କୋଭିଡ୍ ଯୋଗୁଁ ଲୋକେ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ପାରି ନଥିବାବେଳେ ଅତ୍ୟଧିକ ଦରବୃଦ୍ଧି ସେମାନଙ୍କ ପାଇଁ କଠୋର ଦଣ୍ଡ ପାଲଟିଛି
ଗତ ମାସ ୨୨ ତାରିଖଠାରୁ ଏ ପର୍ଯ୍ୟନ୍ତ ଦେଶରେ ପ୍ରାୟ ପ୍ରତ୍ୟହ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବଢ଼ିବା ଦ୍ବାରା ଖାଉଟି ବଡ଼ ଚିନ୍ତାରେ ପଡ଼ିଲେଣି। ଏହାଦ୍ବାରା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଓ ଅନ୍ୟାନ୍ୟ ଦ୍ରବ୍ୟର ଦରଦାମ୍ ମଧ୍ୟ ଆକାଶଛୁଆଁ ହେଲାଣି; ତେଣୁ ଏହି ଦରବୃଦ୍ଧି ସମସ୍ତଙ୍କୁ ବାଧୁଛି। ସରକାର ଏହା ଜାଣିଥିବା ସତ୍ତ୍ବେ କୌଣସି ପଦକ୍ଷେପ ନ ନେବା ପ୍ରକୃତରେ ଚିନ୍ତାର ବିଷୟ। ପେଟ୍ରୋଲ୍, ଡିଜେଲ୍ର ଦର ବଢ଼ିବାର କାରଣ ଭାବେ ସରକାର ଓ ତୈଳ କମ୍ପାନୀଗୁଡ଼ିକର ସେହି ଚିରାଚରିତ ଉତ୍ତର ରହିଆସିଛି ଯେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି; କିନ୍ତୁ ତଥ୍ୟ କହୁଛି ଯେ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୧ ତାରିଖ ମଧ୍ୟରେ କ୍ରମାଗତ ଅଶୋଧିତ ତୈଳର ଦାମ୍ କମି ବ୍ୟାରେଲ୍ ପିଛା ୧୦୩ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ଏବଂ ସେହି ଦିନଠାରୁ ଏହା ପ୍ରାୟ ସ୍ଥିର ରହିଛି। ଅତଏବ ସଂପ୍ରତି ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ର ଦାମ୍ ବଢ଼ିବାର କାରଣ ଯେ ଆନ୍ତର୍ଜାତିକ ବଜାର ଦର ନୁହେଁ, ତାହା ବେଶ୍ ସ୍ପଷ୍ଟ। ପାଞ୍ଚଟି ରାଜ୍ୟର ନିର୍ବାଚନ ପାଇଁ ପ୍ରାୟ ତିନି ମାସ କାଳ ପେଟ୍ରୋଲିୟମ୍ ପଦାର୍ଥର ଦର ବୃଦ୍ଧି କରାଯାଇ ନଥିଲା। ଏପରିକି ସରକାର ଟିକସକୁ ମଧ୍ୟ କମାଇ ଦେଇଥିଲେ। ଏବେ କିନ୍ତୁ ସରକାର ନିଦାବିଷ୍ଣୁ ସାଜିଛନ୍ତି, କାରଣ ବର୍ତ୍ତମାନ କୌଣସି ନିର୍ବାଚନ ନାହିଁ। ଇଏ ସତରେ ଏକ ବଡ଼ ବିଡ଼ମ୍ବନାର କଥା ଯେ ସରକାରଙ୍କ ପାଇଁ ଜନସ୍ବାର୍ଥଠାରୁ ରାଜନୈତିକ ସ୍ବାର୍ଥ ବଡ଼ ହୋଇଯାଇଛି।
ଉଲ୍ଲେଖନୀୟ ଯେ ସରକାର ତୈଳରୁ ଯେତିକି ଆୟ ଆଶା କରିଥିଲେ, ସେଥିରୁ ଅଧିକ ଆୟ ହୋଇଥିବା କେତେକ ଅର୍ଥନୀତିଜ୍ଞ ଉଲ୍ଲେଖ କରିଛନ୍ତି। ଏହା ସତ୍ତ୍ବେ ସରକାର ପେଟ୍ରୋଲ୍, ଡିଜେଲର ଦର କମାଇବା ନିମନ୍ତେ କୌଣସି ପଦକ୍ଷେପ ନେଉନାହାନ୍ତି। ବର୍ତ୍ତମାନ ଲିଟର ପିଛା ପ୍ରାୟ ୨୭ ଟଙ୍କା ଉତ୍ପାଦ ଶୁଳ୍କ ଉପଭୋକ୍ତାଙ୍କଠାରୁ ଅସୁଲ କରାଯାଉଛି। ଏଥିରୁ ଯଦି କିଛି ଟିକସ ହ୍ରାସ କରାଯାଆନ୍ତା, ତେବେ ଉପଭୋକ୍ତାଙ୍କ କଷ୍ଟ ହୁଏତ କିଛିଟା ଲାଘବ ହୁଅନ୍ତା; କାରଣ ପେଟ୍ରୋଲ୍-ଡିଜେଲ୍ ଦର କମିଲେ ଅନ୍ୟ ପରିବହନ ଶୁଳ୍କ ହ୍ରାସ ପାଆନ୍ତା ଏବଂ ଜିନିଷପତ୍ରର ଦର ମଧ୍ୟ କମିପାରନ୍ତା। କେବଳ ପେଟ୍ରୋଲ୍-ଡିଜେଲ୍ ନୁହେଁ, ରନ୍ଧନ ଗ୍ୟାସ୍ର ମୂଲ୍ୟ ପ୍ରତି ପନ୍ଦର ଦିନରେ ବଢ଼ାଇ ସରକାର ଉପଭୋକ୍ତାଙ୍କ ଉପରେ ଆହୁରି ଅଧିକ ବୋଝ ଲଦି ଦେଉଛନ୍ତି। ଓଡ଼ିଶାର କଳାହାଣ୍ଡି, ମାଲକାନଗିରି ଭଳି ଜିଲାରେ ପେଟ୍ରୋଲ୍-ଡିଜେଲର ଅଭାବ ମଧ୍ୟ ଦେଖାଦେଇଛି। ଅପରପକ୍ଷେ, ଗ୍ୟାସ୍ ସିଲିଣ୍ଡର ଦାମ୍ ଏତେ ବୃଦ୍ଧି ପାଇଛି ଯେ ତାହା କିଣିବାକୁ ସାଧାରଣ ଲୋକଙ୍କ ବଳ ପାଉନାହିଁ। ସରକାର ଯେଉଁମାନଙ୍କୁ ଉଳା ଯୋଜନାରେ ସିଲିଣ୍ଡର ବାଣ୍ଟିଥିଲେ, ସେଥିରୁ ଅଧିକାଂଶ ଏବେ ବାଡ଼ିପଟେ ଗଡ଼ୁଛି। କୋଭିଡ଼ ଯୋଗୁଁ ଲୋକେ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ପାରିନଥିବାବେଳେ ଅତ୍ୟଧିକ ଦରବୃଦ୍ଧି ଜନସାଧାରଣଙ୍କ ପାଇଁ କଠୋର ଦଣ୍ଡ ଭଳି ହୋଇଛି। ସରକାର ଏହା ବୁଝି ନପାରିବା ବା ଜାଣି ଅଜଣା ରହିବା ବାସ୍ତବିକ ପରିତାପର ବିଷୟ।
ଦରଦାମ୍ ବୃଦ୍ଧିକୁ ନେଇ ନିକଟରେ ବିରୋଧୀ ଦଳ ମିଳିତ ଭାବେ ସଂସଦର ଉଭୟ ଗୃହରେ ଆଲୋଚନା କରିବାକୁ ଦାବି କରିଥିଲେ; କିନ୍ତୁ ସରକାର ଏହାକୁ ନେଇ ସକାରାତ୍ମକ ମନୋଭାବ ଦେଖାଇଲେ ନାହିଁ। ଏପରି କି ଲୋକସଭା ଅଧ୍ୟକ୍ଷ ପ୍ରଶ୍ନକାଳ ଓ ଶୂନ୍ୟକାଳକୁ ମଧ୍ୟ ରଦ୍ଦ କରିଦେଇଥିଲେ। ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ହୋଇପାରୁ ନାହିଁ। ରାଜ୍ୟସଭାରେ ମଧ୍ୟ ସ୍ଥିତି ଅନୁରୂପ। ପୂର୍ବରୁ ହିଁ ବିରୋଧୀ ଦଳ ମହରଗକୁ ପ୍ରସଙ୍ଗ କରି ଆନ୍ଦୋଳନ କରିଆସୁଛନ୍ତି; ତଥାପି ସଂସଦରେ ଏ ନେଇ ଆଲୋଚନା କରିବାକୁ ଦିଆଯାଉ ନାହିଁ। ଉଦ୍ବେଗର କଥା, ବିଗତ କେତେକ ଅଧିବେଶନରେ ଦେଖାଯାଇଛି ଯେ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ନେଇ ବିରୋଧୀ ଉଠାଉଥିବା ପ୍ରଶ୍ନରୁ ସରକାର ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଆସୁଛନ୍ତି। ରାଫେଲ୍ କ୍ରୟ ହେଉ କି କୃଷି ବିଧେୟକ ଅଥବା ପେଗାସସ୍ ପ୍ରକରଣ ହେଉ, ସରକାର ଆଲୋଚନାର ବାଟ ପରିହାର କରିବାକୁ ଉଚିତ ମଣିଛନ୍ତି। ଏହାର ପରିଣତି ହୋଇଛି ସଂସଦରେ ହଟ୍ଟଗୋଳ ଓ କାର୍ଯ୍ୟଅବଧି ସଂପୂର୍ଣ୍ଣ ନଷ୍ଟ। ଏପରି କି ଅନେକ ଜରୁରୀ ବିଧେୟକ ବିନା ଆଲୋଚନାରେ ମଧ୍ୟ ସରକାରୀ ପକ୍ଷ ଗୃହୀତ କରାଇ ନେଇଥିବା ଦେଖାଯାଇଛି। ଏଥର ସରକାର ମହରଗ ପ୍ରସଙ୍ଗରେ ମଧ୍ୟ ସେହିପରି ନିଷ୍ପୃହ ଭାବ ଦେଖାଇଚାଲିଛନ୍ତି, ଯାହା ଆଦୌ ବାଞ୍ଛନୀୟ ନୁହେଁ। ଏହା ଏପରି ଏକ ପ୍ରସଙ୍ଗ, ଯାହାକୁ ନେଇ ରାଜନୀତି କରିବା ବଦଳରେ ସରକାର ଓ ବିରୋଧୀ ଦଳ ମିଳିମିଶି ସମାଧାନର ରାସ୍ତା ଖୋଜିବା ଦରକାର। କହିବା ବାହୁଲ୍ୟ ଯେ ଏଥିପାଇଁ ସରକାରଙ୍କୁ କଠୋର ନହୋଇ ବିରୋଧୀଙ୍କୁ ସାଥୀରେ ନେଇ ଚାଲିବାକୁ ପଡ଼ିବ ଏବଂ ଆଲୋଚନା ପାଇଁ ସମସ୍ତ ଦଳଙ୍କୁ ଆମନ୍ତ୍ରଣ କରିବାକୁ ହେବ। ସଂସଦ ଅଧିବେଶନ ଚାଲୁଥିବାରୁ ଆଲୋଚନା ପାଇଁ ଏହାଠୁ ବଳି ଉତ୍ତମ ମଞ୍ଚ ଆଉ କିଛି ନ ଥାଇପାରେ। ସମସ୍ତେ ଏକାଠି ଆଲୋଚନା କଲେ ଏ ସଙ୍କଟର ବ୍ୟାବହାରିକ ସମାଧାନ ଅବଶ୍ୟ ବାହାରିପାରିବ। ଏଥିପାଇଁ ସରକାରଙ୍କ ଇଚ୍ଛାଶକ୍ତି ଜରୁରୀ। କେବଳ ବହୁମତ ବଳରେ ବଳୀୟାନ ହୋଇ ବିରୋଧୀଙ୍କ ପ୍ରସଙ୍ଗଗୁଡ଼ିକୁ ଉପେକ୍ଷା କଲେ ଦେଶବାସୀ ସରକାରଙ୍କୁ କେବେ କ୍ଷମା ଦେବେ ନାହିଁ।



