଗ୍ରେସକୁ ଏଥର ୫୯ ଆସନ କ୍ଷତି ସହିବାକୁ ପଡିଛି। କ୍ୟାପ୍‌ଟେନ୍‌ଙ୍କ ଦଳରୁ ନିଷ୍କାସନ ଓ ଚନ୍ନି-ସିଦ୍ଧୁଙ୍କ କ୍ଷମତା ବୃଦ୍ଧି ଦଳରେ ବିଘଟନ ଘଟାଇଥିଲା। ଏପରିକି କୃଷି ଆଇନକୁ ନେଇ ଏନଡିଏରୁ ଅକାଳୀ ଅଲଗା ହେବା ମଧ୍ୟ ତା’ ପାଇଁ ମହଙ୍ଗା ପଡିଛି। କଂଗ୍ରେସ ଓ ଅକାଳୀରେ ବିଭାଜନ ଓ ବିଜେପି ଏଠାରେ ନିଜକୁ ସଶକ୍ତ ନ କରିବାର ଫାଇଦା ଆପ୍‌ ଉଠାଇଛି। ଏପରିକି ବିଜେପିକୁ ମଧ୍ୟ ମାତ୍ର ଦୁଇଟି ଆସନରେ ସୀମୀତ ରଖିଛି। ଆପ୍‌ କେବଳ ଏଠି ରେକର୍ଡ ଆସନ ହାସଲ କରିନି, ବରଂ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣ ସିଂହ ଚନ୍ନି, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଏବଂ କଂଗ୍ରେସ ରାଜ୍ୟ ସଭାପତି ନବଜୋତ୍‌ ସିଂହ ସିଦ୍ଧୁଙ୍କ ଭଳି ବଡ଼ ବଡ଼ ରାଜନୈତିକ ହସ୍ତୀଙ୍କୁ ମଧ୍ୟ ନିର୍ବାଚନ ମଇଦାନରେ ଧୂଳି ଚଟାଇଛି। ଖୋଦ୍‌ ଚନ୍ନି ଦୁଇ ଦୁଇଟି ଆସନରେ ପରାଜିତ ହୋଇଛନ୍ତି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ୍‌ ଏକାକୀ ୯୨ ଆସନରେ ଆଗୁଆ ରହିଛି। ଦିଲ୍ଲୀରେ ଆପ୍‌ ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଓ ପାଣି ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପଞ୍ଜାବବାସୀଙ୍କ ମନରେ ବିଶ୍ବାସ ସୃଷ୍ଟି କରିଛି। ଦଳକୁ ଦିଲ୍ଲୀ ବାହାରେ ଏକ ପୂର୍ଣ୍ଣ ରାଜ୍ୟରେ ସରକାର ଗଠନର ସୁଯୋଗ ଦେଇଛି। ଲୋକସଭା ସାଂସଦ ତଥା ଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍‌ଙ୍କ ନେତୃତ୍ବରେ ଆପ୍‌ ନିରଙ୍କୁଶ ସରକାର ଗଠନ କରିବାକୁ ଯାଉଛି।
ସେହିଭଳି ଉତ୍ତରାଖଣ୍ଡରେ ମୋଟ ୭୦ଟି ଆସନ ମଧ୍ୟରୁ ବିଜେପି ୪୮ ଆସନରେ ଆଗୁଆ ରହିଥିବାବେଳେ ବିରୋଧୀ କଂଗ୍ରେସକୁ ୧୮ଟି ଆସନରେ ସୀମୀତ ରଖିବାରେ ସଫଳ ହୋଇଛି। ଏଠାରେ କଡ଼ା ମୁକାବିଲା ହେବ ବୋଲି ଯେଉଁ ପୂର୍ବାନୁମାନ କରାଯାଉଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଗତଥର ଅପେକ୍ଷା ବିଜେପି ଏଠାରେ ୯ଟି ଆସନ କ୍ଷତି ସହିଥିବାବେଳେ କଂଗ୍ରେସକୁ ୭ଟି ଆସନରେ ଫାଇଦା ମିଳିଛି। ଏହାସତ୍ତ୍ବେ ବିଜେପି ଭୋଟହାର ବୃଦ୍ଧି ସହ କ୍ଷମତାକୁ ବଜାୟ ରଖିପାରିଛି। ଦଳ ପାଇଁ ଏଠାରେ ସବୁଠୁ ଉଦ୍‌ବେଗର କଥା ହେଉଛି ଏଠାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ପରାଜୟ। ତେବେ ଗତ କିଛି ମାସ ଭିତରେ ଏଠାରେ ବିଜେପି ଯେଉଁଭଳି ବାରମ୍ବାର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କଲା ତାହାର ଫାଇଦା କଂଗ୍ରେସ ନେବାରେ ସଫଳ ହୋଇପାରିନାହିଁ। ଏକାଧିକ ଥର ମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ହରିଶ ସିଂହ ରାୱତ୍‌ଙ୍କ ନିର୍ବାଚନ ପୂର୍ବରୁ ବିଦ୍ରୋହ ଓ ପରେ ବୁଝାମଣା କଂଗ୍ରେସ ପାଇଁ ମହଙ୍ଗା ପଡିଛି। ଖୋଦ୍ ରାୱତ୍‌ ମଧ୍ୟ ନିର୍ବାଚନ ହାରିବା ଜାତୀୟ ଦଳର ଦୁର୍ବଳ ସ୍ଥିତିକୁ ଚିହ୍ନିତ କରିଛି।
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣିଥରେ ବିଜେପି ପ୍ରତି ଜନାଦେଶ ମିଳିଛି। ୭୦ ଆସନ ଥିବା ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହଙ୍କ ନେତୃତ୍ବରେ ଲଢୁଥିବା ବିଜେପି ୩୨ ଆସନରେ ଓ କଂଗ୍ରେସ ମାତ୍ର ୫ଟିରେ ଆଗୁଆ ରହିଛି। ଏଥର ଏଠାରେ ବିଜେପିକୁ ଅଧିକ ୧୧ଟି ଆସନ ମିଳିଥିବାବେଳେ କଂଗ୍ରେସ ପୂର୍ବାପେକ୍ଷା ୨୩ ଆସନ ହରାଇଛି।
ସେହିଭଳି ଗୋଆକୁ ନେଇ ବୁଥ୍‌ ଫେରନ୍ତାଙ୍କ ଭିନ୍ନ ଆକଳନ କରିଥିବାବେଳେ ପ୍ରମୋଦ ସାୱନ୍ତଙ୍କ ନେତୃତ୍ବରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ୪୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ବହୁମତ ୨୧ ରହିଥିବାବେଳେ ବିଜେପି ଏକାକୀ ୨୦ଟି ଆସନରେ ଆଗୁଆ ରହିଛି। ୨ ସ୍ବାଧୀନ ଓ ୨ ମହାରାଷ୍ଟ୍ର ଗୋମନ୍ତକ ପାର୍ଟି ବିଧାୟକଙ୍କ ସମର୍ଥନରେ ଏଠାରେ ଦଳ ପୁଣି କ୍ଷମତାକୁ ଫେରିବାକୁ ଯାଉଛି। ଦଳକୁ ଗତଥର ଅପେକ୍ଷା ଏଥର ୭ଟି ଆସନ ମିଳିଥିବାବେଳେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। କଂଗ୍ରେସ ୧୨ଟି ଆସନରେ ଆଗୁଆ ଥିବାବେଳେ ପୂର୍ବଥର ଅପେକ୍ଷା ୮ଟି ହରାଇଛି। ପର୍ତ୍ତୃଗୀଜ୍‌ ଓ ଖ୍ରୀଷ୍ଟିୟାନ୍‌ ବହୁଳ ଏହି ଛୋଟିଆ ରାଜ୍ୟରେ ପ୍ରଥମଥର ପାଇଁ ଆପ୍‌ ପାଦଥାପି ୨ଟି ଆସନ ହାତେଇବାକୁ ଯାଉଛି। ତୃଣମୂଳ କଂଗ୍ରେସ ମଧ୍ୟ ଏଠାରେ ପୂର୍ବାପେକ୍ଷା ଗୋଟିଏ ଆସନ କ୍ଷତି ସହି ଦୁଇଟି ଆସନରେ ଜିତିବା ସମ୍ଭାବନାକୁ ଉଜ୍ଜଳ କରିଛି।
ସୂଚନାଯୋଗ୍ୟ, ବୁଥ୍‌ ବାହୁଡ଼ା ମତ(ଏକ୍‌ଜିଟ୍‌ ପୋଲ୍‌) ଆଧାରରେ ବିଭିନ୍ନ ସଂସ୍ଥା ପକ୍ଷରୁ ଯେଉଁ ଆକଳନ କରାଯାଇଥିଲା ତାହା ଗୋଆ ଓ ଉତ୍ତରାଖଣ୍ଡକୁ ବାଦ୍‌ ଦେଲେ ଅନ୍ୟ ୩ଟି ରାଜ୍ୟରେ ପ୍ରାୟତଃ ସଠିକ୍ ରହିଛି। ଉତ୍ତରପ୍ରଦେଶ ସମେତ ୪ଟି ରାଜ୍ୟରେ ଗେରୁଆ ପତାକା ଅକ୍ଷୂର୍ଣ୍ଣ ରହିଥିବାବେଳେ ପଞ୍ଜାବରେ ଆପ୍‌ର ଝାଡ଼ୁ ବିରୋଧୀଙ୍କୁ ଧୂଳିସାତ୍‌ କରିଛି। ୫ଟି ରାଜ୍ୟର ଫଳାଫଳ ଜାତୀୟ ଦୃଶ୍ୟପଟ୍ଟରେ ଏକ ନୂତନ ସମୀକରଣ ସୃଷ୍ଟି କରିଛି। ଏଣିକି କଂଗ୍ରେସ ନୁହେଁ; ଆପ୍‌ ହିଁ ପ୍ରମୁଖ ବିରୋଧୀ ବୋଲି ରାଜନୈତିକ ବିଶ୍ଲେଷକ ଆକଳନ କରିଛନ୍ତି। ୫ଟି ରାଜ୍ୟର ମୋଟ ୬୦୯ ବିଧାନସଭା ଆସନରୁ ବିଜେପିକୁ ୩୭୫ ଆସନ ମିଳିଥିବାବେଳେ କଂଗ୍ରେସ ୫୫ଟି ଆସନରେ ସୀମୀତ ରହିଛି। ଯଦି ଏହି ୫ ରାଜ୍ୟ ନିର୍ବାଚନକୁ ସଂସଦୀୟ ଆସନ (୧୦୨) ଅନୁଯାୟୀ ଅନୁଶୀଳନ କରାଯାଏ, ତେବେ ବିଜେପି ୬୯ ଓ କଂଗ୍ରେସ ୨ଟି ସୀମୀତ ରହିଛି। ୨୦୧୯ ଲୋକସଭା​‌ ନିର୍ବାଚନରେ ବିଜେପି ଏହି କ୍ଷେତ୍ରରୁ ୭୧ ଓ କଂଗ୍ରେସ ୧୦ଟି ଆସନ ପାଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories