OMC 1 banner

ଜନସୁମାରି ୨୦୨୭

ବୁଧବାର ଭାରତ ସରକାର ବହୁବିଳମ୍ବିତ ଜନଗଣନା ନିମନ୍ତେ ତାରିଖ ଘୋଷଣା କରିବା ସ୍ୱାଗତଯୋଗ୍ୟ। କୋଭିଡ଼-୧୯ ମହାମାରୀ ହେତୁ ‘ଜନଗଣନା-୨୦୨୧’ ଏବେ ‘ଜନଗଣନା-୨୦୨୭’ ଭାବେ ଆମ ସାମ୍ନାକୁ ଆସିବ। ମାର୍ଚ୍ଚ ୨୦୧୧ ସୁଦ୍ଧା ଶେଷ ଜନଗଣନା ଭାରତର ଜନସଂଖ୍ୟାର ଆକଳନ ପ୍ରଦାନ କରିଥିଲା। କହିବା ବାହୁଲ୍ୟ ଯେ ସମୟୋପଯୋଗୀ ଏବଂ ଠିକ ତଥ୍ୟକୁ ଯଦି ନୀତି ନିର୍ଦ୍ଧାରଣର ଆଧାର ବୋଲି ଆମେ ବିଚାର କରିବା ତେବେ ଏହାର ଅଭାବ ଦେଶର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବାଧା ସୃଷ୍ଟି କରିଥିବା ନିଶ୍ଚିତ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁଯାୟୀ, ଜନଗଣନା-୨୦୨୭ ଦୁଇଟି ପର୍ଯ୍ୟାୟରେ କରାଯିବ। ଏଥିପାଇଁ ଆଧାର ତାରିଖ ହେଉଛି ୨୦୨୭ ମାର୍ଚ୍ଚ ମାସ ପ୍ରଥମ ଦିନର ୦୦.୦୦ ଘଣ୍ଟା। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଆଧାର ତାରିଖ ୨୦୨୬ ଅକ୍ଟୋବର ମାସ ପ୍ରଥମ ଦିନର ୦୦.୦୦ ଘଣ୍ଟା। ପ୍ରଥମ ଥର ପାଇଁ ଡିଜିଟାଲ୍‌ ଜନଗଣନା ହେବାକୁ ଥିବାବେଳେ ୧୯୩୧ ପରେ ଜାତି ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯିବ। ଏବେ ପରବର୍ତ୍ତୀ ପ୍ରଶ୍ନ ହେଉଛି ଏହାର ତଥ୍ୟ କେତେ ଶୀଘ୍ର ସାର୍ବଜନୀନ ହେବ; କାରଣ ଏହା ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ମାମଲା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସହିତ ମଧ୍ୟ ଜଡ଼ିତ।

ଉଲ୍ଲେଖନୀୟ ଯେ ସରକାର ୨୦୧୧ର ସାମାଜିକ-ଅର୍ଥନୈତିକ ଏବଂ ଜାତି ଜନଗଣନା(ଏସ୍‌ଇସିସି)ରେ ମଧ୍ୟ ଜାତି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ଏତେ ଅସଙ୍ଗତି ଦେଖାଗଲା ଯେ ରିପୋର୍ଟକୁ ସାର୍ବଜନୀନ କରାଯାଇ ନଥିଲା। ଅପରପକ୍ଷେ ଗତ ଦଶନ୍ଧିଗୁଡ଼ିକରେ ସାମାଜିକ ଏବଂ ରାଜନୈତିକ ଦୃଷ୍ଟିରୁ ଜାତିଗତ ଜନଗଣନାର ଚାପ ବଢ଼ିଛି। ନିକଟରେ ବିହାର, କର୍ଣ୍ଣାଟକ ଭଳି ରାଜ୍ୟଗୁଡ଼ିକ ନିଜ ପକ୍ଷରୁ ଜାତିଭିତ୍ତିକ ସର୍ବେକ୍ଷଣ କରାଇଥିଲେ, କିନ୍ତୁ ତାହା ସମ୍ପୂର୍ଣ୍ଣ ନିର୍ବିବାଦୀୟ ହୋଇନାହିଁ। ତେଣୁ ଜାତି ଗଣନା କଲାବେଳେ ଏଭଳି ବିବାଦ ଏବଂ ପୂର୍ବ ତ୍ରୁଟିଗୁଡ଼ିକୁ ଏଡ଼ାଇବାକୁ ସରକାର ଯଥାସାଧ୍ୟ ସବୁ ପଦକ୍ଷେପ ନେବା ଦରକାର।

ସ୍ୱାଧୀନ ଭାରତରେ ଜାତିକୁ ନେଇ ରାଜନୀତି ଯେ ସବୁଠୁ ବଡ଼ ବାସ୍ତବତା, ତାକୁ କେହି ଅସ୍ବୀକାର କରିପାରିବ ନାହିଁ; କିନ୍ତୁ ଦେଶ ପାଖରେ ଜାତିର ବିଧିବଦ୍ଧ ହିସାବ ନାହିଁ। ଏପରି ସ୍ଥିତିରେ ଏହି ଜାତିଗତ ଜନଗଣନା ସମଗ୍ର ଦୃଶ୍ୟପଟକୁ ବଦଳାଇ ଦେବ। ଏହାର ପ୍ରଥମ ଓ ବଡ଼ ପ୍ରଭାବ ପଡ଼ିବ ଲୋକସଭା ଆସନ ସଂଖ୍ୟା ଉପରେ, ଯାହା ବିଷୟରେ ନିଷ୍ପତ୍ତି ନ ନିଆଯାଇ ଗତ ପାଞ୍ଚ ଦଶନ୍ଧି ଧରି ଟାଳି ଦିଆଯାଇଛି। ଦେଶର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଏବେ ସଂସଦରେ ଅଧିକ ପ୍ରତିନିଧି ଦରକାର, କିନ୍ତୁ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଜନସଂଖ୍ୟାର ତାରତମ୍ୟ ଏ କ୍ଷେତ୍ରରେ ଏକ ବଡ଼ ବାଧା। ଦକ୍ଷିଣର ରାଜ୍ୟଗୁଡ଼ିକ ଉତ୍ତର ତୁଳନାରେ ଜନସଂଖ୍ୟା ଉପରେ ଭଲ ନିୟନ୍ତ୍ରଣ ରଖିପାରିଛନ୍ତି; ମାତ୍ର ଏବେ ସେମାନେ ଭୟଭୀତ ଯେ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଦ୍ୱାରା ସେହି ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ହ୍ରାସ ପାଇପାରେ।

ସୂଚନାଯୋଗ୍ୟ, ୧୯୭୬ରେ ଇନ୍ଦିରା ଗାନ୍ଧୀ ଏବଂ ୨୦୦୧ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସୀମା ନିର୍ଦ୍ଧାରଣ କରିଥିଲେ, କିନ୍ତୁ ଆସନ ସଂଖ୍ୟା ବଢ଼ାଇ ନଥିଲେ। ଇନ୍ଦିରା ସରକାର ୨୫ ବର୍ଷ ପାଇଁ ଆସନ ବଢ଼ାଇବା ଉପରେ ଅଙ୍କୁଶ ଲଗାଇଥିଲେ। ବାଜପେୟୀ ସରକାର ମଧ୍ୟ ଏହାକୁ ବଜାୟ ରଖିଥିଲେ। ୨୦୨୬ରେ ଏହି ମିଆଦ ଶେଷ ହେଉଛି, ଅର୍ଥାତ୍ ଏବେ ଯେଉଁ ଜନଗଣନା ହେବାକୁ ଯାଉଛି, ତାହାର ଆଧାରରେ ସରକାରଙ୍କୁ ସୀମା ନିର୍ଦ୍ଧାରଣ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ।

ଅପରପକ୍ଷେ ଜାତି ଜନଗଣନା ସହିତ ଜଡ଼ିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ସଂରକ୍ଷଣ। ନୂଆ ତଥ୍ୟ ଆଧାରରେ ସଂରକ୍ଷଣରେ ପରିବର୍ତ୍ତନର ଦାବି ଉଠିପାରେ, କିନ୍ତୁ ଏଥିରେ ଏତେ ରାଜନୈତିକ ଓ ଆଇନଗତ ଜଟିଳତା ରହିଛି ଯେ ସେଗୁଡ଼ିକର ସମାଧାନ କରିବା ସହଜସାଧ୍ୟ ନୁହେଁ। ତେବେ ସରକାର ଏହା କରିବାକୁ ଏକପ୍ରକାର ବାଧ୍ୟ; କାରଣ ଏହାର ସମାଧାନ ନ କଲେ ଆଗକୁ ବଢ଼ିବା କଷ୍ଟକର ହେବ।

ଏଥିରେ ସନ୍ଦେହ ନାହିଁ ଯେ ଜାତି ଜନଗଣନା ଭାରତର ସାମାଜିକ-ଅର୍ଥନୈତିକ ସମୀକରଣଗୁଡ଼ିକୁ ବୁଝିବାରେ ସହାୟତା କରିବ। ଅବଶ୍ୟ ଜନଗଣନା ତଥ୍ୟ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ସାର୍ବଜନୀନ କରିବେ କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ। ତେବେ ଜନସୁମାରିର ପ୍ରଭାବ ପରବର୍ତ୍ତୀ ଲୋକସଭା ନିର୍ବାଚନ ଉପରେ ପଡ଼ିବା ସୁନିଶ୍ଚିତ।

ଜନଗଣନା କେବଳ ଜନସଂଖ୍ୟା ଆକଳନ ପ୍ରଦାନ କରି ନଥାଏ, ପ୍ରତ୍ୟେକ ପରିବାରର ସାମାଜିକ-ଅାର୍ଥନୀତିକ ସୂଚକାଙ୍କର ତଥ୍ୟ ମଧ୍ୟ ସଂଗ୍ରହ କରେ। ଫଳରେ ସାମଗ୍ରିକ ଭାବେ ଦେଶରେ ଦଶନ୍ଧି ଧରି ଘଟୁଥିବା ପରିବର୍ତ୍ତନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପଲବ୍ଧ ହୋଇଥାଏ। ଏହି ତଥ୍ୟ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକର ନୀତି ପ୍ରଣୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସୁତରାଂ ସରକାର ଅଯଥା ବିଳମ୍ବ ନ କରି ଜନଗଣନା-୨୦୨୭ର ତଥ୍ୟକୁ ସାର୍ବଜନୀନ କରିବେ ବୋଲି ଆଶା କରାଯାଏ।

Comments are closed.