OMC 1 banner

ଶଠ ମିତ୍ର ପ୍ରତି ସାବଧାନ

ଭାରତ ମିତ୍ରତା ବନ୍ଧନରେ ଅନ୍ଧ ନ ହୋଇ ଆମେରିକାର ପ୍ରତିଟି ନିଷ୍ପତ୍ତିକୁ ତର୍ଜମା କରିବା ଆବଶ୍ୟକ

ଆମେରିକା ଅର୍ଥ ମନ୍ତ୍ରଣାଳୟ ଭାରତ ସମେତ ସିଙ୍ଗାପୁର, ଥାଇଲାଣ୍ଡ ଓ ମେକ୍ସିକୋ ପରି ୧୦ଟି ଦେଶକୁ ‘ଅନୁଚିତ ମୁଦ୍ରା ବ୍ୟବହାର’ (କରେନ୍ସି ମେନିପୁଲେଟର) ତାଲିକାରେ ରଖିଛି। ଏହି ଦେଶମାନେ ନିଜ ସ୍ବାର୍ଥ ପାଇଁ ମୁଦ୍ରାକୁ ଏପଟସେପଟ କରୁଥିବା ଆମେରିକା ଅଭିଯୋଗ କରିଛି । ବିଦେଶୀ ବଜାରରେ ଭାରତ ଅଯଥା ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ ବୋଲି ଆମେରିକା କହିଛି। ବିଦେଶୀ ମୁଦ୍ରା ବଜାରରେ ଭାରତର ହସ୍ତକ୍ଷେପକୁ ରୋକିବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଭାରତ ବିରୋଧରେ ଆମେରିକା ଏପରି ପଦକ୍ଷେପ ନେଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଉଠାଇ ଦେଇଥିଲା। ଏବେ ଦ୍ବିତୀୟ ଥର ପାଇଁ ଭାରତକୁ ଏହି ତାଲିକାରେ ସ୍ଥାନିତ କରିଛି।

ସମୟେସମୟେ ନିୟମିତ ଭାବେ କେତେକ ଦେଶକୁ ଆମେରିକା ଏହି ତାଲିକାରେ ସାମିଲ କରିଥାଏ। ସବୁଠାରୁ ଅଧିକ ଚୀନ୍‌ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ଯେଉଁ ଦେଶ ଜାଣିଶୁଣି ଅନୁଚିତ ମୁଦ୍ରା ବ୍ୟବହାର ମାଧ୍ୟମରେ ଡଲାର ତୁଳନାରେ ନିଜ ଦେଶର ମୁଦ୍ରାକୁ ଅବମୂଲ୍ୟାୟନ କରୁଛନ୍ତି ଆମେରିକା ସମ୍ପୃକ୍ତ ଦେଶମାନଙ୍କ ବିରୋଧରେ ଏପରି ପଦକ୍ଷେପ ନେଇଥାଏ ା ଅନ୍ୟ ଦେଶଠାରୁ ଲାଭ ପାଇବା ଉଦ୍ଦେଶ୍ୟରେ କେତେକ ଦେଶ ଜାଣିଶୁଣି ନିଜ ମୁଦ୍ରାର ଅବମୂଲ୍ୟାୟନ କରିଥା’ନ୍ତି। ଏହାଦ୍ବାରା ଉକ୍ତ ଦେଶର ରପ୍ତାନି ଖର୍ଚ୍ଚ କମ୍‌ ହୋଇଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆମେରିକୀୟ ଡଲାରକୁ ଅଧିକ କିଣୁଥିବା ଓ ବ୍ୟାପାର ଅଧିଶେଷ (ଟ୍ରେଡ ସରପ୍ଲସ) ବୃଦ୍ଧି ପାଇବାରୁ ଭାରତକୁ ଏହି ତାଲିକାରେ ଆମେରିକା ସାମିଲ କରିଛି। ୨୦୧୯ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଅଧିକ ଡଲାର କିଣିଥିଲା। ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ଭାରତ ୬୪୦୦ କୋଟି ଆମେରିକୀୟ ଡଲାର କିଣିଥିଲା। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨.୪ ପ୍ରତିଶତ। ଭାରତକୁ ପ୍ରଥମ ଥର ପାଇଁ ଅକ୍ଟୋବର ୨୦୧୮ରେ ଏହି ତାଲିକାରେ ସାମିଲ କରି ପରବର୍ଷ, ଅର୍ଥାତ୍‌ ୨୦୧୯ରେ ବାହାର କରିଦେଇ ଥିଲା। ‘ଅନୁଚିତ ମୁଦ୍ରା ବ୍ୟବହାର’ ନେଇ କୌଣସି ଦେଶ ବିରୋଧରେ ଜୋରିମାନା ଆଦାୟ କରାଯାଏ ନାହିଁ। ତେବେ ବିଶ୍ବ ବଜାରରେ ସମ୍ପୃକ୍ତ ଦେଶର ଆର୍ଥିକ ମାନ୍ୟତା ହ୍ରାସ ପାଇଥାଏ।

୨୦୧୮ରେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବ୍ୟାପାର ୧୪୨୦୦ କୋଟି ଆମେରିକୀୟ ଡଲାର ଥିଲା। ୨୦୧୭ ଠାରୁ ଏହା ପ୍ରାୟ ୧୨.୬ ପ୍ରତିଶତ ଅଧିକ ଥିଲା। ସେହିପରି ବର୍ଷ ୨୦୧୮ରେ ଭାରତ ଆମେରିକାକୁ ପ୍ରାୟ ୫୪୦୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା ଓ ୩୩୦୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା। ଏହା ବ୍ୟତୀତ ୨୦୧୯ରେ ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟିକ କାରବାର ସର୍ବାଧିକ ୧୪୯୦୦ କୋଟି ଡଲାରରେ ପହଞ୍ଚି ଥିଲା। ଗତ କିଛି ବର୍ଷ ହେଲା ଭାରତ- ଆମେରିକା ମଧ୍ୟରେ ଥିବା ବାଣିଜ୍ୟିକ ସମ୍ବନ୍ଧ ସୁଦୃଢ ହୋଇଛି। ଗତ ବର୍ଷ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିଥିଲେ। ସେତେବେଳେ ପ୍ରତିରକ୍ଷାଠାରୁ ଆରମ୍ଭ କରି ବାଣିଜ୍ୟ ପର୍ଯ୍ୟନ୍ତ ଏକାଧିକ ଚୁକ୍ତି ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା।

ଏବେ ଆମେରିକାରେ ସରକାର ବଦଳିଛି। ନୂତନ ସରକାର କ୍ଷମତାସୀନ ହେବା ପରେପରେ ଭାରତକୁ ଅନୁଚିତ ମୁଦ୍ରା ବ୍ୟବହାରକାରୀ ଦେଶ ଭାବେ ମାନ୍ୟତା ଦେଇଛନ୍ତି। ଆମେରିକାର ଏହି ନିଷ୍ପତ୍ତି ଭାରତକୁ ଆର୍ଥିକ କ୍ଷେତ୍ରରେ କୌଣସି କ୍ଷତି ପହଞ୍ଚାଉ ନଥିଲେ ହେଁ ଦେଶର ସମ୍ମାନରେ ଆଞ୍ଚ୍‌ ଆସିଛି ନିଶ୍ଚୟ। ଭାରତ ପରି ଗଣତାନ୍ତ୍ରିକ ଦେଶରେ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରାଯାଇଥିବା ଦୃଷ୍ଟାନ୍ତ ନାହିଁ। ତେବେ କମ୍ୟୁନିଷ୍ଟ ଶାସନାଧୀନ ଚୀନ୍‌ କ୍ଷେତ୍ରରେ ଏହା ବ୍ୟତିକ୍ରମ। ଚୀନ୍‌ ଓ ଆମେରିକା ମଧ୍ୟରେ ଯେତେବେଳେ ବାଣିଜ୍ୟିକ ଯୁଦ୍ଧ ଚାଲିଥିଲା ଏହି ଦେଶ ଜାଣିଶୁଣି ନିଜ ମୁଦ୍ରାର ଅବମୂଲ୍ୟାୟନ କରିଥିଲା। ଆମେରିକୀୟ ଡଲାରକୁ ଦୁର୍ବଳ କରିବା ପାଇଁ ଚୀନ୍‌ ଏପରି କରିଥିଲା। ଶେଷରେ ଚୀନ୍‌ ସମ୍ମୁଖରେ ଆମେରିକା ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲା।

ସ୍ବାଧୀନତା ପରଠାରୁ ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ସେତେଟା ଭଲ ନଥିଲା। ନବେ ଦଶକରେ ଉଭୟ ଦେଶ ସମ୍ପର୍କ ସୁଧାରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ୨୦୨୦ ବେଳକୁ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କର ଡୋର ବେଶ୍‌ ମଜଭୁତ ହୋଇ ସାରିଥିଲା। ତେବେ ଆମେରିକାର କ୍ଷମତା ପରିବର୍ତ୍ତନ ହେବା ପରେ ନୂତନ ସରକାର ଭାରତ ବିରୋଧରେ କେତେକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମହାମାରୀ କରୋନା ସମୟରେ ଆମେରିକାର ଅସଲ ଚେହେରା ସାମ୍‌ନାକୁ ଆସିଛି। ଭାରତରେ କୋଭିଡ ଟିକା ପ୍ରସ୍ତୁତ ପାଇଁ ଆମଦାନୀ କରାଯାଉଥିବା କଞ୍ଚାମାଲକୁ ଆମେରିକାର ଜୋ ବାଇଡେନ ସରକାର ରୋକି ଦେଇଥିଲେ। ତେବେ ଦେଶ ଭିତରେ ଓ ବାହାରେ ସମାଲୋଚିତ ହେବା ପରେ ଏହି ନିଷ୍ପତ୍ତିକୁ ସେ ପ୍ରତ୍ୟାହାର କରି ନେଇଥିଲେ। ଦେଶ-ଦେଶ ମଧ୍ୟରେ ସମ୍ପର୍କ ସ୍ବାର୍ଥକୈନ୍ଦ୍ରିକ ହେବା ଉଚିତ୍‌ ନୁହେଁ। ତେବେ ଆମେରିକା କ୍ଷେତ୍ରରେ ଏହା ବ୍ୟତିକ୍ରମ। ଏହି ଦେଶ ନିଜର ସ୍ବାର୍ଥ ପାଇଁ ମିତ୍ରତାକୁ ଭୁଲି ଯାଇପାରେ। ଏପରି କ୍ଷେତ୍ରରେ ଭାରତ ମିତ୍ରତା ବନ୍ଧନରେ ଅନ୍ଧ ନହୋଇ ଆମେରିକାର ପ୍ରତିଟି ନିଷ୍ପତ୍ତିକୁ ତର୍ଜମା କରିବା ଆବଶ୍ୟକ।

Comments are closed.