ରାଜ୍ୟପାଳମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟକୁ ହୃଦ୍ବୋଧ କରି ଆପଣାର କର୍ତ୍ତବ୍ୟ ଅକର୍ତ୍ତବ୍ୟ ସ୍ଥିର କରିବା ବାଞ୍ଛନୀୟ
ରାଜ୍ୟପାଳ ଏକ ସାମ୍ବିଧାନିକ ପଦ। ରାଜ୍ୟର ନିର୍ବାଚିତ ସରକାରଙ୍କ ପରାମର୍ଶ ଓ ସହଯୋଗରେ ସେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କରିବେ ବୋଲି ସର୍ବତୋଭାବେ ଆଶା କରାଯାଏ; କିନ୍ତୁ ଗତ କିଛି ବର୍ଷ ହେଲା କେତେକ ରାଜ୍ୟରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯେପରି ଟଣାଓଟରା ଚାଲିଛି, ତାହାକୁ କୌଣସି ଦୃଷ୍ଟିରୁ ଗଣତାନ୍ତ୍ରିକ ବୋଲି କୁହାଯାଇପାରିବ ନାହିଁ କିମ୍ବା ତାକୁ ଗ୍ରହଣ କରିହେବ ନାହିଁ। ପଞ୍ଜାବର ଆମ୍ ଆଦ୍ମୀ ପାର୍ଟି ସରକାରଙ୍କ ପକ୍ଷରୁ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ବିରୋଧରେ ଆଗତ ଏକ ପିଟିସନର ଶୁଣାଣି କଲାବେଳେ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ଏ ମର୍ମରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି ଯେ ରାଜ୍ୟପାଳମାନେ ରାଜ୍ୟ ବିଧାନସଭାରେ ଗୃହୀତ ବିଧେୟକ ଉପରେ କାର୍ଯ୍ୟ କରିବା ଉଚିତ। ଅଦାଲତକୁ ମାମଲା ଆସିବା ପୂର୍ବରୁ ସେମାନେ ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟପାଳମାନେ ଜନତାଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧି ନୁହନ୍ତି। ବିଲ୍ ଅନୁମୋଦନରେ ଅହେତୁକ ବିଳମ୍ବ କରୁଥିବାରୁ ପଞ୍ଜାବ ସରକାରଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ସାମ୍ପ୍ରତିକ ସ୍ଥିତିର ବିବରଣୀ ଦାଖଲ କରିବାକୁ ସଲିସିଟିର ଜେନେରାଲଙ୍କୁ ନିେର୍ଦଶ ଦେବା ସହ ପରବର୍ତ୍ତୀ ଶୁଣାଣି ଆଗାମୀ ଶୁକ୍ରବାର ହେବ ବୋଲି ଧାର୍ଯ୍ୟ କରିଛନ୍ତି। ପରିତାପର ବିଷୟ ଯେ କେବଳ ପଞ୍ଜାବ ନୁହେଁ, ଏଭଳି ସମାନ ଅବସ୍ଥା କେରଳ ଓ ତାମିଲନାଡୁରେ ମଧ୍ୟ ଦେଖାଯାଇଛି। ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି ବିଧାନସଭାରେ ଗୃହୀତ ବିଲ୍କୁ ଅନୁମୋଦନ କରିବାରେ ଅତ୍ୟଧିକ ବିଳମ୍ବ କରୁଥିବା ନେଇ ଏମ୍କେ ଷ୍ଟାଲିନଙ୍କ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ସେହିପରି କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ ବିଧାନସଭାରେ ଗୃହୀତ ବିଲ୍କୁ ବର୍ଷବର୍ଷ ଧରି ପକାଇ ରଖି ଅନୁମୋଦନ କରୁନଥିବା ନେଇ ସେଠା ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇଛନ୍ତି। ପୂର୍ବରୁ ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତଥା ଦିଲ୍ଲୀରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତିକ୍ତ ସମ୍ବନ୍ଧ କଥା ସର୍ବଜନବିଦିତ।
ରାଜ୍ୟପାଳଙ୍କୁ ନେଇ ବିବାଦ ରହିଥିବା ଏହି ସମସ୍ତ ରାଜ୍ୟ ମଧ୍ୟରେ ଗୋଟିଏ ସମାନତା ହେଲା ସେଠାରେ ଶାସନ କରୁଥିବା ରାଜନୈତିକ ଦଳ କେନ୍ଦ୍ରରେ ଶାସନ କରୁଥିବା ଦଳ ଭାରତୀୟ ଜନତା ପାର୍ଟି(ବିଜେପି)ର ବିରୋଧୀ। ହାତଗଣତି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଯେଉଁ ଅଣବିଜେପି ଦଳର ସରକାର ଶାସନ କରୁଛନ୍ତି, ସେଠାରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ସ୍ବାଭାବିକ ସମ୍ବନ୍ଧ ଦେଖାଯାଉ ନାହିଁ। ଏହାର କାରଣ ଅବଶ୍ୟ ଖୁବ୍ ସ୍ପଷ୍ଟ। ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥାନ୍ତି ଓ ସେ ଚାହାନ୍ତି ସଂପୃକ୍ତ ବ୍ୟକ୍ତିଜଣକ ତାଙ୍କ ଇଚ୍ଛା ଅନୁରୂପ କାର୍ଯ୍ୟ କରନ୍ତୁ। ଅନେକ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ଖୁସି କରିବାର ପ୍ରୟାସରେ ପ୍ରାୟତଃ ବିରୋଧୀ ଦଳର ସରକାରଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରନ୍ତି ବା ଠିକ୍ ସମୟରେ ବିଲ୍ ଅନୁମୋଦନ କରିନଥାନ୍ତି। ଏହି ପ୍ରବୃତ୍ତି ଏଇଥିପାଇଁ ଅଧିକ ସାମ୍ନାକୁ ଆସୁଛି ଯେ ରାଜ୍ୟପାଳ ପଦରେ ଅନେକ ସକ୍ରିୟ ରାଜନେତାଙ୍କୁ ନିଯୁକ୍ତି ଦିଆଯାଉଛି। ରାଜ୍ୟପାଳ ଏକ ସାମ୍ବିଧାନିକ ପଦ ହୋଇଥିଲେ ମଧ୍ୟ ସେମାନେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଦାୟିତ୍ବ ତୁଲାଇବାର ଯଥାର୍ଥ ଭାବନା ରଖିପାରୁ ନାହାନ୍ତି। ଏହି କାରଣରୁ ଅନେକ ରାଜ୍ୟପାଳ ରାଜନୈତିକ ବିବୃତି ଦେବାକୁ ଓ ସରକାରଙ୍କ କାର୍ଯ୍ୟକଳାପକୁ ରାଜନୈତିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରିବାକୁ କୁଣ୍ଠିତ ହେଉନାହାନ୍ତି। ଏପରି କି ସେମାନେ ସେତେବେଳେ ଭୁଲିଯାଉଛନ୍ତି ଯେ ସେମାନେ ଜନତାଙ୍କ ପ୍ରତିନିଧି ନୁହନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ସହ ରାଜ୍ୟପାଳଙ୍କ ମତାନ୍ତର ଓ ମନାନ୍ତର ଆଦୌ ଅସ୍ବାଭାବିକ ନୁହେଁ। ଏହା ପ୍ରକୃତରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଆଲୋଚନା ପର୍ଯ୍ୟାଲୋଚନା ହୋଇଆସୁଛି ଯେ ରାଜ୍ୟପାଳ ପଦରେ ରାଜନେତାଙ୍କୁ ନିଯୁକ୍ତ ନ କରି କଳାସଂସ୍କୃତି, ଆଇନ, ସମାଜସେବା, ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟରତ ଜ୍ଞାନୀଗୁଣୀ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଉ। ସେପରି ହେଲେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି ଉପୁଜନ୍ତା ନାହିଁ; କିନ୍ତୁ ତାହା ବିଚାରାଲୋଚନା ସ୍ତରରେ ହିଁ ରହିଛି। କେନ୍ଦ୍ରରେ ଶାସନ କରୁଥିବା ଦଳ ପାଇଁ ଏହା ନିଜର ବରିଷ୍ଠ ବା ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିବାର ପଦ ମଧ୍ୟ ହୋଇଛି। ତେବେ ଏହା କେବଳ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଦ୍ବାରା ହେଉନାହିଁ, ବରଂ ଚିରାଚରିତ। ସେ ଯାହାହେଉ, ରାଜ୍ୟପାଳମାନଙ୍କ ଏ ପ୍ରବୃତ୍ତି ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟରେ ଯେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ଏବଂ ବାସ୍ତବ ଗଣତନ୍ତ୍ର ପାଇଁ ବାଧକ ହୁଏ, ସେଥିରେ ଦ୍ବିମତ ଥାଇନପାରେ। ରାଜ୍ୟପାଳମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟକୁ ହୃଦ୍ବୋଧ କରି ନିଜର କର୍ତ୍ତବ୍ୟ ସ୍ଥିର କରିବା ବାଞ୍ଛନୀୟ।



