www.samajalive.in
Saturday, December 6, 2025
14.1 C
Bhubaneswar

ସମ୍ପାଦକୀୟ: ପଞ୍ଜାବ ବନ୍ୟା

ପଞ୍ଜାବ, ଯାହାକୁ କି ଭାରତର ଶସ୍ୟ ଭଣ୍ଡାର କୁହାଯାଏ, ସେଠାରେ ଚଳିତ ବର୍ଷ ଦେଖା ଦେଇଥିବା ଭୟଙ୍କର ବନ୍ୟା ରାଜ୍ୟର କୃଷିକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। କୁହାଯାଉଛି ଏହି ବନ୍ୟା ୧୯୮୮ ପରଠାରୁ ସର୍ବବୃହତ୍ । ଲାଗୁଛି ସତେ ଯେମିତି ପ୍ରକୃତି ରୁଷ୍ଟ ​‌େ​‌ହାଇଯାଇଛି। ଏହି ବିପର୍ଯ୍ୟୟ ହଜାର ହଜାର ଚାଷୀଙ୍କ ଜୀବନ ଜୀବିକାକୁ ଉଜାଡି ଦେଇଛି, ଯାହା ଚଳିତ ଖରିଫ ଋତୁରେ ଧାନ ଉତ୍ପାଦନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ପ୍ରଭାବ କେବଳ ପଞ୍ଜାବ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଉପରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବାର ଆଶଙ୍କା ରହିଛି। ପଞ୍ଜାବ ପିଡ଼ିଏସ୍‌କୁ ସର୍ବାଧିକ ଯୋଗଦାନକାରୀ ରାଜ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ, ଏଣୁ ଏହି ବନ୍ୟା ଦେଶର ଖାଦ୍ୟ ଯୋଗାଣ ଶୃଙ୍ଖଳା ପାଇଁ ଏକ ଚିନ୍ତାର ବିଷୟ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ସମଗ୍ର ପଞ୍ଜାବରେ ଅତିକମ୍‌ରେ ୪ ଲକ୍ଷ ହେକ୍ଟର ଧାନଜମି ବନ୍ୟା ଜଳରେ ବୁଡ଼ି ରହିଛି। ଅମୃତସର, ତରନତାରନ, ଗୁରଦାସପୁର ଏବଂ ଫିରୋଜପୁର ଭଳି ପ୍ରମୁଖ ଧାନ ଉତ୍ପାଦନକାରୀ ଜିଲା ଅତ୍ୟଧିକ ପ୍ରଭାବିତ ହୋଇଛି। ବିଶେଷଜ୍ଞମାନଙ୍କ ମତରେ, ଯଦି ପାଣି ଏକ ସପ୍ତାହରୁ ଅଧିକ ସମୟ ଧରି କ୍ଷେତରେ ରହେ, ତେବେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି। ଏହା କେବଳ ଉତ୍ପାଦନ ହ୍ରାସ କରିବ ନାହିଁ, ବରଂ ଫସଲର ଗୁଣବତ୍ତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ। ଫଙ୍ଗସ୍ ସଂକ୍ରମଣର ଆଶଙ୍କା ଯୋଗୁଁ ଅମଳ ହେବାକୁ ଥିବା ଧାନ ମଧ୍ୟ ନିମ୍ନମାନର ହୋଇପାରେ।

ଫଳସ୍ୱରୂପ ଚଳିତ ବର୍ଷ ଧାନ ଉତ୍ପାଦନ ଏବଂ ସଂଗ୍ରହ ଉଭୟରେ ହ୍ରାସ ଘଟିବ। ଜାତୀୟ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଏହା ଏକ ଗଭୀର ଚିନ୍ତାର ବିଷୟ। ପଞ୍ଜାବ ଭାରତର ମୋଟ ଚାଉଳ ଉତ୍ପାଦନର ୧୨% ଯୋଗାଇଥାଏ ଏବଂ ପିଡ଼ିଏସ୍‌କୁ ଏକ ବଡ଼ ଅଂଶ ଦେଇଥାଏ। ଯଦି ପଞ୍ଜାବର ଧାନ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟେ, ତେବେ ଏହା ପିଡିଏସ୍ ମାଧ୍ୟମରେ ଦେଶର କୋଟି କୋଟି ଗରିବ ଲୋକଙ୍କୁ ପ୍ରତିମାସରେ ଦିଆଯାଉଥିବା ମାଗଣା ଖାଦ୍ୟଶସ୍ୟ ଯୋଗାଣ ଉପରେ ପ୍ରଭାବ ପକାଇବ।ବର୍ତ୍ତମାନ କେନ୍ଦ୍ରୀୟ ପୁଲ୍‌ରେ ଚାଉଳ ମହଜୁଦ ଅଧିକ ଥିଲେ ମଧ୍ୟ, ଏଭଳି ଏକ ଅଧିକ ଉତ୍ପାଦନକ୍ଷମ ବଡ଼ ରାଜ୍ୟରୁ ଯୋଗାଣ ହ୍ରାସ ପାଇଲେ ଦୀର୍ଘକାଳୀନ ଭାବେ ଏହା ଦେଶର ଖାଦ୍ୟ ସୁରକ୍ଷା ପ୍ରତି ଏକ ବିପଦ ସୃଷ୍ଟି କରିବ। ଏହି ସଙ୍କଟ ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କେନ୍ଦ୍ର ସରକାର ଉଦ୍ଧାର କାର୍ଯ୍ୟ ପାଇଁ ଦୁଇଟି ଉଚ୍ଚସ୍ତରୀୟ ଦଳ ପଠାଇଛନ୍ତି। ତଥାପି କେବଳ ଉଦ୍ଧାର କାର୍ଯ୍ୟ ଯଥେଷ୍ଟ ନୁହେଁ। ଚାଷୀମାନଙ୍କୁ ସ୍ୱଳ୍ପକାଳୀନ, ମଧ୍ୟମକାଳୀନ ଏବଂ ଦୀର୍ଘକାଳୀନ ସହାୟତା ଯୋଗାଇବା ଆବଶ୍ୟକ। କ୍ଷତିଗ୍ରସ୍ତ ଫସଲ ପାଇଁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା, ପୁନଃ ଚାଷ ପାଇଁ ଆବଶ୍ୟକ ସହାୟତା ଯୋଗାଇବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ରାଜ୍ୟରେ ଫସଲ ବୀମା ଯୋଜନା ଲାଗୁ କରିବାକୁ ପୁନର୍ବିଚାର କରିବା ସମୟର ଆବଶ୍ୟକତା। ଚାଷୀମାନେ ଏହି ବିପର୍ଯ୍ୟୟ ସତ୍ତ୍ୱେ ହାର ମାନିନାହାନ୍ତି। ଅନେକ ଚାଷୀ ପାଣି କମିବା ପରେ ବିଳମ୍ବିତ ଖରିଫ ଧାନ ଚାଷ କରିବାକୁ ଅପେକ୍ଷା କରିଛନ୍ତି। ଏହା ସେମାନଙ୍କ ଦୃଢ଼ତାକୁ ଦର୍ଶାଉଛି, କିନ୍ତୁ ସରକାରଙ୍କ ତରଫରୁ ସହାୟତା ବିନା ଏହା କଷ୍ଟକର ହେବ।

- Advertisement -

କୃଷି ଅର୍ଥନୀତିଜ୍ଞମାନେ ଧାନ ଦର ବୃଦ୍ଧି ନେଇ ମଧ୍ୟ ଚିନ୍ତିତ, ଯାହା ଶେଷରେ ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ। ଏହି ବନ୍ୟା ପଞ୍ଜାବ ଏବଂ ଦେଶ ପାଇଁ ଏକ ଶିକ୍ଷା। ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢୁଥିବାରୁ, ଭବିଷ୍ୟତରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ଅଧିକ। ତେଣୁ, ଆମର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଧିକ ସୁଦୃଢ଼ ଯୋଜନା ପ୍ରସ୍ତୁତ କରିବା, ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ମଜଭୁତ କରିବା ଏବଂ ଚାଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଫସଲ ବୀମା ଭଳି ଯୋଜନାଗୁଡ଼ିକୁ ସମଗ୍ର ଦେଶରେ ପ୍ରଭାବଶାଳୀ ଭାବେ ଲାଗୁ କରିବା ଅତ୍ୟନ୍ତ ଜରୁରୀ। ତେବେ ହିଁ ଆମେ ଭବିଷ୍ୟତରେ ଏଭଳି ଆହ୍ୱାନର ସାମନା କରିପାରିବା ଏବଂ ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିପାରିବା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories