ଶିକ୍ଷା ସଚେତନତା ରଥ ପରିକ୍ରମାର ଉଦ୍‍ଘାଟନ

ଆଠଗଡ :  ଚଳିତ ଏପ୍ରିଲ ମାସ ୨୦-୩୦ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ନାମଲେଖା ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ସରକାରୀ ବିଦ୍ୟାଳୟ ଗୁଡିକରେ ବିଦ୍ୟାର୍ଥୀଙ୍କ ଉପସ୍ଥାନ ହାର ଶତ ପ୍ରତିଶତ ବୃଦ୍ଧି ନିମନ୍ତେ ଅଭିଭାବକଙ୍କୁ ଅଭିପ୍ରେରିତ କରିବା ନିମନ୍ତେ ଶିକ୍ଷା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି । ବୁଧବାର ସକାଳେ ସ୍ଥାନୀୟ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିକ୍ଷା ସଚେତନତା ରଥ ପରିକ୍ରମାକୁ ଉଦ୍‍ଘାଟନ କରିଥିଲେ। ଆଠଗଡ ବ୍ଲକର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ନାମଲେଖା ପାଇଁ ଆସନ୍ତା ୩ଦିନ ମଧ୍ୟରେ ସମଗ୍ର ବ୍ଲକ ଅଞ୍ଚଳରେ ଜନସେଚେତନତା ପାଇଁ ଏହି ଶିକ୍ଷାରଥ ପରିକ୍ରମା କରିବ। କରୋନା ସମୟରେ କ୍ଷତି ହୋଇଥିବା ଶିକ୍ଷାଦାନ କାର୍ଯ୍ୟକ୍ରମର ଭରଣା କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ତରିକତାର ସହ ଉଦ୍ୟମ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ମଣ୍ଡଳ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ତହସିଲଦାର ପ୍ରିୟବ୍ରତ ଦାସ, ଏନଏସି ନଗରପାଳ ସସ୍ମିତା ରାଉତ, ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ନବକିଶୋର ସାହୁ, ପାରିଷଦ ରାକେଶ ଭକ୍ତା, ବିଶ୍ୱନାଥ ଆଦର୍ଶ ଉପ୍ରା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଣତି ପଣ୍ଡା, ପ୍ରଧାନଶିକ୍ଷକ ଭୁବନ ରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଶିକ୍ଷକ ନୀଳମଣି ନାୟକ, ପ୍ରଧାନ ଶିକ୍ଷକ ପର୍ଶୁରାମ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଆଠଗଡ ଏନଏସି ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

kalyan agarbati

Comments are closed.