କିଏ ବା ଅଛି କେଉଁ ମତେ
ଦାୟିତ୍ବ ନେବା ବା ଦାୟିତ୍ବ ମୁଣ୍ଡାଇବା ଏକ ସହଜ ବ୍ୟାପାର ନୁହେଁ। ତେଲଲୁଣ ସଂସାରରେ, ଯାହିତାହି ପେଟ ନିଜେ ପୂରାଉଥିବା ଓ ଅନ୍ୟ ନିର୍ଭରଶୀଳଙ୍କ ଭୋକକୁ ସେମିତି ନିଷ୍ଠୁର ଓ ଅବିଚାର ଭାବେ ମାରୁଥିବା ଲୋକଟିଏ, ମୂଲିଆ, ଠିକାଶ୍ରମିକ କି ଡାକୁଆ ଆଦି ସ୍ତରର ହୋଇପାରେ। ମାତ୍ର ନିର୍ମାଣ, ଗଠନ ଓ ପରିଚାଳନା ଦକ୍ଷତା, ସାଧୁତା, ନିଷ୍ଠା ବା ଭେଜାର ଉପାଦାନ ତାଙ୍କର କାଇଁ? ଆଠଗଡ଼ ରଜାଙ୍କର ଜଣେ ଦେହଲଗା ଭୃତ୍ୟ ଥିଲା ଭମରା। ରାଜାଙ୍କର ଢେର ପ୍ରିୟ ଓ ବିଶ୍ବସ୍ତ। ବଡ଼ିଭୋରରୁ ମଣିମାଙ୍କ ପହଡ଼ ନ ଭାଙ୍ଗିବା ଆଗରୁ ହାଜର ଯେ, ରାତିରେ ମଣିମା ପହଡ଼ ପଡ଼ିବା ପରେ ଘରକୁ ଫେରେ। ଯାବତୀୟ ବୋଲହାକ କାର୍ଯ୍ୟ ମଣିମାଙ୍କର କରେ। ଅଠରଘଣ୍ଟା ଖଟଣି ଜାଣ। ଦିନେ ଏକ ହାଲ୍କା ମୁହୂର୍ତ୍ତରେ ହାତଯୋଡ଼ି ମଣିମାଙ୍କୁ କହିଲା, ‘ହଜୁର, ମୁଣ୍ଡ ରଖିଲେ ତୁଣ୍ଡ କହିବ। ମଣିମାଙ୍କ ସେବାରେ ମୋର ମୁଣ୍ଡବାଳ ପାଚିଗଲାଣି। ସାରାଜୀବନ ଏଇ ସେବାରେ ଏ ଜୀବନ ଲାଗିଛି। ମାତ୍ର ହଜୁର ଏ ସେବକକୁ ମାସକୁ ମାତ୍ର ପାଞ୍ଚଟଙ୍କା ଦେଉଛନ୍ତି। ମାତ୍ର ଦିନ ଦଶଟା କି ଏଗାରଟାରେ ମନ୍ତ୍ରୀ (ଦେବାନ) ସାଇବ ଘୋଡ଼ାରେ ପହଞ୍ଚୁଛନ୍ତି, ସେ ଘୋଡ଼ା ଓ ତା’ ଖର୍ଚ୍ଚ ବି ମଣିମା ରାଜକୋଷରୁ ଦେଉଚନ୍ତି। ଅତି ବେଶୀରେ ତିନିଚାରି ଘଣ୍ଟା ସେ ଦରବାରରେ ଉପସ୍ଥିତ ରହି ଘରକୁ ଚାଲିଯାଆନ୍ତି। ମାତ୍ର ମଣିମା ତାଙ୍କୁ ମାସିକ ଦୁଇ ଶହ ଟଙ୍କା ଦିଅନ୍ତି। ହଜୁର ଦିନରାତି ଖଟଣିର ପାଞ୍ଚଟଙ୍କା ଓ ତିନିଚାରି ଘଣ୍ଟା କଥାବାର୍ତ୍ତାରେ ଚାଳିଶଗୁଣ ଅଧିକା ଦରମା!! ହଜୁରଙ୍କ କୃପାଦୃଷ୍ଟି ଏ ଅଧୀନ ଉପରେ ପଡ଼ନ୍ତାନି?’ ଏତିକି ସିନା ଭମରା କହିଦେଲା, ହେଲେ ମୁଣ୍ଡରୁ ପାଦଯାଏ ଝାଳରେ ବୁଡ଼ିଗଲା। ରଜା କହିଲେ, ‘ଆଚ୍ଛା ବୁଝିବା।’ ଦିନ ଗଡ଼ିଗଲା। ଏ କଥା ବି କୁଆଡ଼େ ହଜିଗଲା ନା କ’ଣ ବୋଲି ଭମରା ଭାବିଲା। ହଉ ତା ଭାଗ୍ୟ! ଦିନେ ଖବର ମିଳିଲା, କନ୍ଦରପୁରରେ ବଡ଼ ଡଙ୍ଗା ଲାଗିଛି। କନ୍ଦରପୁର ଆଠଗଡ଼ରୁ ୭/୮ ମାଇଲ। ରଜା ଭମରାକୁ ପଠେଇଲେ ବୁଝିଆସିବାକୁ ଡଙ୍ଗା ଲାଗିବା କଥା। ମଣିମାଙ୍କ ଆଦେଶ, ଭମରା ଧାଇଁଲା। ତା’ର ଘୋଡ଼ା କାଇଁ ଯେ ଯିବ! ସତକୁ ସତ ବଡ଼ ଡଙ୍ଗାଟେ ଲାଗିଛି। ସେ ଫେରି ଆସି ମଣିମାଙ୍କୁ କହିଲା, ‘ହଜୁର, ସତ କଥା। ବଡ଼ ଡଙ୍ଗାଟେ ଲଙ୍ଗର ପକେଇଛି।’ ରଜା ପଚାରିଲେ, ‘ଆରେ, ସେ କେବେଠୁ ଆସିଲାଣି?’ ଭମରା ତ ବୁଝି ନଥିଲା, ଏ କଥା ଶୁଣି ଧାଇଁଲା। ବୁଝିଲା ଗତ ବୁଧବାରଠୁ ଆଜିକୁ ଦି’ଦିନ ହେଲା। ପୁଣି ଧାଇଁ ମଣିମାଙ୍କୁ କହିଲା, ‘ଆଜ୍ଞା ! ଦି ଦିନ ହେଲାଣି।’ ‘ଆରେ ସେମାନେ କୋଉଠୁ ଆସିଛନ୍ତି?’ ସେ ତା’ ବୁଝିନଥିଲା। ପୁଣି ଧାଇଁଲା। ଏମିତି ପ୍ରାୟ ୩୦/୪୦ମାଇଲ ଧାଇଁ ସେ ଚେତାବୁଡ଼ା ପ୍ରାୟ ହୋଇ ପଡ଼ିଗଲା। ରଜାଙ୍କ ପ୍ରଶ୍ନ ଆଉ ଶୁଣିବାକୁ ସତରେ ଯେମିତି ତା’ ଦିହରେ ପ୍ରାଣ ନାହିଁ। ରଜାଙ୍କର ଦୟା ହେଲା। ତାକୁ ପାଣିଫାଣି ପେଇବାକୁ ଆଦେଶ ଦେଲେ। ଠିକ୍ ଏତିକିବେଳେ ଦେବାନ ପହଞ୍ଚିଗଲେ। ଭମରାର ଏ ଦଶାଦେଖି କିଛି ପଚାରିବା ପୂର୍ବରୁ ରାଜା ଦେବାନଙ୍କୁ କହିଲେ, ‘କନ୍ଦରପୁରରେ ଗୋଟେ ଡଙ୍ଗା କଣ ଲାଗିଛି, ଖବର ନେବେ।’ ଏତିକିରେ ଦେବାନ ଘୋଡ଼ା ଛୁଟାଇଲେ ନିଜେ। ସେଠି ପହଞ୍ଚି ଡଙ୍ଗା ବିଷୟରେ ବୁଝି ରଜାଙ୍କୁ କହିଲେ, ‘ଏ ଡଙ୍ଗା ଗତ ଗୁରୁବାର ରାତିରୁ ଏଠାରେ ପହଞ୍ଚିଛି, ସେଥିରେ ସ୍ତ୍ରୀ ଓ ପୁରୁଷ ମିଶି ବାରଜଣ ଅଛନ୍ତି। ସେମାନେ ‘ଗୁଡ଼’ ବ୍ୟବସାୟ କରନ୍ତି। ପ୍ରାୟ ଦଶମହଣ ଗୁଡ଼ ତାଙ୍କର ଅଛି। କିଣା ଦରରେ ବିଶା କୋଡ଼ିଏ ଟଙ୍କା ହେବ। ଆମ ରାଜ୍ୟ ଶୁଳ୍କ ବାଦେ ସେମାନେ ଦେଢ଼ଶହ ଟଙ୍କା ଦେବେ ଓ ଆମେ ଆଦାୟ କରି ଆଣିଚେ’ ଇତ୍ୟାଦି ଇତ୍ୟାଦି। ପାଞ୍ଚ ମିନିଟରେ ଦେବାନ ଯାବତୀୟ ତଥ୍ୟ ରଜାଙ୍କୁ ଦେଇଦେଲେ। ଏ କଥା ମୂଳରୁ ଶେଷଯାଏ ଧକଉଥିବା ଭମରା ଶୁଣୁଥାଏ। ମନେପଡ଼ିଗଲା ତା’ର ପାଞ୍ଚଟଙ୍କା ଓ ଦେବାନଙ୍କ ଦୁଇଶହ ଟଙ୍କା ଆପତ୍ତି କଥା। ଭାବିଲା, ସତରେ ସେ ଦେବାନଙ୍କ କୁଠିକି ବି ସରି ନୁହଁ। ଗୋଡ଼ତଳେ ପଡ଼ିଗଲା ରାଜାଙ୍କର, କ୍ଷମାମାଗିଲା। ଦେବାନ ସବୁ ଶୁଣି ହସିଲେ ଓ ଭମରାର ଦରମା ପାଞ୍ଚ ଟଙ୍କାରୁ ଦଶ ଟଙ୍କା କରିଦେବାକୁ ରାଜାଙ୍କୁ ଅନୁରୋଧ କଲେ। ରାଜା ବି ଗ୍ରହଣ କଲେ। ଇୟେ ହେଲା ଭେଜା କଥା କେବଳ ନୁହଁ; ସାଧୁତା ଓ ନିଷ୍ଠାର କଥା।
ସେମିତି କ୍ଷମତାଶାଳୀ ସମ୍ରାଟର ନିଆରା ହୃଦୟର କଥାଟେ ମନେପଡ଼େ। ସମ୍ରାଟ ସାହାଜାହାନଙ୍କ ସ୍ତ୍ରୀ ବେଗମ ସାହିବା ଧନୁଶର ମରା ଶିଖୁଥାନ୍ତି। ହଠାତ୍ ଶରଟା ଲକ୍ଷ୍ୟଭ୍ରଷ୍ଟ ହୋଇ ବଗିଚା ଟବକାରୁ ପାଣି ନେଉଥିବା ମାଳୀ ଛାତିରେ ବିଦ୍ଧ ହୋଇଗଲା। ସେଇଠି ମାଳୀ ଟଳିପଡ଼ିଲା। ତେବେ ଇଏ କୋଉ ଆମତମ କଥା ହୋଇଛି? ବେଗମ ସାଇବାଙ୍କ କଥା। ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାଇଲେ ଦୋଷ ନାହିଁ। କଥାଟା ସେମିତି ପବନରେ ଉଡ଼ିଯାଇଥିଲା ଜାଣ। ମନ୍ତ୍ରୀ, ମହାମନ୍ତ୍ରୀ ବିଧବା ମାଲୁଣୀର ଦୁଃଖ, ଆପତ୍ତି କେହି ଶୁଣିଲେନି। ବରଂ ନାଲିଆଖି ଦେଖାଇଲେ। ‘ବେଗମ ସାହିବାଙ୍କ ନାଁରେ ହତ୍ୟା ଅଭିଯୋଗ କରୁଛୁ, ତୋର ସାହସ କିଛି କମ୍ ନୁହଁ?’ ଇତ୍ୟାଦି। ସେ କିନ୍ତୁ ଭରା ଦରବାରରେ ବସିଥିବା ସମ୍ରାଟଙ୍କୁ ଏ ଦାରୁଣ ଦୁଃଖ ଜଣାଇଲା। ସମ୍ରାଟ ପରଦିନକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରି ବେଗମ ସାହିବାଙ୍କୁ ଦରବାରରେ ହାଜିର ହେବାକୁ ପରୱାନା ପଠାଇବାକୁ ମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ। ବଡ଼ ବିସ୍ମୟକର ଘଟଣା ଘଟିଗଲା। ବେଗମ ସାହିବାଙ୍କୁ ପରୱାନା ଜାରି କରିବାକୁ କାହା କଲିଜାରେ ପାଣି ଅଛି? ଖୋଦ ମନ୍ତ୍ରୀ (ଦେବାନ) ଅମଙ୍ଗ ହେଲେ। ପରଦିନ ଶୁଣାଣି ପାଇଁ ମାଲୁଣୀ ହାଜର୍ ହେଲା। ମାତ୍ର ‘ମୁଦାଲା’ କାଇଁ? ସମ୍ରାଟଙ୍କ ଆଦେଶ ଦେବାନଙ୍କଠୁ ଅର୍ଦ୍ଦଳିଯାଏ କେହି ଶୁଣିଲେନି। କହିଲେ, ‘ଏଇଟା ରାଜ୍ୟର ଇଜ୍ଜତର କଥା, ବେଗମ ସାହିବା ହାଜିର ହେବେ!!!’ ସେ କ’ଣ ଜାଣିଶୁଣି ମାରିଛନ୍ତି? ମାଲୁଣୀକୁ କିଛି କ୍ଷତିପୂରଣ ଦିଆଯାଇପାରେ।’ ଚାକିରି ଯାଉ ପଛେ ଆମେ ଏ ଅନ୍ୟାୟ ଆଦେଶ ମାନିବୁନି। ଆଜିକାଲି ପରି ଏପରି ଖୋସାମତିଆ ବି ସେତେବେଳେ ଥିଲେ। ସମ୍ରାଟ ଭାବିବେ, ସତରେ ଏ କର୍ମଚାରୀଗୁଡ଼ାଙ୍କର ବେଗମ ସାହିବାଙ୍କ ପ୍ରତି କେତେ ସମ୍ମାନ ଓ ଶ୍ରଦ୍ଧା। ମାତ୍ର ବ୍ୟସ୍ତ ହୋଇପଡ଼ିଲେ ବାଦଶାହା। କହିଲେ, ‘ଦେଖ, ତୁମ ସ୍ବାମୀର ହତ୍ୟାକାରୀକୁ ଅଦାଲତରେ ହାଜର କରାଇବାରେ ଅକ୍ଷମ ହେଲି। ମନ୍ତ୍ରୀ ତଥା ଏ ରାଜକର୍ମଚାରୀମାନଙ୍କ ଆଚରଣ ଓ ପ୍ରତିକ୍ରିୟା ଅବାଞ୍ଛିତ, ଅନ୍ୟାୟ ଓ ଦଣ୍ଡନୀୟ। ମାତ୍ର ମୁଁ ଜଣେ କ’ଣ କରିପାରିବି? ତେବେ ସମ୍ରାଟ ଓ ବିଚାରପତି ଆସନରେ ବସିଥିବାରୁ ମୁଁ ତମକୁ ନ୍ୟାୟ ଦେବାକୁ ବାଧ୍ୟ।’ ଏ କଥା କହି ସମ୍ରାଟ ବାଦଶାହ ସ୍ବୟଂ ସିଂହାସନରୁ ତଳକୁ ମାଲୁଣୀ ପାଖକୁ ଆସିଲେ। ତୂଣୀରରୁ ତଲବାର ହଠାତ୍ ବାହାର କରି ଆଣି ଦୁଇ ହାତରେ ତାକୁ ଧରି, ମାଲୁଣୀ ହାତକୁ ବଢ଼ାଇ ଦେବାବେଳେ କହିଲେ, ‘‘ଦେଖ, ତୁମକୁ ମୁଁ ଏ ବିଚାର ଦେଉଛି। ତୁମକୁ ସେ ବିଧବା କରିଦେଲେ, ତମେ ତାଙ୍କୁ ବିଧବା କରିଦିଅ’’ କହି, ମାଲୁଣୀ ଆଗରେ ଭାରତର ସମ୍ରାଟ ଆଣ୍ଠୁଭାଙ୍ଗି, ମୁଣ୍ଡ ନୋଇଁ ବସିପଡ଼ିଲେ।’ ସ୍ତବ୍ଧ ହୋଇଗଲା ଦରବାର। ମାଲୁଣୀ ସମ୍ରାଟଙ୍କର ଏ ଅସମ୍ଭବ ଉଦାରତା ଓ ନ୍ୟାୟପରାୟଣତାରେ ଦ୍ରବୀଭୂତ ହୋଇଗଲା, କଇଁ କଇଁ ହୋଇ କାନ୍ଦି ସମ୍ରାଟଙ୍କ ପାଦତଳେ ପଡ଼ିବାବେଳେ କହୁଥାଏ, ‘ଜାହାପନା ମୁଁ ଜନ୍ମଜନ୍ମ ଧରି ବୈଧବ୍ୟ ପାଇଁ ପ୍ରସ୍ତୁତ, କିନ୍ତୁ ଆପଣଙ୍କ ଭଳି ଦେବତା ଏ ଦେଶକୁ ମିଳୁଥାଉ।’ ପାଦତଳେ ପଡ଼ିବାକୁ ନ ଦେଇ ସାମାନ୍ୟ ମାଲୁଣୀକୁ ଖୋଲା ଓ ଭରା ଦରବାରରେ ସମ୍ରାଟ ତାକୁ କୁଣ୍ଢେଇ ପକେଇଲେ। ଓଃ, କି ଦୃଶ୍ୟ, କି ଭାବ ସତରେ!!
କ୍ଷମତା, ନେତୃତ୍ବର ଏବେ ଯେଉଁ କନ୍ଦଳ ଚାଲିଛି, ଗଣତନ୍ତ୍ର ନାମରେ ଯେଉଁ ଭାଣ୍ଡତନ୍ତ୍ର ଏଠି ଚାଲିଛି ଓ ବେପାରପତ୍ର ବନ୍ଧୁମାନେ ମଧ୍ୟ ଢେର ଖୋଲାଖୋଲି ଯେପରି ତାହା ପ୍ରକାଶ କରୁଛନ୍ତି ସେ ସବୁ ପାଠ କରି ମନକୁ ଏ କଥା ସବୁ ଆସୁଛି। ଆରେ (ଜନମତ) ଭୋଟ ପାଇଁ ଏମାନେ ରାଜା କ୍ଷମତାର ଅଧିକାରୀ ହେଉଛନ୍ତି, ମୁଖ୍ୟମନ୍ତ୍ରୀ ହେଉଛନ୍ତି, କେନ୍ଦ୍ରମନ୍ତ୍ରୀ ହେଉଛନ୍ତି। ନାଲିବତି ଗାଡ଼ିରେ, ବ୍ଲାକ୍ କ୍ୟାଟ୍ଙ୍କ ଘେରରେ, ଫୁଲମାଳ ତୋଡ଼ାରେ ଓ କ୍ଷମତାରେ ସ୍ବର୍ଗର ଇନ୍ଦ୍ରଙ୍କୁ ବି ବଳିଯାଉଛନ୍ତି। ଦେଖୁନା ଜଣେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା (ଘର) ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ। ଆରେ ଏଗୁଡ଼ା କିଏ କି? ବୋପା ପଇସା, ନା ଘର? ପାର୍ଲାମେଣ୍ଟ ତ ଇନ୍ଦ୍ରଭବନ। ଦେବତାମାନେ ସେଠି ବସିବେ? ଏତିକି ଗୁଡ଼େ ଟଙ୍କା ଖର୍ଚ୍ଚ, କି ଗାଲିଚା ଲୋ ବୋପା! ଏବେ ବି ଜନତାର ଜିନ୍ଦାବାଦର ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଜିଅଲ ଖଟୁଚନ୍ତି। ତେବେ ଲାଜ ଏଙ୍କୁ ନ ଲାଗିବା କଥା। ଚୋରକୁ କୋଉ ଲାଜ ଲାଗେ? ବାରାଙ୍ଗନାଠେଇ ଲାଜ କାଇଁ? ଲାଜ ଏ ଜନତାଙ୍କୁ ଲାଗିବା କଥା। ମତଦାନ (ଭୋଟ)ବେଳେ କେମିତି ନିର୍ଲଜ୍ଜ ଭାବେ କିଣାବିକା ହୁଅନ୍ତି। ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ଜିଅଲ ଖଟିବା, ଭିଜିଲାନ୍ସ ଦ୍ବାରା ଧରପଗଡ଼ ହେବା ଘଟଣା କୁ ସୁସ୍ଥ ଗଣତନ୍ତ୍ରରେ ଘଟେ? ସେମାନେ ଗଣ ନା ଏଗୁଡ଼ା କୁ ତନ୍ତ୍ର। ମେଧା ଓ ଧନରୁ ସାଧୁତା ମାପିବା ନିର୍ବୋଧତା, ହପାରେ ପଡ଼ିବା କଥା। କିରେ, ଆଇଏଏସ୍, ଓପିଏସ୍, ଆଇପିଏସ୍ ଗୁଡ଼ା ପରା ସବୁଠୁ ମେଧା। କି କାଟେତି ତାଙ୍କର, କି ଦାଣ୍ଠ ମ! ମାତ୍ର କଇଦି ପରି ଜନତା ରାଜସ୍ବ ଲୁଟି କରି, ଜିଅଲ ଗଲାବେଳେ ଏ ମେଧା ଗଲା କୁଆଡ଼େ, ୟେ କି ମେଧା? ଯାହା ଚରିତ୍ର ଓ ସାଧୁତା ଶିଖାଏନି ତା ଶିକ୍ଷା ନୁହଁ ବୋଲି ଗୋପବନ୍ଧୁ ଓ ଗାନ୍ଧୀ କହୁଥିଲେ। ସ୍ବାର୍ଥାନ୍ଧ ହେଲେ ମଣିଷର ବିଚାର ବିବେକ ପୋଡ଼ିଯାଏ। ବ୍ରାହ୍ମଣପୁଅ କାଶିଆ, ଖଣ୍ଡେଇତ ପୁଅ କପିଳା ଯାଉଥିଲେ। ଅପୁତ୍ରିକ ଗଜପତିଙ୍କ ଉତ୍ତରାଧିକାରୀ ବାଛିବାକୁ ହାତୀ ସୁନାକଳସୀ ଧରି ରାଇଜରେ ବୁଲେ। ଯା ମୁଣ୍ଡରେ ସେ ସୁନା କଳସୀ ଢାଳିଲା ସେ ଗଜପତି ହେଲା। ହାତୀ କପିଳା ଉପରେ ସୁନା କଳସୀ ଢାଳିଲା। ବ୍ରାହ୍ମଣ ପୁଅ (ନଟ୍ ସିଲେକ୍ଟେଡ୍) ଅଯୋଗ୍ୟ। ପ୍ରକୃତରେ କପିଳା କପିଳେନ୍ଦ୍ର ଦେବ ବନି ଗଜପତି ଆସନର ଯେଉଁ ମର୍ଯ୍ୟାଦା ବଢ଼ାଇଥିଲେ ତା ଇତିହାସରେ ଏ ଯାଏ ବି ଅମଳିନ ଲିଖିତ। ହାତୀ ଦ୍ବାରା ନିର୍ବାଚିତ ଖଣ୍ଡେଇତ ପୁଅ ଯଥାର୍ଥ ପ୍ରମାଣିତ ହୋଇଥିଲେ। ଆଜିର ଏ ଶିକ୍ଷିତ ସଭ୍ୟ କୁହାଳିଆ ଲୋକଙ୍କ ଦ୍ବାରା ନିର୍ବାଚିତ ନେତା, ମନ୍ତ୍ରୀମାନେ, ଅମଲାମାନେ ଡକେଇତ, ହତ୍ୟାକାରୀ ବନୁଥିବାରୁ ମଣିଷ ବିଚାର ପଶୁବିଚାରଠୁ ନିଉନ ନିରସା ପଡ଼ିଯାଉଥିବା ଇତିହାସ କହୁଛି। ତେବେ, କଥା ତ ଅଛି, ‘ନରମାୟା ନାରାୟଣଙ୍କୁ ଅଗୋଚର।’ ‘କିଏ ବା ଅଛି କେଉଁ ମତେ ତାହା ମୁଁ ଜାଣିବି କେମନ୍ତେ?’ ଜୟ ଜଗନ୍ନାଥ।
Comments are closed.