ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ ଲୋକସଭା ଆସନରେ ଭୋଟଗ୍ରହଣ କରାଯିବାକୁ ଥିବାବେଳେ ଓଡ଼ିଶାର ୪ଟି ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଆଜି ବିଜ୍ଞପ୍ତି ପ୍ରକାଶ ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ମାର୍ଚ୍ଚ ୨୮ ରହିଛି।
ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୨୧ଟି ଲୋକ ସଭା ଆସନ ମଧ୍ୟରୁ ୪ଟି ଆସନରେ ନିର୍ବାଚନ ହେବ। ସେଗୁଡ଼ିକ ହେଲା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ବ୍ରହ୍ମପୁର। ଏହା ସହିତ ଏସବୁ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ୨୮ଟି ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ହେବ। କିନ୍ତୁ ସୋମବାର ସୁଦ୍ଧା କୌଣସି ରାଜନୈତିକ ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି। ପ୍ରାର୍ଥୀ ତାଲିକାକୁ ନେଇ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଆସନ୍ତା ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ, ୧୮ ତାରିଖରେ ୨ୟ, ୨୩ ତାରିଖରେ ୩ୟ ଏବଂ ୨୯ ତାରିଖରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ହେବ।



