www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରାର୍ଥୀମାନଙ୍କ ବ୍ୟକ୍ତିତ୍ୱକୁ ପରଖୁଛନ୍ତି ଭୋଟର 

ବେଗୁନିଆ: ବେଗୁନିଆ ବ୍ଲକରେ ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ତିନି ଦିନ ବାକି ରହିଥିବାବେଳେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ନିଦ ହଜି ଯାଇଛି । ସେମାନଙ୍କର ପ୍ରଚାର ଗାଡି ଗାଁ ଗାଁରେ ବୁଲୁଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କର ରଣକୌଶଳରେ ବ୍ୟସ୍ତ ଅଛନ୍ତି। କଳେ ବଳେ କୌଶଳେ ନିର୍ବାଚନ ଜିତିବା ପାଇଁ ସମସ୍ତଙ୍କର ଇଛା । ସେଥିପାଇଁ ଦିନେ ନାହିଁ କାଳେ ନାହିଁ ଗହ୍ମା ପୁନେଇରେ ମାଇଁ ମାଇଁ ଭଳି ଲୋକମାନଙ୍କର ଭଲ ମନ୍ଦରେ ପୂର୍ବରୁ ଯେଉଁମାନେ କେବେ ଛିଡା ହୋଇନଥିଲେ, ସେମାନେ ବିଭିନ୍ନ ପଦ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବାରୁ ଏବେ ଲୋକମାନଙ୍କ ନିକଟରେ ପହଞ୍ଚି ହାତୀ ଦେବେ ଘୋଡା ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ପୂର୍ବରୁ ଲୋକମାନେ କେବେ ଗାଁ ଦାଣ୍ଡରେ ଏମାନଙ୍କ ମୁହଁ ଦେଖି ନ ଥିବାବେଳେ ଏବେ ସେମାନଙ୍କୁ ଦେଖି ଆଶ୍ଚର୍ୟ୍ୟ ହୋଇ ବିଭିନ୍ନ ନକରାତ୍ମକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ମନଭୁଲା କଥା ଓ ନାଟକବାଜି କରି କୌଣସି ମତେ ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ମନାଇବା ପାଇଁ ଉଦ୍ୟମ କରୁଛନ୍ତି । କେଉଁଠି ଭୋଟରମାନଙ୍କ ଗୋଡ ଧରି ମୁଣ୍ଡିଆ ମାରୁଛନ୍ତି ତ ପୁଣି କେଉଁଠି ଘରେ ପଖାଳ ତୋଡାଣି ପିଇ ସେଲ୍‌ଫି ମଧ୍ୟ ନେଉଛନ୍ତି । କିନ୍ତୁ ଭୋଟରମାନେ ଭଲ ଭାବେ ଜାଣି ଯୋଗ୍ୟ ଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସୁଦୃଢ କରିବା ପାଇଁ ମନସ୍ଥ କରିଛନ୍ତି । ଏଠାରେ ନିର୍ବାଚନ ପ୍ରଚାର ଶେଷ ହେବାକୁ ବସିଥିବାବେଳେ ନେତାମାନଙ୍କୁ କିନ୍ତୁ ଲୋକମାନେ ଦେଖିବାକୁ ପାଉନାହାନ୍ତି । ବିଜେଡି ଦଳର ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଜିଲ୍ଲାପରିଷଦ ପ୍ରାର୍ଥୀମାନଙ୍କ ପାଇଁ ସଭା ସମିତି କରି ପ୍ରଚାର କାର୍ୟ୍ୟ ଚାଲୁ ରଖିଥିବାବେଳେ ବିଜେପି ଦଳର ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ କାଁ ଭାଁ ଆସି ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଛନ୍ତି ।

ସେହିପରି କଂଗ୍ରେସ ଏଠାରେ ନେତାଶୂନ୍ୟ ହୋଇଯାଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟନାୟକଏଠାରୁ ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ଆବର୍ତମାନରେ ତାଙ୍କ ପୁଅ ପୃଥିବଲ୍ଲଭ ପଟ୍ଟନାୟକ ରାଜନୀତିରେ ସକ୍ରିୟ ନଥିଲେ ମଧ୍ୟ କେଉଁଠି କେମିତି ପହଞ୍ଚି ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ଚିହ୍ନ ମିଳିଥିବାବେଳେ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡ ସଭ୍ୟ ମାନେ ସରକାରୀ ସ୍ତରରେ ମିଳିଥିବା ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି । ପ୍ରାର୍ଥୀମାନେ ନିଜ ନିଜର ଲୋକସମ୍ପର୍କ ଏବଂ ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଭୋଟ ଭିକ୍ଷା କରୁଛନ୍ତି । ଏହି ନିର୍ବାଚନରେ ଅନେକ ସ୍ଥାନରେ ଅର୍ଥ ବଳ ଦ୍ୱାରା ପ୍ରାର୍ଥୀମାନେ ବିଜୟ ଲାଭ କରିବା ପାଇଁ ଚେଷ୍ଟା ଅବ୍ୟାହତ ରଖିଛନ୍ତି । ଶାସକ ଦଳର ସମର୍ଥକ ମାନେ ସେମାନଙ୍କର ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ନବୀନ ବାବୁ ମାଆ ପେଟରୁ ଜନ୍ମ ହେଉଥିବା ଶିଶୁଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରଣୟନ କରିଥିବା ବିଭିନ୍ନ ଯୋଜନାକୁ ଭୋଟରଙ୍କ ନିକଟରେ ଉପସ୍ଥାପନ କରୁଥିବାବେଳେ ବିଜେପି ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶାସକ ଦଳର ଦୁର୍ବଳତାକୁ ଆଧାର କରିବା ସହ ନରେନ୍ଦ୍ର ମୋଦିଙ୍କ ନିର୍ମଳ ଶାସନ ସମ୍ପର୍କରେ ଭୋଟରଙ୍କୁ ଜଣାଇ ଭୋଟ ଭିକ୍ଷା କରୁଛନ୍ତି । ସେହିପରି ସତୁରି ବର୍ଷରୁ ଅଧିକ ସମୟ ଭାରତକୁ ଶାସନ କରିଥିବା କଂଗ୍ରେସ ଏବେ ଉଭୟ ଦଳକୁ ସମାଲୋଚନା କରି ଆତ୍ମ ସନ୍ତୋଷ ପାଉଛି । ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଦଳ ଅପେକ୍ଷା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଭୋଟର ନିଶ୍ଚୟ ଅଧିକ ଗୁରୁତ୍ୱ ଦେବେ ବୋଲି ଆଲୋଚନା ହେଉଛି । ଗତ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ପ୍ରତିନିଧି ଥିବା କିଛି ନେତା ପଦ ହାତ ଛଡା ନକରିବା ପାଇଁ ସେମାନଙ୍କର ସହଧର୍ମିଣୀଙ୍କଠାରୁ ଆରମ୍ଭ କରି ମାଆ ଭଉଣୀ ଏବଂ ନିକଟ ସମ୍ପର୍କୀୟମାନଙ୍କୁ ପ୍ରାର୍ଥୀ କରି ସେମାନଙ୍କୁ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories