www.samajalive.in
Sunday, December 14, 2025
18.1 C
Bhubaneswar

ମହଙ୍ଗା ସୁନା, ଏବେ ସଞ୍ଚୟ ପାଇଁ ସୁନା କିଣିବା ଉଚିତ ନୁହେଁ

ହାମାରୀ ସମୟରେ ଅର୍ଥନୈତିକ କାରବାର ଓ ସାମାଜିକ କାର୍ଯ୍ୟକଳାପ ସ୍ଥାଣୁ ହୋଇଯାଇଛି। ଏହି ସମୟରେ କିନ୍ତୁ ସୁନା ଦର ଅବିଶ୍ୱସନୀୟ ଭାବେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାରେ ଲାଗିଛି। ସାଧାରଣତଃ ପାର୍ବଣ ଓ ବିବାହ ଋତୁରେ ସୁନା ଦର ବଢ଼ିବା ଦେଖାଯାଏ। ଏବେ ପାର୍ବଣର ଉନ୍ମାଦନା ନାହିଁ କି ବିବାହ ଆଦି ସାମାଜିକ ଉତ୍ସବର ଆଡ଼ମ୍ବର ନାହିଁ। ତଥାପି ଏଭଳି ଅସମୟରେ ସୁନା ଦର ବଢ଼ିବା ଜନତାଙ୍କ ପାଇଁ ଗ୍ରହଣୀୟ ହେଉନାହିଁ। ମଲଟି କମୋଡିଟି ଏକ୍ସଚେଞ୍ଜ(ଅଗ୍ରିମ କାରବାରର ଦର ନିର୍ଦ୍ଧାରଣ)ରେ ସୁନା ୧୦ ଗ୍ରାମ ପିଛା ଦର ୫୦ହଜାର ୧୦ ଟଙ୍କା ଧାର୍ଯ୍ୟ ହୋଇଛି। ପ୍ରତ୍ୟକ୍ଷ ଉପଭୋକ୍ତା ବଜାରରେ ଏହି ଦର ତତ୍କାଳ ପ୍ରତିଫଳିତ ହୁଏନାହିଁ। ତଥାପି ବର୍ତ୍ତମାନ ଦେଶର ଖୁଚୁରା ବଜାରରେ ସୁନାର ହାରାହାରି ଦର ୧୦ ଗ୍ରାମ ପିଛା ୪୭ ହଜାର ଟଙ୍କା ରହିଛି। ସୁନା ଦରର କ୍ରମବର୍ଦ୍ଧିଷ୍ଣୁ ଧାରାକୁ ତର୍ଜମା କଲେ ଖୁବ୍ ଶୀଘ୍ର ଏହା ୫୦ ହଜାର ଟଙ୍କା ଛୁଇଁବା ଅସମ୍ଭବ ନୁହେଁ।
ଘରୋଇ ଚାହିଦା ବୃଦ୍ଧି କିମ୍ବା ଆନ୍ତର୍ଜାତିକ ବଜାରରେ ଦର ବୃଦ୍ଧି ହେଲେ ସୁନା ଦର ବୃଦ୍ଧି ହୁଏ। ବର୍ତ୍ତମାନ ଦ୍ୱିତୀୟ କାରକ ଭାରତୀୟ ବଜାରରେ ପ୍ରତିଫଳିତ ହୋଇଛି। ସମ୍ପ୍ରତି ପ୍ରତିଭୂତି କାରବାରର ଭବିଷ୍ୟତ ସମ୍ପୂର୍ଣ୍ଣ ଅନିଶ୍ଚିତ ଥିବାରୁ ନିବେଶକମାନେ ଅଂଶଧନ ବଦଳରେ ଅଧିକରୁ ଅଧିକ ପରିମାଣରେ ସୁନା କିଣି ନେଉଛନ୍ତି। ଏହାଛଡ଼ା ଗତ ଫେବୃଆରୀ-ମାର୍ଚ୍ଚ ମାସରୁ ଚୀନ ବିପୁଳ ପରିମାଣରେ ସୁନା କିଣି ନେଇ ମହଜୁଦ କରୁଛି। ଆଗକୁ ଆସୁଥିବା ଗୁରୁତର ଅର୍ଥନୈତିକ ସଙ୍କଟର ମୁକାବିଲା ଲାଗି ଅନ୍ୟ କେତେକ ବିକାଶଶୀଳ ଦେଶ ମଧ୍ୟ ଏବେ ଚୀନ୍ ବାଟରେ ଯିବା ଆରମ୍ଭ କରିଛନ୍ତି। ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି।
ମୁଦ୍ରାନୀତି ନିର୍ଦ୍ଧାରଣରେ ସୁନା ମୁଖ୍ୟ ଭୂମିକା ନିର୍ବାହ କରୁଥିବାରୁ ଏହି ଧାତୁର ଦର ବୃଦ୍ଧି ଯେକୌଣସି ଦେଶର ଅର୍ଥନୈତିକ ସ୍ଥିରତା ପ୍ରଭାବିତ ହେବ। ଏ ଦିଗରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ସତର୍କ ଦୃଷ୍ଟି ରଖିଥିବ ନିଶ୍ଚୟ। ସୁନାର ଦର ସବୁବେଳେ ଅସ୍ଥିର। ହୁଏତ ମହାମାରୀ ପରେ ଏଥିରେ ସୁଧାର ଆସିପାରେ। ତେଣୁ ଜନସାଧାରଣ ସାମ୍ପ୍ରତିକ ସ୍ଥିତିରେ ବିଚଳିତ ହୋଇ ଅଯଥା ଅଧିକ ପରିମାଣରେ ସୁନା କିଣିବାର ମାନସିକତା ପରିହାର କରିବା ବୁଦ୍ଧିମାନର କାର୍ଯ୍ୟ ହେବ। କାରଣ ଏବେ ଚାହିଦା ବଢ଼ିଲେ ସୁନା ଦର ଆହୁରି ବଢ଼ିବ। ଥରେ ଦର ଖସିବା ଧାରା ଆରମ୍ଭ ହେଲେ ଏବେ ଅଧିକ ଦରରେ ସୁନା କିଣିଥିବା ଉପଭୋକ୍ତାମାନେ କ୍ଷତି ସହିବା ସାର ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories