ଇଏ କି ବିଶ୍ବାସଘାତକତା!

ଫଳ, ପରିବା, ମାଛ,ମାଂସ ସତେଜ ରଖିବାକୁ ବ୍ୟବହୃତ ଘାତକ ରାସାୟନିକ ପଦାର୍ଥ ଖାଉଟିଙ୍କୁ ବିପଦକୁ ଠେଲିଦେଇଛି। ଏକୁ ଜଗିବାକୁ ଶାସନର ବଳ କୁଳଉନି।

ବଞ୍ଚିବାକୁ କିଏ ଚାହୁଁନି ବା ବଞ୍ଚିବାର ଇଚ୍ଛା କାହାର ନାହିଁ? ଧନ, ଆୟୁଷ, ମୈଥୁନ ଓ ଭୋଜନରେ କେହି କେବେ ତୃପ୍ତ ନୁହନ୍ତି। ‘ଅତୃପ୍ତାଃ ମାନବାଃ ସର୍ବେ ଯାତା, ଯାସ୍ୟନ୍ତି ଯାନ୍ତି ଚ’। ବଞ୍ଚିବା ଇଚ୍ଛା ବା ଜିଜୀବିଷା ଏକ ସମସ୍ୟା ନୁହଁ, ଇଏ ତ ସଂସାର ଗତିଶୀଳତାର ଏକ ଧାରା, ବ୍ୟବସ୍ଥା। ମାତ୍ର ଯେନତେନ ବଞ୍ଚିବା, ଅନ୍ୟଠୁ ଅଧିକ ଭଲରେ ବଞ୍ଚିବାର ‘ଇଚ୍ଛା’ ହିଁ ସମସ୍ୟାର କାରଣ ହୋଇଛି। ତମେ ଜନ୍ମ ହେବାକୁ କୁ ଚେଷ୍ଟା ବା ଯୋଗାଡ଼ କରିଥିଲ? ତା’ ସ​‌େ​‌ତ୍ତ୍ବ ତମେ ନୈଷ୍ଠିକ ମିଶ୍ର ବ୍ରାହ୍ମଣଙ୍କ ଘରେ ଜନ୍ମିଛ ଓ ତମ ସାଙ୍ଗ ଗଙ୍ଗୁ ହରିଜନ ସାହିର ଅଇଁଠୁ ମଳିକ ଘରେ ଜନ୍ମିଛି। ଭାବୁନ ଦେଖି, ତମଠୁ ସେ ସରସା କି ନିରସା? ଢ଼େର ସରସା, ମାତ୍ର ତା’ର ଏ ଜନ୍ମ କେମିତି ସମ୍ଭବ ହେଲା? ସେମିତି ବି ମୃତ୍ୟୁ ମାମଲା। ଜନ୍ମ ଉପରେ ତମର ନିୟନ୍ତ୍ରଣ ନଥିଲା ପରି ମୃତ୍ୟୁ ଉପରେ ତମ ନିୟନ୍ତ୍ରଣ ବି ନାହିଁ। ‘‘ହାନି-ଲାଭ, ଜନମ-ମରଣ, ଯଶ-ଅପଯଶ ବିଧି ହାତ’’। ଆଉ ଭଲରେ ବଞ୍ଚିବା, ଅଧିକରୁ ଅଧିକ ବଞ୍ଚିବା ଗୋଟାଏ ମାନସିକ ମରୀଚିକା। ୟେ କ’ଣ କମ୍‌ ଯନ୍ତ୍ରଣାଦାୟକ! ତମକୁ ସ୍ବୟଂକ୍ରିୟ ଭାବେ ମିଳିବାକୁ ଥିବା ସୁଖ, ଶାନ୍ତିକୁ ଇୟେ ବ୍ୟାହତ, ଆହତ କରେ। ନିଜେ ବଞ୍ଚିବାକୁ କରୁଥିବା ଅଯଥାର୍ଥ ଉଦ୍ୟମ, ଅନ୍ୟ ବେକ ଉପରେ ଗୋଡ଼ ପକାଇ ଲଙ୍ଘିଯିବାର ବୁୁଦ୍ଧି, ପ୍ରୟାସ ଓ ଉଦ୍ୟମ ଯେ ତମ ପାଖକୁ ଲେଉଟି ଆସିବ, ବୁମେରାଂ ଭଳି କାମ କରିବ, ଏଥିରେ ସନ୍ଦେହ ନାହିଁ। ଏଇ ସ୍ବାର୍ଥପର ଚକ୍ରାନ୍ତ ଓ ଉଦ୍ୟମ ଏବେ ଏ ଜଗତକୁ ଏକ ଜାଲରେ ପରିଣତ କଲାଣି। ମୂଷାକୁ ମାରିବାକୁ ତମେ ଲଡ଼ୁରେ ବିଷ ମିଶାଉଚ ନା ନାହିଁ? ଯନ୍ତା ଭିତରେ ଶୁଖୁଆ ଥୋଇ ମୂଷାକୁ ସେଥିରେ ପକଉଚ ନା ନାହିଁ? ଇଏ ମଣିଷପଣିଆ! ଆରେ ବାବୁ ମଣିଷର ଏ ମାରଣ ବୁଦ୍ଧି ଏବେ ବିଶ୍ବ ବ୍ୟାପ୍ତ ହେଲାଣି। ରୋଗ ନାଶକାରୀ, ଜୀବନ ରକ୍ଷାକାରୀ ମୂଲ୍ୟବାନ ଔଷଧ ଓ ଇଞ୍ଜେକ୍ସନ ସବୁ ଭେଜାଲ ହେଲାଣି। ରୋଗ ଶେଯରେ ଛଟପଟ ହେଉଥିବା ଓ ଆରୋଗ୍ୟ ଆଶାରେ ବିକଳ ହେଉଥିବା ରୋଗୀଟିଏ ଚିକିତ୍ସା ପାଇଁ ଔଷଧ ପାଇଁ ଘରଦ୍ବାର ବିକ୍ରି କରି ଦେଉଛି। ମାତ୍ର ତା’ ଯଦି ଭେଜାଲ ହେଲା, ଇଏ କି ବିଶ୍ବାସଘାତକତା!!

ଏବେ ବେପାରପତ୍ର ଭାଇମାନେ ଏକ ଖବର ଛାପିଚନ୍ତି। ଯେଉଁଥିରେ ମଣିଷ ମଣିଷ ପାଇଁ କିପରି ମରଣ ଯନ୍ତା ସୃଷ୍ଟି କରୁଛି, ତା’ର ଉଦାହରଣ ମିଳିଛି। ଏବେ ବଜାରରେ ମାଛ, ମାଂସ, ଶୁଖୁଆ, ପରିବା ପତ୍ର ସବୁ ପ୍ରଚୁର ପରିମାଣରେ କେବଳ ମିଳୁନି; ତା’ ପ୍ରତିଯୋଗିତାମୂଳକ ଭାବେ ତାଜା, ସତେଜ ଓ ଆକର୍ଷଣୀୟ ହୋଇପାରୁଛି। ଆନ୍ଧ୍ରରୁ କାଲିଠୁ ଆସିଥିବା ରୋହି, ଭାକୁଡ଼ ମାଛ ସବୁ ଆଜି ସନ୍ଧ୍ୟା ସୁଦ୍ଧା ବି ସେମିତି ତାଜା ରହୁଥିବା ଓ ରକତ ସଦ୍ୟ କଟା ମାଛ ବା ମାଂସ ପରି ଦିଶୁଛି। ଏକୁ ବାସି ବୋଲି କହିବ କିଏ। ମାଛ ଦେହରେ ନାଲି ଟୁକୁଟୁକୁ ରକତ ସେମିତି ସଦ୍ୟ ଓ ସତେଜ ବୋହିଥିବା ଚିହ୍ନ ରହିଛି। ସଜ ଖାଇବା, ଭଲ ଖାଇବା ଆଶାରେ ମୋହିତ ମଣିଷ ଏ ସୁଯୋଗକୁ ଛାଡ଼ିବ କେମିତି? ଭୋଜନ ନିଶାଗ୍ରସ୍ତ ମଣିଷ ବୁଝିପାରୁନି ଯେ ଦି’ ଦିନ ତଳର ଏ ଜିନିଷ ସବୁ ତାଜା, ସତେଜ ରହୁଛି କେମିତି? ସେଇ ବେପାର ପତ୍ର ଏହାର ଗୁମର ଫିଟେଇ ଦେଇଛନ୍ତି। ସତରେ କି ଲଜ୍ଜାକର, କି ଭୟଙ୍କର! ମୃତ ଶରୀରକୁ ଆଶୁ ପଚିବାରୁ ରକ୍ଷା କରିବାକୁ ‘ଫର୍ମାଲିନ’ ନାମକ ଏକ ବିଷାକ୍ତ ରାସାୟନିକ ବ୍ୟବହାର କରାଯାଏ। ଏହା ମୃତ ଶରୀରକୁ ଦୁଇ ଚାରି ଦିନ ସତେଜ ରଖିପାରେ। ସେଇ ମୃତ ଶରୀରର ଏ ମାଂସକୁ ଯେଉଁ ପଶୁପକ୍ଷୀ ଖାଇବେ ତାଙ୍କର ମୃତ୍ୟୁ ହୋଇଯାଇଥାଏ। ଶାଗୁଣା ବା ଚିଲଙ୍କ ବଂଶ ବୁଡ଼ିଯିବା ହିସାବରେ ଫସଲରେ, ଖାଦ୍ୟରେ ରାସାୟନିକ ସାର ପ୍ରୟୋଗ ଫଳରେ ଶାଗୁଣା ପ୍ରଭୃତି ଜୀବଙ୍କ ବଂଶ ନାଶର କଳନା କରାଯାଉଛି। ଏବେ ଲାଭଖୋରୀ ମଣିଷ ନିଜ ଦେହରେ ଏହା ପ୍ରୟୋଗ କରୁଛି। ଏହି ବିଷାକ୍ତ ଓ ଭୟଙ୍କର ଫର୍ମାଲିନ୍‌କୁ ନିଜେ ଖାଉଥିବା ମାଛ, ଶୁଖୁଆ, ପନିପରିବାରେ ତାକୁ ସତେଜ ରଖିବାକୁ ଦିଆଯାଉଛି। ଏହାର ପରିଣାମରେ ମଣିଷ କ୍ୟାନସର, କିଡ୍‌ନୀ ଆଦି ବହୁ ଗୁରୁତର ରୋଗରେ ଆକ୍ରାନ୍ତ ହେଉଛି। ମହିଳାମାନଙ୍କ ଗର୍ଭନଷ୍ଟ, ସ୍ନାୟୁଗତ ରୋଗ ସହ ଶରୀରରୁ ରୋଗପ୍ରତିଷେଧକ ଶକ୍ତି ଏହା ଲୋପ କରି ଦେଇଥାଏ। କି ଦୟନୀୟ ଅବସ୍ଥା ଏ ବିଜ୍ଞାନୀ ପଣ୍ଡିତଙ୍କର! ଆନ୍ଧ୍ର, ପଶ୍ଚିମବଙ୍ଗ ଆଦି ବାହାରୁ ଆସୁଥିବା ମାଛ, ପନିପରିବାରେ ଏ ରାସାୟନିକ ପ୍ରୟୋଗ ଧାରାବାହିକ ଥିବାବେଳେ, ଆମ ଲୋକେ ବି ତାଙ୍କଠୁ କାହିଁକି କମ୍‌ ଲାଭ ପାଇବେ, ସେଇ ପ୍ରତିଯୋଗିତାରେ ଏବେ ଅନ୍ଧ। ନିକଟରେ ବିଷାକ୍ତ ପନିର କିଭଳି ଖାଉଟି ବଜାରକୁ ଛାଇଯାଇଥିଲା ସେ ଚର୍ଚ୍ଚା ଥମିନି। କେନ୍ଦ୍ର ସରକାର ଏହାର ଗୁରୁତ୍ବ ଓ ବିଷମୟ ପରିଣତି ଅନୁଭବ କରି ଏପରି ପ୍ରୟୋଗକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଲେଣି। ମାତ୍ର କାଇଁ କୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ? ବିଭାଗୀୟ କର୍ମକର୍ତ୍ତାମାନେ ସ୍ବୀୟ ବିଫଳତାର କୈଫିୟତ ଦେଇ କହୁଛନ୍ତି ଆମେ ସିନା ଗୋଦାମ ଚଢ଼ଉ କରିବୁ, ମାତ୍ର ଏଠୁ ମାଲ୍‌ ନେଇ ରାସ୍ତା କଡ଼ରେ ବିକିବାବାଲାଙ୍କୁ ଧରିବୁ କେମିତି? ବଡ଼ ହାସ୍ୟାସ୍ପଦ କୈଫିୟତ ଇଏ। ଏବେ ଅନେକ ଦେଶରେ ନିଶା ବା ମାଦକ ଦ୍ରବ୍ୟ ପାଇଁ କଠୋର ଦଣ୍ଡ ଏପରି କି ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଏ। କିଛି ଦିନ ତଳେ ସିଙ୍ଗାପୁରରେ ଜଣେ ମାଦକ ଦ୍ରବ୍ୟ କାରବାର ସଂପୃକ୍ତ ବ୍ୟକ୍ତିଙ୍କୁ ଫାଶୀ ଦିଆଗଲା। ଗତକାଲି ୩୬ ବର୍ଷ ବୟସର ଜଣଙ୍କୁ ଫାଶୀରେ ଝୁଲାଇ ଦିଆଯାଇଛି। ତେଣୁ ସେ ଦେଶରେ ଏଭଳି ବେଆଇନ କାରବାର ଚଳିପାରୁନି। ଆମ କର୍ମକର୍ତ୍ତା ଅମଲାମା​‌େ‌ନ ଗୋଦାମଠୁ ରାସ୍ତାକଡ଼କୁ ଯାଇପାରୁନାହାନ୍ତି। ଏଠି ତ ଏବେ ଏ ଜନ୍ମ ଅପରାଧୀଙ୍କୁ ଜିଅଲଖାନାରେ ପ୍ରବଚନ ଶୁଣାଯାଉଛି। ଓଟିଡିସି ଶୀତତାପ ନିୟନ୍ତ୍ରଣ ଗାଡ଼ିରେ ତୀର୍ଥ ବୁଲାଯାଉଛି, ସେଥିରେ ତାଙ୍କ ‘ଚରିତ୍ର’ କୁଆଡ଼େ ବଦଳିଯିବ! ଇଏ ହେଲା ଏ ଦେଶ! ଏଠି ବିଷମିଶା ଖାଦ୍ୟ ଖାଇବା ଏଙ୍କୁ ଫାବୁଛି। ମ​‌େନପଡ଼ୁଛି ରାଧାନାଥ ରାୟଙ୍କ ଲେଖା, ‘‘ଦେଖ ଦେଖ ଅଗ୍ରତେ ସରସୀ ଜଳେ, ପଡ଼ି ମଣ୍ଡୁକ କ୍ରୂର ଅହି-କବଳେ। ବିକଳେ ରାବୁ ରାବୁ ଊ​‌େ​‌ର୍ଦ୍ଧ୍ବ ଉଡ୍ଡୀନ, ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ। କାଳ କବଳେ ସିନା ଏ ରୂପେ ଭାଇ, ଆରତେ ନର ଘାରି ହେଉଣ ଥାଇ। ତେବେ ହେଁ ମନାସଇ ଲଭି ଏ ଦଶା, ମେଣ୍ଟାଇବାକୁ ଭବ-ଭୋଗ-ଲାଳସା।’’ ଖାଦ୍ୟରେ ବିଷ ମିଶାଇ ଲାଭ କରୁଥା’ରେ ବାପଧନ, ଲେଡି ଗୁଡ଼ କହୁଣି ଆଡୁଆ ହେଲାଣି।​‌

Comments are closed.