ତିକ୍ତ ହେଉଛି ଆମେରିକା ସହ ସମ୍ପର୍କ

ସାମ୍ପ୍ରତିକ ସମୟରେ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା, ବିଶ୍ବ ସ୍ବାସ୍ଥ୍ୟ, ଦୀର୍ଘସ୍ଥାୟୀ ବିକାଶ, ଜଳବାୟୁ ଏବଂ ପ୍ରଯୁକ୍ତି ଆଦି କ୍ଷେତ୍ରରେ ସହଯୋଗିତା ରହିଛି

କାନାଡା ପ୍ରସଙ୍ଗକୁ ନେଇ ଆମେରିକାର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଥିବାରୁ ଭାରତ ଓ ଆମେରିକା ସମ୍ପର୍କ କ୍ରମଶଃ ତିକ୍ତ ହେବାରେ ଲାଗିଛି। ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ଘଟଣାରେ ଭାରତର ହାତ ରହିଥିବା କାନାଡା ବାରମ୍ବାର କହୁଥିବା ଏବଂ ଖଲିସ୍ତାନୀ ଆତଙ୍କୀଙ୍କୁ ନିଜ ଦେଶରେ ଆଶ୍ରୟ ଦେଇଥିବାରୁ ଭାରତ ସହିତ ଉକ୍ତ ରାଷ୍ଟ୍ରର ସମ୍ପର୍କ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। ଏପରି କି ଦୁଇ ଦେଶ ଅପର ରାଷ୍ଟ୍ରରେ ଥିବା ସେମାନଙ୍କ ଦୂତାବାସ କର୍ମଚାରୀ ସଂଖ୍ୟା ମାତ୍ରାଧିକ ହ୍ରାସ କରିବା ଏବଂ ଦେଶର ନାଗରିକମାନେ ଅପର ରାଷ୍ଟ୍ରରେ ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦେଶନାମା ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ଭାରତକୁ ଉତ୍ତମ ବନ୍ଧୁ କହୁଥିବା ଆମେରିକା ପ୍ରତ୍ୟକ୍ଷ ଓ ପରୋକ୍ଷରେ କାନାଡାକୁ ସମର୍ଥନ କରି ଭାରତ ସହିତ ସମ୍ପର୍କ ତିକ୍ତ କରିବାରେ ଲାଗିଛି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଅଧିକ ଖରାପ ଆଡକୁ ଗତିକରିବା ଆଶଙ୍କା ରହିଛି ବୋଲି ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସେ ଦେଶର ବୈଦେଶିକ ବିଭାଗକୁ ସତର୍କ କରାଇ ଦେଇଛନ୍ତି।

ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟି ଭାରତ ଓ କାନାଡା ମଧ୍ୟରେ ସମ୍ପ୍ରତି ଚାଲିଥିବା କୂଟନୈତିକ ବିବାଦକୁ ନେଇ ଭାରତ-ଆମେରିକା ସମ୍ପର୍କ ତିକ୍ତ ହେଉଛି। ଏପରି କି ଆମେରିକାର ପ୍ରତିନିଧି ଦଳ ଭାରତୀୟ ଅଧିକାରୀଙ୍କ ସହିତ କିଛି ସମୟ ପାଇଁ ଏହି ପ୍ରସଙ୍ଗରେ ଯୋଗାଯୋଗ ସ୍ଥଗିତ ରଖିବାକୁ ଗାର୍ସେଟ୍ଟି କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ବୈଦେଶିକ ବିଭାଗର ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ ଭାରତ ସହିତ ଆମେରିକାର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ, ରଣକୌଶଳାତ୍ମକ ଏବଂ ପରିଣାମୀ ସହଭାଗିତା ଅଟେ। ଗତ ସପ୍ତାହରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ନିଜ୍ଜାର ହତ୍ୟା ଘଟଣାରେ କାନାଡାର ତଦନ୍ତରେ ଭାରତ ସହଯୋଗ କରୁ ବୋଲି ଅନୁରୋଧ ଜଣାଇଥିଲେ। ତାହା ପୂର୍ବରୁ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର୍‌‌ କହିଥିଲେ ଯେ ଉଭୟ କାନାଡା ଓ ଭାରତ ସହିତ ଆମେରିକା ପକ୍ଷରୁ କଥାବାର୍ତ୍ତା କରାଯାଉଛି। ତେବେ ଏତେସବୁ ବାଦ ବିବାଦ ଭିତରେ ନିଜ୍ଜାର ହତ୍ୟା ଘଟଣାରେ ଭାରତର ହାତ ନଥିବା ନୂଆଦିଲ୍ଲୀ ବାରମ୍ବାର ଜୋର୍‌‌ ଦେଇ କହିଆସୁଛି।

ଏହା ସତ୍ତ୍ବେ କାନାଡା ସହିତ ସମ୍ପର୍କ ବିଗିଡିବାରୁ ଭାରତ ସରକାର କାନାଡାରେ ଥିବା ଭିସା ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ବନ୍ଦ କରିଦେଇଛନ୍ତି ଏବଂ ପ୍ରାୟ ୪୧ ଜଣ କାନାଡା ଦୂତାବାସ କର୍ମଚାରୀଙ୍କୁ ଭାରତ ଛାଡିବାକୁ କହିଛନ୍ତି। କାନାଡା ଏ ପର୍ଯ୍ୟନ୍ତ ଭାରତ ବିରୋଧରେ କରୁଥିବା ଦାବି ସମ୍ପର୍କରେ ତଥ୍ୟ ସମ୍ବଳିତ ପ୍ରମାଣ ଦାଖଲ କରିବାରେ ବିଫଳ ହୋଇଛି। ଏହା କେବଳ କହୁଛି ଯେ, ନିର୍ଦ୍ଦିଷ୍ଟ ବିଶ୍ୱାସଯୋଗ୍ୟ ସୂତ୍ର ଆଧାରରେ ଭାରତ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଅଛି। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଭାରତ କେବେହେଲେ ଆମେରିକାର ମେଣ୍ଟଭୁକ୍ତ ରାଷ୍ଟ୍ର ନୁହେଁ, କିମ୍ବା ଏହା କେବେ ହେବାକୁ ମଧ୍ୟ ଚାହିଁନାହିଁ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍‌‌ କ୍ଲିଣ୍ଟନଙ୍କ ପରବର୍ତ୍ତୀ ସମୟରେ ଭାରତ ଓ ଆମେରିକାର ସରକାର ରାଜନୈତିକ ଦଳ ନିର୍ବିଶେଷରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନିବିଡ କରିବାକୁ ପ୍ରୟାସ କରିଆସିଛନ୍ତି; କିନ୍ତୁ ସାମ୍ପ୍ରତିକ ସମୟରେ ଏହି ସମ୍ପର୍କ କେତେ ମଜଭୁତ ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏହା ଠିକ୍‌‌ ଜଣେ ଅନ୍ଧ ବ୍ୟକ୍ତି ହାତୀକୁ ଚିହ୍ନିବା ଭଳି ହୋଇଛି।

ଏବେ ମଧ୍ୟ ଭାରତ ଓ ଆମେରିକା ମଧ୍ୟରେ ଅନେକ କ୍ଷେତ୍ରରେ ସମ୍ପର୍କ ଆହ୍ୱାନପୂର୍ଣ୍ଣ ହୋଇ ରହିଛି। ୨୦୦୦ ପରଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପ୍ରାୟ ଦଶଗୁଣ ବୃଦ୍ଧିପାଇ ୨୦୨୨ରେ ୧୯୧ ବିଲିଅନ ଡଲାରରେ ପହଞ୍ଚିଥିଲା ଏବଂ ୨୦୨୧ରେ ଭାରତ ନବମ ବୃହତ୍‌‌ ବାଣିଜ୍ୟିକ ଅଂଶୀଦାର ଆମେରିକା ପାଇଁ ହୋଇପାରିଥିଲା; କିନ୍ତୁ ଆହୁରି ଅନେକ କ୍ଷେତ୍ର ରହିଛି, ଯେଉଁଠାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସେତେ ଆଗକୁ ବଢ଼ିପାରିନାହିଁ। ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନକୁ ନେଇ କ୍ୱାଡ ଗୋଷ୍ଠୀ ଗଠିତ ହେବାପରେ ଭାରତ ଓ ଆମେରିକା ଗୋଟିଏ ବିଷୟରେ ଏକମତ ହେଉଛନ୍ତି, ତାହା ହେଉଛି ଚାଇନାର ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବା। ଅପରପକ୍ଷେ ନୂଆଦିଲ୍ଲୀ ବ୍ରିକ୍ସ ଭଳି ବିକଳ୍ପ ଅଣ ପାଶ୍ଚାତ୍ୟ ଗୋଷ୍ଠୀରେ ସକ୍ରିୟ ରହିବା ସହିତ ଜାତିସଂଘ ନିରାପତ୍ତା ପରିଷଦ ଏବଂ ଜି୭ ଭଳି ଆମେରିକା କର୍ତ୍ତୃକ ବୈଶ୍ୱିକ ସଂସ୍ଥାଗୁଡ଼ିକର ବାହାରେ ରହିଛି।

ସାମ୍ପ୍ରତିକ ସମୟରେ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା, ବିଶ୍ୱ ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ବିକାଶ, ଜଳବାୟୁ ଏବଂ ପ୍ରଯୁକ୍ତି ଆଦି କ୍ଷେତ୍ରରେ ସହଯୋଗିତା ରହିଛି। ଏହା ସତ୍ତ୍ବେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ଗୁରୁତର ମତ ପାର୍ଥକ୍ୟ ରହିଛି। ସେଥିମଧ୍ୟରେ ସର୍ବାଗ୍ରେ ରହିଛି ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ନୂଆଦିଲ୍ଲୀ ନିନ୍ଦା ନକରିବା। ଅନ୍ୟ ଅର୍ଥରେ କହିବାକୁ ଗଲେ ଭାରତ-ଆମେରିକା ସମ୍ପର୍କରେ ଗତ ପଚିଶ ବର୍ଷ ମଧ୍ୟରେ ରୂପାନ୍ତରଣ ଆସିଛି; କିନ୍ତୁ ସେହି ରୂପାନ୍ତରଣ ଆମେରିକାର ଘନିଷ୍ଠ ଅନ୍ୟ ମେଣ୍ଟ ରାଷ୍ଟ୍ର ଭାବରେ କାର୍ଯ୍ୟକାରିତା କ୍ଷେତ୍ରରେ ପରିଲକ୍ଷିତ ହେଉନାହିଁ। ଏଥିରେ ମଧ୍ୟ କେହି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ଭାରତର ନେତୃବୃନ୍ଦ ରାଜନୈତିକ ଦଳ ନିର୍ବିଶେଷରେ ବୈଦେଶିକ ନୀତିକୁ ନିରପେକ୍ଷ ରଖିବାକୁ ଅଗ୍ରାଧିକାର ଦେଇଆସୁଛନ୍ତି ଏବଂ ଏହା ସାରା ବିଶ୍ୱ ପାଇଁ ଭାରତର ଆଭିମୁଖ୍ୟ ହୋଇ ରହିଛି। ଏଭଳି ପରିସ୍ଥିତିରେ ଆମେରିକା ତାହାର ଏକାନ୍ତ ଅନୁଗତ କାନାଡାକୁ ନେଇ ଭାରତ ପ୍ରତି ଏଭଳି ଆଭିମୁଖ୍ୟ ପୋଷଣ କରିବା ସ୍ୱାଭାବିକ ମନେହେଉଛି। ଭାରତ ତାହାର ‘ଏକ ବିଶ୍ୱ’ ନୀତିକୁ ନେଇ ସାମ୍ପ୍ରତିକ କୂଟନୈତିକ ବିବାଦରୁ ସମାଧାନର ସୂତ୍ର ଖୋଜିବା ଏବଂ ରାଷ୍ଟ୍ରବିରୋଧୀ ଶକ୍ତିଙ୍କୁ ଦମନ କରିବାରେ ଦୃଢତା ବଜାୟ ରଖିବା ଆଶା କରାଯାଉଛି।

 

Comments are closed.