ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ରୁଷ-ୟୁକ୍ରେନ୍ ଯୁଦ୍ଧ ଆଉ ଏକ ମହାଯୁଦ୍ଧ। ଏହି ଯୁଦ୍ଧ ଦ୍ବିତୀୟ ମାସରେ ପହଞ୍ଚିଥିଲାବେଳେ ଏହା ବିଶ୍ବଯୁଦ୍ଧ ଆଡ଼କୁ ଗତି କରୁ ନାହିଁ ତ? ତୃତୀୟ ବିଶ୍ବଯୁଦ୍ଧ ପରମାଣୁ ଅସ୍ତ୍ରର ଯୁଦ୍ଧ ହେବ- ଏ ଆଶଙ୍କା ଅମୂଳକ ନୁହେଁ। ଦ୍ବିତୀୟ ବିଶ୍ବଯୁଦ୍ଧର ପରମାଣୁ ବୋମାର ବିଭୀଷିକାକୁ ଇତିହାସ କେବେ ବି ଭୁଲିପାରିବ ନାହିଁ; ତଥାପି ସଭ୍ୟ ବୋଲାଉଥିବା ମାନବ ସମାଜ ଏବେ ପରମାଣୁ ତଥା ଅନ୍ୟାନ୍ୟ ଘାତକ ଅସ୍ତ୍ରର ବାରୁଦ ଗଦା ପରେ ଦଣ୍ଡାୟମାନ। ଗୁଳି, ବୋମା, କ୍ଷେପଣାସ୍ତ୍ର ଥରେ ‘ବେରେଲ’ରୁ ବାହାରି ଯିବା ପରେ ଚିହ୍ନି ପାରିନଥାଏ କିଏ ଶିଶୁ, ବୃଦ୍ଧ, ନିରୀହ, ଦୋଷୀ ଅଥବା ନିର୍ଦୋଷ। କେବଳ ଲକ୍ଷ୍ୟ ଥାଏ ମାରିବା ଏବଂ ଧ୍ବଂସ କରିବା। ମଣିଷର ଶତ୍ରୁ ମଣିଷ ହିଁ ପାଲଟିଛି ଓ ପାଲଟିଯାଇଛି ନିର୍ମମ, ନିଷ୍ଠୁର ତଥା ହୃଦୟହୀନ। ସୁନ୍ଦର ଧରାବକ୍ଷକୁ ଆମନ୍ତ୍ରଣ କରିଛି ତାଣ୍ଡବ ଲୀଳା; ଫଳରେ ରକ୍ତ ରଞ୍ଜିତ ଆଜି ଏହି ସୁନ୍ଦର ପୃଥିବୀ। ସମସ୍ତେ ଜାଣନ୍ତି ରକ୍ତକ୍ଷୟୀ ଯୁଦ୍ଧର ପରିଣତି କେତେ ବିଭୀଷିକାପୂର୍ଣ୍ଣ ତଥାପି ଯୁଦ୍ଧର ବିଗୁଲ ବଜାଇ ବ୍ୟବହାର କରୁଛି ସାଇତି ଥିବା ମାରଣାସ୍ତ୍ର, ବାୟୋନେଟ୍ର ରକ୍ତାକ୍ତ ପ୍ରଲେପ ଦେଖି ହେଉଛି ଉତ୍ଫୁଲ୍ଲିତ। ନିଜକୁ ସର୍ବଶକ୍ତିମାନ ବୋଲି ପ୍ରତିପାଦିତ କରିବାପାଇଁ ସମଗ୍ର ବିଶ୍ବରେ ଚାଲିଛି ଯୁଦ୍ଧାସ୍ତ୍ର ଠୁଳ କରିବାର ପ୍ରତିଯୋଗିତା। ପ୍ରଭୁତ୍ବ ବିସ୍ତାର କରିବାକୁ ଆଣବିକ, ଜୈବିକ, ରାସାୟନିକ ଅସ୍ତ୍ର ପ୍ରୟୋଗର ଭୟ ଦେଖାଇ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି। ବ୍ୟୟ ହେଉଛି ଅମାପ ଅର୍ଥ।
ଆତଙ୍କବାଦର ବିଲୋପନ ବା ଯୁଦ୍ଧ ପରିସମାପ୍ତି ଅଥବା ଚିରନ୍ତନ ଶାନ୍ତି ପ୍ରତିଷ୍ଠା କଥା କହୁଥିବା ଅସ୍ତ୍ର ଉତ୍ପାଦନକାରୀ ରାଷ୍ଟ୍ରର ଏହା ଆଦୌ କାମ୍ୟ ନୁହେଁ। ଯଦି ସେଇଆ ହୋଇଥାନ୍ତା, ତେବେ ତା’ର ବୃହତ୍ ଅସ୍ତ୍ରଶସ୍ତ୍ର ନିର୍ମାଣ ଶିଳ୍ପର ବ୍ୟବସାୟ ଚାଲିବ କେମିତି? ତା’ର ଯୁଦ୍ଧାସ୍ତ୍ର ବେପାରୀମାନେ ଟ୍ରିଲିୟନ ଡଲାରର ମାଲିକ ହୁଅନ୍ତେ କିପରି? ସମେସ୍ତ ଭଲ ଭାବେ ଜାଣନ୍ତି ରକ୍ତକ୍ଷୟୀ ଯୁଦ୍ଧ ଶେଷ ହେବା ପରେ ନେତାମାନେ କରମର୍ଦନ କରନ୍ତି, କୁଣ୍ଢାକୁଣ୍ଢି ହୁଅନ୍ତି, ମାତ୍ର ସନ୍ତାନକୁ ହରାଇ ଥିବା ପିତାମାତା, ସ୍ବାମୀଙ୍କୁ ହରାଇଥିବା ପତ୍ନୀ, ପିତାଙ୍କୁ ହରାଇଥିବା ପୁତ୍ର, ଅଙ୍ଗହରାଇ ପଙ୍ଗୁ ହୋଇଯାଇଥିବା ସୈନିକ ଆଜୀବନ ଯମଯନ୍ତ୍ରଣାରେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତିି। ପ୍ରତ୍ୟେକ ଯୁଦ୍ଧରେ ଯେତିକି ସଂଖ୍ୟକ ସୈନିକ ମୃତ୍ୟୁବରଣ କରନ୍ତି, ତା’ଠାରୁ ଅଧିକ ଯୁଦ୍ଧ ସହ ସଂପୃକ୍ତ ନଥିବା ସାଧାରଣ ନିରୀହଙ୍କର ମୃତ୍ୟୁ ହୋଇଥାଏ। ତଥାପି ଅସ୍ତ୍ର ନିର୍ମାଣକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ପୁଣି ଯୁଦ୍ଧାସ୍ତ୍ର ନିର୍ମାଣରେ ତତ୍ପର ହୁଅନ୍ତି, ଯୁଦ୍ଧାସ୍ତ୍ର ବଜାର ପୁଣି ସରଗରମ ହୋଇଉଠେ। ବର୍ତ୍ତମାନ ସାରା ବିଶ୍ବରେ ଆଧୁନିକ ଅସ୍ତ୍ର ଆହରଣ ପାଇଁ ଚାଲିଛି ପ୍ରତିଯୋଗିତା। ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ‘ଯୁଦ୍ଧ’, ‘ଜାତୀୟ ନିରାପତ୍ତା’ ଆଦି ଉପରେ ଅନର୍ଗଳ ଭାଷଣ ଦେଉଥିବାବେଳେ ମାନବ ସମାଜର ସମୂହ ଉନ୍ନତି, ଅଗ୍ରଗତି, ସାମାଜିକ ପ୍ରତିଷ୍ଠା, ବନ୍ଧୁତା ଉପରେ ଗୁରୁତ୍ବାରୋପ କମ୍ ହେଉଛି। ହିଂସା, ଘୃଣା, ପ୍ରତିଶୋଧ ପରାୟଣତାର ମାନସିକ ସ୍ଥିତିରେ ଥାଇ ସମଗ୍ର ମାନବ ସମାଜ ଶାନ୍ତି ପ୍ରଗତି ଉପରେ ଧ୍ୟାନ ନଦେଇ କେବଳ ନିଜର ସ୍ବାର୍ଥ ସାଧନରେ ବ୍ରତୀ।
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୋରିଆ, ଭିଏତ୍ନାମ, ଲିବ୍ୟା, ସିରିଆ, ଇରାକ୍ ଆଫଗାନିସ୍ତାନ, ୟେମେନ୍, ଚେକୋସ୍ଲୋଭାକିଆ ତଥା ଅନ୍ୟାନ୍ୟ ଛୋଟବଡ଼ ସଂଘର୍ଷ କାରଣରୁ ବିଶ୍ବ-ଅସ୍ତ୍ରବଜାରରେ ଅସ୍ତ୍ରନିର୍ମାଣକାରୀ ଶିଳ୍ପପତି ଓ ଅସ୍ତ୍ର ବିକ୍ରୟକାରୀ ସୌଦାଗରମାନେ ଅଧିକ ସକ୍ରିୟ ହୋଇ ଉଠିବା ସହ ଅଧିକ ଲାଭବାନ ହୋଇଛନ୍ତି। ଯେ କୌଣସି ଯୁଦ୍ଧରେ ବିପୁଳ ପରିମାଣର ଅସ୍ତ୍ର ବ୍ୟବହାର ହେବା କାରଣରୁ ଯୁଦ୍ଧାସ୍ତ୍ରଗୁଡ଼ିକର ନିର୍ମାଣ, ଆହରଣ ଓ ବିକ୍ରୟ ବଢ଼ିଯାଏ ଏବଂ ଅଧିକ ଅର୍ଥଲାଭର ରାସ୍ତା ମଧ୍ୟ ଖୋଲିଯାଏ। ଫଳରେ ଲାଭଖୋର ଅସ୍ତ୍ର ବ୍ୟବସାୟୀମାନେ ଅଧିକରୁ ଅଧିକ ଅର୍ଥ ଲାଭ ଲାଳସାରେ ଯୁଦ୍ଧର ପରିସମାପ୍ତି କିପରି ନଘଟିବ ଏବଂ ଏହା କିପରି ଦୀର୍ଘକାଳ ଜାରି ରହିବ, ସେଥିପାଇଁ ସେମାନେ ସମସ୍ତ ପ୍ରକାର କଳବଳ କୌଶଳ ପ୍ରୟୋଗ କରିଥାନ୍ତି।
ରୁଷିଆ- ୟୁକ୍ରେନ୍ ଯୁଦ୍ଧ ଭୂମିରେ ବିଜୟର ଟିକା ହାସଲ ପାଇଁ ରୁଷ ସମସ୍ତ ପ୍ରଚେଷ୍ଟା ଜାରି ରଖିଥିଲାବେଳେ ଆମେରିକା ଯୁଦ୍ଧାସ୍ତ୍ର ନିର୍ମାଣକାରୀ ଉଦ୍ୟୋଗଗୁଡ଼ିକ କିପରି ଅସ୍ତ୍ର ଯୋଗାଇ ଅଧିକ ଲାଭବାନ ହେବେ ସେହି ଚିନ୍ତା ତାଙ୍କୁ ଘାରିଛି। ୟୁକ୍ରେନକୁ ସହାୟତା ପ୍ରଦାନ ଆଳରେ ଏବେ ନିକଟରେ ଆମେରିକା ଦ୍ବାରା ଘୋଷିତ ‘ଇମ୍ରଜେନ୍ସୀ-ଏଡ୍-ପ୍ୟାକେଜ୍’ଦ୍ବାରା ଆମେରିକୀୟ ଯୁଦ୍ଧ ନିର୍ମାଣକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ୧୩ ବିଲିୟନ ଡଲାରରେ ସମୃଦ୍ଧ। ରୁଷର ୟୁକ୍ରେନ ଆକ୍ରମଣର ଠିକ୍ ପୂର୍ବରୁ ଆମେରିକା ୧ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ର ୟୁକ୍ରେନ୍କୁ ଯୋଗାଇ ଦେଇଥିଲା। ଯୁଦ୍ଧ ଘନଘଟା ଭିତରେ ୩୫୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ୟୁକ୍ରେନ୍କୁ ଯୋଗାଇ ଦେବାସହ ତା’ର ସୁରକ୍ଷା ପାଇଁ ଆଉ ୮୦୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ବାଇଡେନ୍ ପ୍ରଶାସନ ଘୋଷଣା କରିଛି। ଏଥିରେ ଷ୍ଟିନ୍ଜର କ୍ଷେପଣାସ୍ତ୍ର, ଜାଭେଲିନ୍ କ୍ଷେପଣାସ୍ତ୍ର, ଏଣ୍ଟି ଟ୍ୟାଙ୍କ ଉଇପନ, ମୋଟାର ବୋମା, ରାଇଫଲ, ମେସିନ୍ଗନ, ହାତରେ ଚଳାଯାଉଥିବା ଅସ୍ତ୍ରଶସ୍ତ୍ର ଏବଂ ବହୁ ପରିମାଣର ଗୁଳିଗୋଳା ସାମିଲ ଥିବାର ସୂଚନା ମିଳେ। ୟୁରୋପୀୟ ସଂଘ ମଧ୍ୟ ୫୨୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଓ କାନାଡ଼ା ୩୯୪ ନିୟୁତ ଡଲାର ମୂଲ୍ୟର ସହାୟତା ୟୁକ୍ରେନ୍ର ଶକ୍ତି ପ୍ରଦର୍ଶନରେ ସହାୟକ ହୋଇଥିବାର ଅନୁଭୂତ ହୁଏ। ବହୁ ବିଲିୟନ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ଏହି ସବୁ ଯୁଦ୍ଧାସ୍ତ୍ରଗୁଡ଼ିକ ଏହାର ନିର୍ମାଣକାରୀ ଶିଳ୍ପପତି ଓ ଏହାର ବିକ୍ରୟ ପାଇଁ ତତ୍ପର ଥିବା ବେପାରୀଙ୍କୁ ବେଶ୍ ସୁହାଉଛି- ଏଥିରେ ସନ୍ଦେହ ନାହିଁ। ବିଶ୍ବବ୍ୟାଙ୍କ୍ର ଅର୍ଥନୀତିଜ୍ଞ ଓ ହାଭାର୍ଡ ବିଶ୍ବବିଦ୍ୟାଳୟର ଆକଳନ ଅନୁସାରେ ଇରାକର ସଦ୍ଦାମ ହୁସେନ ଆଣବିକ ଓ ରାସାୟନିକ ଯୁଦ୍ଧାସ୍ତ୍ର ରଖିଥିବାର ଡିଣ୍ଡିମ ପିଟି ଆମେରିକା ତାଙ୍କୁ ଗାଦିଚ୍ୟୁତ କରିବାକୁ ଯେଉଁ ଯୁଦ୍ଧ ରଚନା କରିଥିଲା ତା’ର ପରିମାଣ ଥିଲା ୩ ଟ୍ରିଲିୟନ ଡଲାର। ଆମେରିକା ଗଠିତ ସଙ୍ଗଠନରେ ସାମିଲ ଥିବା ସାଉଦି ଆରବକୁ ୬୦ ବିଲିଅନ ଡଲାର ଓ କୁଏତ୍କୁ ୩୨ ବିଲିଅନ ଡଲାର ଦେବାକୁ ପଡ଼ିଥିଲା। ୟୁକ୍ରେନ୍ ଯୁଦ୍ଧରେ ମଧ୍ୟ ଆମେରିକା ତା’ ସପକ୍ଷରେ ଥିବା ରାଷ୍ଟ୍ରଗୁଡ଼ିକଠାରୁ ଅର୍ଥ ପାଇବ ବୋଲି ଆଶା କରାଯାଏ।
ନିଷିଦ୍ଧ ଅସ୍ତ୍ର ପ୍ରସ୍ତୁତିରେ କେତେକ ଦେଶ ଏବେ ମଧ୍ୟ ବ୍ୟସ୍ତ। ପୃଥିବୀର ବିଭିନ୍ନ ଦେଶରେ ଆମେରିକା ପ୍ରାୟ ୩୦୦ରୁ ଅଧିକ ଜୈବ ଓ ରାସାୟନିକ ପରୀକ୍ଷାଗାର ପାଇଁ ଅର୍ଥ ଯୋଗାଇ ଦେବା ସହ ୟୁକ୍ରେନରେ ୨୦ରୁ ୨୫ ସଂଖ୍ୟକ ଏହି ପ୍ରକାର ପରୀକ୍ଷାଗାର ଥିବା ରୁଷ ଅଭିଯୋଗ କରିଥିଲା। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ‘ରୋଜାମଣ୍ଡ ସେନେକା’ କମ୍ପାନୀ ଜରିଆରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପୁତ୍ର ହଣ୍ଟର ବାଇଡେନ୍ ୟୁକ୍ରେନ୍ରେ ଜୈବ-ଅସ୍ତ୍ର ନିର୍ମାଣ କାର୍ଯ୍ୟକ୍ରମକୁ ଅର୍ଥ ଯୋଗାଇଛନ୍ତି। ଯେଉଁ ଅସ୍ତ୍ର ସମଗ୍ର ମାନବ ଜାତି ପାଇଁ କ୍ଷତିକାରକ ସେ ସବୁର ନିର୍ମାଣ ବନ୍ଦ କରିବାକୁ ଚିତ୍କାର କରୁଥିବା ଆମେରିକା ଏଭଳି ହୀନ, ଜଘନ୍ୟ କାର୍ଯ୍ୟରେ ଲିପ୍ତ ଯୁଦ୍ଧକ୍ଷେତ୍ର ହିଁ ଅସ୍ତ୍ର ପରୀକ୍ଷଣର ପ୍ରକୃଷ୍ଟ କ୍ଷେତ୍ର। ରୁଷ ୟୁକ୍ରେନ ବିପକ୍ଷରେ ଏବେ ନିକଟରେ ଅଧିକ ବିଧ୍ବଂସକ ‘ଭାକ୍ୟୁମ୍-ବୋମା’ ବ୍ୟବହାର କରିଥିବାର ସ୍ବୀକାର କରିଛି। ଭାକ୍ୟୁମ୍ ବୋମା ବିସ୍ଫୋରଣ କ୍ଷେତ୍ରରେ ଥିବା ବ୍ୟକ୍ତି ଏହାର ଧ୍ବଂସକାରୀ ପ୍ରଭାବରୁ ରକ୍ଷା ପାଇବା କଷ୍ଟ। ମନୁଷ୍ୟ ଶରୀରରେ ଥିବା ଚାପ ବାହାର ଠାରୁ ଅଧିକ ଥିବାରୁ ଶରୀର ମଧ୍ୟରୁ ବାୟୁ ବାହାରକୁ ଆସିଲାବେଳେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଫଟାଇଦେଇଥାଏ। ଏହି ‘ଭାକ୍ୟୁମ୍ ବୋମା’ର ମନୁଷ୍ୟ ଶରୀରକୁ ବାଷ୍ପୀଭୂତ କରିଦେବାର କ୍ଷମତା ମଧ୍ୟ ରହିଛି।
କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ଦେଶଗୁଡ଼ିକୁ ଅସ୍ତ୍ର ଯୋଗାଣର ଶିଥିଳତା ପରେ ଏବେ ପୃଥବୀର ଅସ୍ତ୍ର ନିର୍ମାଣକାରୀ ସଂସ୍ଥା ଓ ଏହାର ସୌଦାଗରମାନେ ବେଶ୍ ଚଳଚଞ୍ଚଳ। ଯୁଦ୍ଧାସ୍ତ୍ରର ନିର୍ମାଣକାର୍ଯ୍ୟ ବଢ଼ାଇବା ସହ ସେଗୁଡ଼ିକୁ ବିଭିନ୍ନ ଦେଶକୁ ବିକ୍ରୟ କରି ଅଧିକ ଲାଭ ଉଠାଇପାରିବେ ସେଥିପାଇଁ ହୋଇଉଠିଛନ୍ତି ତତ୍ପର। ଆମେରିକା, ରୁଷିଆ, ଚୀନ, ଇଂଲଣ୍ଡ, ଫ୍ରାନ୍ସ ଭଳି ଦେଶଗୁଡ଼ିକ ମଧ୍ୟରେ ଅସ୍ତ୍ର ବିକ୍ରୟ କରିବାକୁ ଚାଲିଛି ପ୍ରତିଯୋଗିତା। ସାଉଦି ଆରବ, ଭାରତ, ପାକିସ୍ତାନ, ଇରାକ୍, ବାଂଲାଦେଶ, ତାଇୱାନ, ଆଫ୍ଗାନିସ୍ତାନ ଭଳି ଦେଶଗୁଡ଼ିକ ଅସ୍ତ୍ର କିଣିବାରେ ଅଧିକ ସକ୍ରିୟ। ପାକିସ୍ତାନ ଉପରେ କରଜର ଭାର ୧୧.୮ ଟ୍ରିଲିଅନ୍ ଡଲାରରେ ପହଞ୍ଚିଥିଲେ ମଧ୍ୟ ଚୀନ୍ ଓ ରୁଷ୍ଠାରୁ ଅସ୍ତ୍ର ଆହରଣରେ ଅଧିକ ଆଗ୍ରହୀ। ପାକିସ୍ତାନକୁ ଅସ୍ତ୍ର ଯୋଗାଇ ସମଗ୍ର ଦକ୍ଷିଣ ଏସିଆରେ ଏବଂ ବିଶେଷ ଭାବେ ଭାରତ ବିପକ୍ଷରେ ଏହାର ବ୍ୟବହାର ହେଉଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଆମେରିକା ପାକିସ୍ତାନକୁ ଅସ୍ତ୍ର ଯୋଗାଇବାରେ ବିରତ ହୋଇନାହିଁ। ପାକିସ୍ତାନ ରୁଷ ସହ ବନ୍ଧୁତା ବଢ଼ାଇ ୨୦୨୦ ମସିହାରେ ‘ଏମ୍ଆଇ-୩୫’ ଏସଲ୍ଟ ହେଲିକପ୍ଟର ଏବଂ ଏଣ୍ଟି ଟ୍ୟାଙ୍କ୍ ସିଷ୍ଟମ ଆହରଣ କରିଛି। ଚୀନ୍ ପ୍ରାୟ ସମସ୍ତ ପ୍ରକାର ଯୁଦ୍ଧାସ୍ତ୍ର ପାକିସ୍ତାନକୁ ଯୋଗାଇବାରେ ଲାଗିଛି। ତାଇୱାନ୍ ଭଳି ଦେଶ ଆମେରିକାଠାରୁ ୧୨ ବିଲିଅନ୍ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଖରିଦ କରିବାରେ ସମର୍ଥ ହୋଇଛି। ଯଦିଓ ଭାରତ ରୁଷଠାରୁ ପ୍ରାୟ ୭୦ ପ୍ରତିଶତ ଯୁଦ୍ଧାସ୍ତ୍ର ଆହରଣ କରିଛି, ମାତ୍ର ଏହା ଏବେ ୪୯ ପ୍ରତିଶତରେ ସୀମିତ।
ଶାନ୍ତି ସ୍ଥାପନକୁ ମୂଳ ଲକ୍ଷ୍ୟ ରଖି ବହୁ ଚୁକ୍ତି ସ୍ବାକ୍ଷରିତ ହେଉଛି ମାତ୍ର ତାହା ରହିଯାଉଛି କାଗଜକଲମରେ- ସ୍ବାର୍ଥାନ୍ଧ ରାଷ୍ଟ୍ର ନାୟକଙ୍କ ଚକ୍ରାନ୍ତ କାରଣରୁ ଯୁଦ୍ଧ ଅଶାନ୍ତିର କଳା ବାଦଲରେ ସମଗ୍ର ବିଶ୍ବ ଆଜି ଆଚ୍ଛନ୍ନ। ଏହି ପ୍ରସଙ୍ଗରେ ଆଇଜେନ୍ ହାୱାର କହିଥିଲେ- ‘ପ୍ରତ୍ୟେକ ବନ୍ଧୁକ, ଯୁଦ୍ଧଜାହାଜ, କ୍ଷେପଣାସ୍ତ୍ର, ବୋମା ସୂଚନା ଦିଅନ୍ତି ଯେ ଦେଶ କିଛି ଚୋରି କରିଛି। କାହାଠାରୁ? ଦୁଇ ବେଳା ଖାଇବାକୁ ପାଉନଥିବା ଗରିବଠାରୁ, ଦେହ ଘୋଡ଼ାଇବାକୁ ଲୁଗା ଖଣ୍ଡେ ନଥିବା ଲୋକଠାରୁ, ପିଲାଙ୍କ ପଢ଼ିବାକୁ ବହି ଦେଇ ପାରୁନଥିବା ପିତାମାତାଙ୍କଠାରୁ ଚୋରି କରି ଅସ୍ତ୍ର-ଶସ୍ତ୍ର ନିର୍ମାଣ କରାଯାଉଛି। ଅସ୍ତ୍ର ବଳରେ ବଳୀୟାନ ହେବାପାଇଁ ଦେଶ କେବଳ ଟଙ୍କା ଖର୍ଚ୍ଚ କରୁନାହିଁ। ଏହା ଶ୍ରମିକର ଝାଳ, ବୈଜ୍ଞାନିକମାନଙ୍କ ଜ୍ଞାନ ଓ ପିଲାଙ୍କର ଭବିଷ୍ୟତର ଆଶା ଭରସାକୁ ବି ଖର୍ଚ୍ଚ କରି ଦେଉଛି। ପ୍ରକୃତ ଅର୍ଥରେ ଏହା ପ୍ରଗତି ନୁହେଁ; ଭୟଙ୍କର ଯୁଦ୍ଧ ବାଦଲ ତଳେ ମାନବଜାତି ଆଜି ଗୋଟିଏ ଲୌହ କ୍ରୁଶରେ ଝୁଲୁଛି।’
ଅସ୍ତ୍ର ନିର୍ମାଣକାରୀ ପ୍ରତିଷ୍ଠାନ ଓ ଅସ୍ତ୍ରବିକ୍ରୟ କରୁଥିବା ବେପାରୀ ଏହାକୁ ହୃଦୟଙ୍ଗମ କରିପାରିବେ କି?

