ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ
କଣ୍ଟାବାଞ୍ଜି: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ରିୟାନୁଷ୍ଠାନ କମିଟି ତରଫରୁ ଗତ ଅଗଷ୍ଟ ୧ ତାରିଖ ଦିନ ଦେଶର ସର୍ବୋଚ୍ଚ ନ୍ୟାୟଳୟ ଅନୁସୂଚିତ ଜାତି, ଜନଜାତି ବର୍ଗ ପାଇଁ ସଂରକ୍ଷଣ ଉପରେ ଦେଇଥିବା ରାୟର ପ୍ରତିବାଦ ସହ ରାୟ ପ୍ରତ୍ୟାହାର ପାଇଁ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୨୧ ତାରିଖ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ କଣ୍ଟାବାଞ୍ଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି କଣ୍ଟାବାଞ୍ଜିରେ ବନ୍ଦ କରିଥିଲା ଓ ଏହି ବନ୍ଦର ପ୍ରଭାବ ଦେଖାଯାଇଛି। ବନ୍ଦ ସମ୍ପୂର୍ଣ ଶାନ୍ତିପୂର୍ଣ ଥିବା ଦେଖାଯାଇଥିବା ବେଳେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।
ବନ୍ଦ ପ୍ରଭାବରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ତଥା ଯାତ୍ରୀବାହି ବସ, ମାଲବାହୀ ଗାଡି, ଦୋକାନବଜାର, ପରିବା ମାର୍କେଟ ବନ୍ଦ ରହିଥିଲା। ସରକାରୀ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ରାଷ୍ଟାୟତ, ଆଞ୍ଚଳିକ ବ୍ୟାଙ୍କ, ଡାକଘର, ସହରର ସରକାରୀ ବେସରକାରୀ ସ୍କୁଲ, କଲେଜ ବନ୍ଦ ଥିବା ବେଳେ କ୍ରିୟାନୁଷ୍ଠାନ କମିଟିର ଯୁବକ ମାନେ ସ୍ଲୋଗାନ ଦେଇ ସହରରେ ବାଇକ ରାଲି କରିଥିଲେ।
ଆରଡି: କୋଟା ପ୍ରସଙ୍ଗକୁ ନେଇ କେତେକ ଦଳ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଆରଡିପୀଠରେ ଆଶିଂକ ଭାବେ ଦେଖା ଦେଇଥିଲା। ବିଏସପି ଦଳ ପକ୍ଷରୁ କର୍ମୀମାନେ ପିକେଟିଂ କରିବା ସହ କୋଟା ପ୍ରସଙ୍ଗକୁ ନେଇ ବ୍ୟାଙ୍କ, ପୋଷ୍ଟ ଅଫିସ ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ସହିତ ପ୍ରବେଶ ପଥ ନିକଟରେ ଦୀର୍ଘ ସମୟ ଧରି ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାସ୍ତାରେ ବସି ରହିବାରୁ ଉଭୟ ପାର୍ଶ୍ବରେ ଛୋଟବଡ ଗାଡି ଅଟକି ରହିଥିଲା।
ରାଇକିଆ: ଅନୁସୂଚିତ ଜାତି ଜନଜାତି ମିଳିତ ମଞ୍ଚର ପକ୍ଷରୁ ବୁଧବାର ଭାରତ ବନ୍ଦର ପ୍ରଭାବରେ ରାଇକିଆ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ସମସ୍ତ ଦୋକାନ ବଜାର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପୁର୍ବ ଦିନ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ଦ ନେଇ ପ୍ରଚାର କରାଯାଇଥିଲା। ଜରୁରୀ କାମରେ କାଁ ଭା ଦୁଇ ଚକିଆ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ଅନୁସୂଚିତ ଓ ଜାତି ଜନଜାତି ସଂରକ୍ଷଣକୁ ଗୋଟିଏ ପିଢି଼ରେ ସୀମିତ ରଖିବା ଏବଂ ସଂରକ୍ଷଣକୁ ପରୋକ୍ଷ ଭାବରେ ବନ୍ଦ କରିବା ଭଳି ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି। ବିସିକେସନ ପ୍ରଧାନ, ଭାସ୍କର ପ୍ରଧାନ, ବିସିକେଶନ ପ୍ରଧାନ, ମନୋଜ ଦିଗାଲ, ତୁମ୍ବେଶ୍ବର ମଲ୍ଲିକ, ଶଶାଙ୍କ ଶେଖର ଦିଗାଲଙ୍କ ସହ ବହୁ ସଦସ୍ୟ ସାମିଲ ଥିଲେ।
ଟିକାବାଲି: ଟିକାବାଲି ବ୍ଲକରେ ରାଷ୍ଟ୍ରିୟ ତଫସିଲଭୂକ୍ତ ଜନଜାତି, ତଫସିଲଭୂକ୍ତ ଜାତି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ଏକତା ପରିଷଦ ଦ୍ବାରା ଡାକରା ଦିଆଯାଇଥିବା ଭାରତ ବନ୍ଦର ଶାନ୍ତିପୂର୍ଣ୍ଣ ସଫଳ ହୋଇଛି। ଏହି ଡାକରାରେ ତଫସିଲଭୂକ୍ତ ଜାତି ଏବଂ ଜନଜାତି ଉପରେ (କ୍ରିମିଲେୟର) ଯେଉଁ ରାୟ ସୁପ୍ରିମକୋର୍ଟ ଦେଇଛନ୍ତି ତାହା ହଟାଇବା ନିମନ୍ତେ ଏବଂ ଜଙ୍ଗଲ, ଜଳ ଜମି ଏବଂ ବିସ୍ତାପିତ ଭାରତ ବନ୍ଦର ମୂଖ୍ୟ ଉଦ୍ଦେଶ୍ୟ ରହିଥିଲା। ଟିକାବାଲିରେ ଭାରତ ବନ୍ଦକୁ ସମସ୍ଥ ଗୋଷ୍ଠି ସହଯୋଗ କରିଥିଲେ ବିଶେଷ କରି କୁଇ ସମାଜ, ପାଣ ସମାଜ, କୁଲୁତା ସମାଜ, ସଂଖ୍ୟାଲଘୁ ସମାଜ, ବଣିକ ସଂଘ, ଡ୍ରାଇଭର ସଂଘ ଇତ୍ୟାଦି। ଆଜିର ଭାରତ ବନ୍ଦରେ ଟିକାବାଲିରେ ସପୂର୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି।
ଲାଞ୍ଜିଗଡ଼: ଉଚ୍ଚ ନ୍ୟାୟାଳୟ ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରେ ଥିବା ଆରକ୍ଷଣରେ ବର୍ଗିକରଣ, କ୍ରୀମିଲେୟର ବ୍ୟବସ୍ଥାରେ ବର୍ଗିକରଣ ଉପରେ ରାୟ ଦେଇଥିଲେ। ଏହାର ବିରୋଧରେ ଦେଶବ୍ୟାପୀ ବହୁଜନ ରାଜନୈତିକ ଓ ସାମାଜିକ ସଂଗଠନ ପ୍ରତିବାଦ କରି ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ। ଏହିକ୍ରମରେ କଳାହାଣ୍ଡି ଜିଲ୍ଲାର ବହୁଜନ ସଂଗଠନ ଗୁଡିକୁ ନେଇ ଗଠିତ ଏସଟି ଏସସି ଅଧିକାର ସୁରକ୍ଷା ମହାସଂଘ ଏହାର ନେତୃତ୍ୱ ନେଇଥିଲେ ଏବଂ ଲାଞ୍ଜିଗଡ଼ ବ୍ଳକର ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଏହାକୁ ସହଯୋଗ କରିଥିବା ବେଳେ ଲାଞ୍ଜିଗଡ଼ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳନ କରାଯାଇଛି । ଲାଞ୍ଜିଗଡ଼ ବେଦାନ୍ତ କାରଖାନା ସମ୍ମୁଖରେ ଏବଂ ଲାଞ୍ଜିଗଡ ସହରର ବିଭିନ୍ନ ଜାଗାରେ ରାସ୍ତା ଅବରୋଧ କରିଥିବା ବେଳେ ଲାଞ୍ଜିଗଡ ସହର ସମେତ ବେଦାନ୍ତ ଗେଟ ସାମ୍ନା, ଜଗନ୍ନାଥପୁର, ବଲଭଦ୍ରପୂର, ଆଶ୍ରମପଡାର ପ୍ରତ୍ୟେକ ଦୋକାନ ବଜାର, ବ୍ୟାଙ୍କ, ସ୍କୁଲ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସେହିପରି ବିଶ୍ଵନାଥପୁର ଠାରେ ଦୋକାନ ବଜାର, ବ୍ୟାଙ୍କ, ସ୍କୁଲ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ଓ ପୋଖରିବନ୍ଧ ଠାରେ ୬ ନମ୍ୱର ରାଜ୍ୟ ରାଜପଥକୁ ସକାଳ ୬ଟା ସମୟରୁ ଅବରୋଧ କରି ବନ୍ଦ ପାଳନ କରିଥିଲେ। ଏହା ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରିଥିଲେ। ବନ୍ଦ ପ୍ରଭାବରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ମଟର ଅଟକି ରହିଥିବା ବେଳେ ଯାତାୟତ ଠପ ହୋଇଯାଇଥିଲା।
ଜି.ଉଦୟଗିରି: ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି (ଏସ୍ସି,ଏସଟି) ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ‘ଭାରତ ବନ୍ଦ’ ଡାକରା ବୁଧବାର ଦିନ ଦିଆଯାଇଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ମଧ୍ୟ ପଡିଛି। ଏହି ବନ୍ଦକୁ ବିଭିନ୍ନ ଦଳିତ ଓ ପଛୁଆ ବର୍ଗ ସଂଗଠନ ସମର୍ଥନ କରି ସକାଳ ୬ଟାରୁ ସମର୍ଥନକାରୀ ଏକତ୍ରିତ ହୋଇ ସହରରେ ଦୋକାନ ବଜାର ବନ୍ଦ କରିବାକୁ କହିଥିଲେ। ବନ୍ଦକୁ ଦୃଷ୍ଟିରୁ ଆଜି ଜି.ଉଦୟଗିରି ଅଞ୍ଚଳରେ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହିତ ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଥିଲା।
ପାଟଣା: ସର୍ଵ ଭାରତୀୟ ମିଳିତ ଆଦିବାସୀ ମହାସଂଘ ଡ଼ାକରାରେ ଆଜି ପାଟଣା ବ୍ଲକ ଅଞ୍ଚଳର ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ପାଟଣାରେ ଭାରତ ବନ୍ଦର ନେତୃତ୍ୱ ନେଇଥିବା ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ତଥା ଆଦିବାସୀ ନେତା ଗୌରହରି ନାଏକ ଓ ଅନ୍ୟମାନେ ପାଟଣା ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥ ଓ ପାଟଣା-କେନ୍ଦେଇପଶି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ପାଇଁ ଚାଳକ ମାନଙ୍କୁ ଅପିଲ କରିବା ସହ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଆଇସିଡିଏସ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ସମବାୟ ବ୍ୟାଙ୍କ ଓ କୃଷି ବିଭାଗ କାର୍ଯ୍ୟାଳୟ ଆଦି ବନ୍ଦ କରାଇଥିଲେ। ସେହିପରି ତୁରୁମୁଙ୍ଗାରେ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିଥିବା ବେଳେ ୪୯ ନଂ ଜାତୀୟ ରାଜପଥରେ ମଧ୍ୟ ଯାନବାହାନ ଚଳାଚଳ ହ୍ରାସ ଥିବା ଦେଖାଯାଇଥିଲା। ଅଧିକାଂଶ ଯାତ୍ରୀବାହି ବସ୍ ଆଜି ଗନ୍ତବ୍ୟ ସ୍ଥଳ ଯାଇନଥିବା କାରଣରୁ କମ ସଂଖ୍ୟକ ଯାତ୍ରୀବାହି ବସ୍ ଆଜି ରାସ୍ତାରେ ଚଳାଚଳ କରୁଥିବା ଦେଖାଯାଇଥିଲା।
ଆଠଗଡ: ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣରେ ବର୍ଗିକରଣ ସମ୍ପର୍କିତ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ବିରୋଧରେ ବୁଧବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ଆଠଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ସମର୍ଥନ ଞାପନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆମ୍ବେଦକର ଭବନଠାରୁ ପରିଷଦର ଶତାଧିକ ସଦସ୍ୟ ହାତରେ ପ୍ଲାକାର୍ଡ ଧରି ସ୍ଳୋଗାନ ଦେଇ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ନାରକପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶୁଭକଲ୍ୟାଣୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ବନ୍ଧରେ ଦେଇଥିବା ଆଦେଶକୁ ବାତିଲ କରିବା ନିମନ୍ତେ ନିବେଦନ, ଆଗାମୀ ପାର୍ଲିଆମେଣ୍ଟ ଅଧିବେଶନରେ ଏହି ଆଇନର ପୁନଃର୍ବିଚାର କରି ପୂର୍ବ ପରି ସଂରକ୍ଷଣ ପ୍ରଦାନ କରିବା, ଘରୋଇ ଶିଳ୍ପ ସଂସ୍ଥା, ଠିକା ଏଜେନ୍ସି ନିଯୁକ୍ତିରେ ସଂରକ୍ଷଣ ଲାଗୁ କରାଯାଉ, ଅନୁସୂଚିତ ଜାତି ଜନଜାତି ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଉ, ଏସି-ଏସଟି ସଂରକ୍ଷଣକୁ ସମ୍ବିଧାନର ୯ମ ଅନୁସୂଚିରେ ଅନ୍ତର୍ଭୁକ୍ତ କରାଯିବା ପ୍ରଭୃତି ଦାବି ନେଇ ସ୍ନାରକପତ୍ର ପ୍ରଦାନ କରିଥିଲେ। ଆଠଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ଅରୁପାନନ୍ଦ ମଲ୍ଲିକ, ନିରଞ୍ଜନ ନାଏକ, ଜଗବନ୍ଧୁ ମଲ୍ଲିକ, ପବିତ୍ର ଦେହୁରୀ, କାଳିକା ବେହେରା, ପ୍ରଭାତି ଦେହୁରୀଙ୍କ ସମେତ ବହୁ ଦଳିତ ନେତା ଉପସ୍ଥିତ ଥିଲେ।
ରେଙ୍ଗାଲିକ୍ୟାମ୍ପ: ନିକଟରେ ଗତ ଅଗଷ୍ଟ ୧ ତlରିଖରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ। ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତ ମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ରାୟ ଶୁଣାଇଥିଲେ। ଯାହାକୁ ବିରୋଧ କରି ଆଜି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ଏଥିରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ଅତାବିରା ଏସସି ଓ ଏସଟି ମିଳିତ ମଞ୍ଚ ପକ୍ଷରୁ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲେ। ପିକେଟିଂ ମାଧ୍ୟମରେ ସ୍କୁଲ, କାର୍ଯ୍ୟାଳୟ ଓ ବ୍ୟାଙ୍କ ଗୁଡିକୁ ବନ୍ଦ କରାଯାଇଥିଲା। ଏହାସହ ବସଷ୍ଟାଣ୍ଡ ଛକରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା। ଉଭୟ ସରକାର ଓ ସୁପ୍ରିମକୋର୍ଟର ରାୟକୁ କଡା ସମାଲୋଚନା କରିଥିଲେ। ଏହି ବନ୍ଦ ଡାକରା ଫଳରେ ଅତାବିରାର ସମସ୍ତ ଦୋକାନ, ବଜାର, ବ୍ୟାଙ୍କ, କାର୍ଯ୍ୟାଳୟ ବନ୍ଦ ରହିବା ସହ ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା। ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିଲେ।
ଫୁଲବାଣୀ: ବୁଧବାର ଭାରତ ବନ୍ଦର ପ୍ରଭାବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲାରେ ଦେଖିବାକୁ ମିଳିଛି। ବନ୍ଦ ଡ଼ାକରା ଫଳରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ବ୍ୟାଙ୍କ, ସ୍କୁଲ, କଲେଜ ଓ ବହୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ସେହିଭଳି ଗାଡ଼ି ମୋଟର ଚଳାଚଳ ସଂପୂର୍ଣ୍ଣଭାବେ ବନ୍ଦଥିଲା। ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆନ୍ଦୋଳନ କାରୀ ମାନେ ମାଦିକୁନ୍ଦା ଛକ ସମତେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ରାସ୍ତାରେ ଟାୟାର ଜାଳିଥିବା ଯୋଗୁଁ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇ ପଡ଼ିଥିଲା।
Comments are closed.