ଅଚଳାବସ୍ଥା ଦୂର ହେଉ

ସଂସଦରେ ଫଳପ୍ରସୂ ଆଲୋଚନା ହେବା ଭଳି ଏକ ସକାରାତ୍ମକ ସ୍ଥିତି ସୃଷ୍ଟି କରିବାକୁ ସରକାର ଓ ବିରୋଧୀ ଦଳ ଚେଷ୍ଟିତ ହୁଅନ୍ତୁ

ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଏ ପର୍ଯ୍ୟନ୍ତ ସ୍ବାଭାବିକ ଭାବେ କାର୍ଯ୍ୟ ନ କରିପାରିବା ବାସ୍ତବିକ ଦୁର୍ଭାଗ୍ୟଜନକ। ସଂସଦୀୟ ଗଣତନ୍ତ୍ରରେ ଦେଶର ସ୍ଥିତି-ପରିସ୍ଥିତି ନେଇ ଆଲୋଚନା-ପର୍ଯ୍ୟାଲୋଚନା ଓ ତର୍କ-ବିତର୍କ ଜରିଆରେ ଯେ କୌଣସି ସମସ୍ୟା ଓ ସଙ୍କଟର ସମାଧାନ ବାହାରେ ବୋଲି ଯେଉଁ ବିଶ୍ବାସ ରହିଛି, ତାହା କ୍ରମେ କ୍ଷୁଣ୍ଣ ହେବା ପରି ମନେହେଉଛି। ଉଭୟ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳ ଏବଂ ଶାସକ ଦଳ କହୁଛନ୍ତି ଯେ ସେମାନେ ମଣିପୁର ସଙ୍କଟ ନେଇ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ; କିନ୍ତୁ ସପ୍ତାହକ ପରେ ମଧ୍ୟ ସେମାନେ ସେଥିରେ ବିଫଳ ହୋଇଛନ୍ତି। ଏପରି କି ସ୍ବରାଷ୍ଟ୍ର ମନ୍ତ୍ରୀ ଏ ପ୍ରସଙ୍ଗରେ ସରକାର ଚର୍ଚ୍ଚା କରିବାକୁ ପ୍ରସ୍ତୁତ ବୋଲି କହିି ବିରୋଧୀଙ୍କର ସହଯୋଗ ଲୋଡ଼ିଛନ୍ତି; କିନ୍ତୁ ତାହା ବି ନିରର୍ଥକ ସାବ୍ୟସ୍ତ ହୋଇଛି।

ଅପରପକ୍ଷେ ବିରୋଧୀ ଦଳକୁ ଆଲୋଚନାରେ ଅନ୍ତର୍ଭୁକ୍ତ କରି ଗୃହକୁ ଚଳାଇ ରଖିବା ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ; କିନ୍ତୁ ନିଜର ଦୁର୍ବଳତା ଲୋକଲୋଚନକୁ ଆସିବା ଭୟ ହେଉ ବା ଅନ୍ୟ କୌଣସି କାରଣରୁ ସରକାର ଅନେକ ସମୟରେ ଏହି କର୍ତ୍ତବ୍ୟ ପାଳନରୁ ବିରତ ହୋଇଥାନ୍ତି। କହିବା ବାହୁଲ୍ୟ, ଏପରି ସ୍ଥିତି ଯୋଗୁଁ ହିଁ ଏବେ ମଣିପୁର ପ୍ରସଙ୍ଗକୁ ନେଇ ସରକାର ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି। ଏହା ନିଃସନ୍ଦେହ ଯେ ସଂସଦରେ ସଂଖ୍ୟାଗରିଷ୍ଠତା ରହିଥିବା ମୋଦୀ ସରକାରଙ୍କ ଉପରେ ଏ ଅନାସ୍ଥା ପ୍ରସ୍ତାବର ସେଭଳି କିଛି ବଡ଼ ପ୍ରଭାବ ପଡ଼ିବ ନାହିଁ; କିନ୍ତୁ ପ୍ରାୟ ତିନି ମାସ ଧରି ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଇଥିବା ମଣିପୁର ଭଳି ସ୍ପର୍ଶକାତର ପ୍ରସଙ୍ଗ ନେଇ ସରକାରଙ୍କୁ ଉତ୍ତରଦାୟୀ କରିବାର ଉଦ୍ୟମ ଅଯଥାର୍ଥ ନୁହେଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ମଣିପୁର ପ୍ରସଙ୍ଗରେ ବିବୃତି ଉପସ୍ଥାପନ କରନ୍ତୁ ଏବଂ ଗୃହରେ ଏ ନେଇ ଆଲୋଚନା ହେଉ ବୋଲି ବିରୋଧୀ ଦାବି କରିଆସୁଛନ୍ତି; କିନ୍ତୁ ପ୍ରଧାନମନ୍ତ୍ରୀ ସଂସଦ ବାହାରେ ଏ ନେଇ ସ୍ବଳ୍ପ ସମୟର ବକ୍ତବ୍ୟ ରଖିଛନ୍ତି, ଯାହାକୁ ବିରୋଧୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରଧାନମନ୍ତ୍ରୀ ଇଣ୍ଡିଆନ ମୁଜାହିଦ୍ଦିନ, ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ଓ ପିଏଫ୍‌ଆଇର ନାଁ ନେଇ ବିରୋଧୀଙ୍କ ନବଗଠିତ ମେଣ୍ଟ ‘ଇଣ୍ଡିଆ’କୁ ନିଶାଣ କରିଛନ୍ତି; ମାତ୍ର ଦୀର୍ଘ ଦିନ ଧରି ଏକ ଅରାଜକ ପରିସ୍ଥିତିରେ ଗତି କରୁଥିବା ମଣିପୁର ସମ୍ପର୍କରେ ବିରୋଧୀ ଦଳ ତାଙ୍କଠାରୁ ଯେଉଁ ଆଶ୍ବାସନା ଆଶା କରୁଛନ୍ତି, ତାହା ସେମାନେ ପାଉନାହାନ୍ତି। ଫଳରେ ସଂସଦରେ ଅଚଳାବସ୍ଥା ତୁଟୁନାହିଁ, ବରଂ ଅଧିକ ତୀବ୍ର ହେଉଛି। ମଣିପୁର ସଙ୍କଟ ନେଇ ସଂସଦରେ ଆଲୋଚନା ହେବା ଜରୁରୀ ଆବଶ୍ୟକତା ଥିବାବେଳେ ସରକାର ଓ ବିରୋଧୀ ଦଳ ଏ ନେଇ ଏକମତ ହୋଇନପାରିବା ପରିତାପର ବିଷୟ।

ଅପରପକ୍ଷେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଗୃହ ଭିତରେ ବିବୃତି ଆଶା କରିବା ବିରୋଧୀଙ୍କର ନ୍ୟାୟୋଚିତ ଦାବି ସତ୍ୟ; କିନ୍ତୁ ଠିକ୍‌ଭାବେ ସଂପୃକ୍ତ ପ୍ରସଙ୍ଗରେ ଯଦି ଆଲୋଚନା ନହୁଏ ତା’ହେଲେ ଏପରି ଦାବି ନିଷ୍ଫଳ ସାବ୍ୟସ୍ତ ହେବାର ଆଶଙ୍କା ଅଧିକ। ଅତଏବ ସଂସଦ ହେଉ କି ସଡ଼କ, ବିରୋଧୀ ଦଳକୁ ନିଜର ଦାବି ଉପସ୍ଥାପନ କରିବା ନିମନ୍ତେ ଯାହା ବି ମଞ୍ଚ ମିଳୁଛି ତାକୁ ସେମାନେ ହାତଛଡ଼ା କରିବା ଅନୁଚିତ। ଇତିମଧ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ତାଗିଦା ପରେ କେନ୍ଦ୍ର ଓ ରାଜ୍ୟ ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି; କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନ ଏତେ ବିଳମ୍ବରେ କାହିଁକି ନିଆଗଲା, ସେ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଆଇନ ଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅସମର୍ଥତା ସେଠାରେ ଭୟାବହ ପରସ୍ଥିତି ସୃଷ୍ଟି ହେବାର ଅନ୍ୟତମ କାରଣ କହିଲେ ଭୁଲ୍‌ ହେବନାହିଁ। ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଦାୟିତ୍ବ ସର୍ବାଧିକ।

ବାସ୍ତବରେ ଭାରତର ଏହି ସମ୍ବେଦନଶୀଳ ସୀମାନ୍ତବର୍ତ୍ତୀ ରାଜ୍ୟରେ ଜାତିଗତ-ସାଂପ୍ରଦାୟିକ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଦେଶର ସୁରକ୍ଷା, ସଂହତି ଓ ସାମାଜିକ ଐକ୍ୟ ପ୍ରତି ଏକ ବଡ଼ ଆହ୍ବାନ, ଏହା ପ୍ରତ୍ୟେକେ ହୃଦୟଙ୍ଗମ କରିବା ଆବଶ୍ୟକ। ଭାରତୀୟ ଗଣତନ୍ତ୍ର ପାଇଁ ମଣିପୁର ଘଟଣା ଏକ ବିଡ଼ମ୍ବନାପୂର୍ଣ୍ଣ ସ୍ଥିତି ନେଇ ଆସିଥିବାବେଳେ ଏଭଳି ମାନବୀୟ ସଙ୍କଟ ସମୟରେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ବିଭକ୍ତ ମାନସିକତା ରଖିବା ଏ ଦେଶର ଦୁର୍ଭାଗ୍ୟ। ଭାରତୀୟ ସଂସଦୀୟ ଗଣତନ୍ତ୍ରର ହର୍ତ୍ତାକର୍ତ୍ତାଗଣ ମଣିପୁରରେ କିଭଳି ଶାନ୍ତି, ସଂହତି ଓ ମୈତ୍ରୀ ଫେରିବ, ସେ ନେଇ ଯତ୍ନବାନ ହେବେ ବୋଲି ଦେଶବାସୀ ଆଶା କରନ୍ତି। ଏଥିପାଇଁ ଆଲୋଚନା କରିବାକୁ ସଂସଦ ଛଡ଼ା ଆଉ ଉପଯୁକ୍ତ ମଞ୍ଚ ଥାଇନପାରେ। ଅତଏବ ସଂସଦରେ ଫଳପ୍ରସୂ ଆଲୋଚନା ହେବା ଭଳି ଏକ ସକାରାତ୍ମକ ସ୍ଥିତି ସୃଷ୍ଟି କରିବାକୁ ସରକାର ଓ ବିରୋଧୀ ଦଳ ଚେଷ୍ଟିତ ହୁଅନ୍ତୁ। ପ୍ରଧାନମନ୍ତ୍ରୀ ମଣିପୁର ସମେତ ଦେଶ ଓ ବିଶ୍ବକୁ ଏକ ଆଶାଜନକ ବାର୍ତ୍ତା ଦେବା ବର୍ତ୍ତମାନ ସମୟର ଆବଶ୍ୟକତା। ସଂସଦ ବିବେକୀ ହେଉ।

Comments are closed.