www.samajalive.in
Thursday, December 11, 2025
23.1 C
Bhubaneswar

ଆୟାପ୍ପା ଶରଣମ୍‌

ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ଓ ବିଶ୍ବାସର କଥା। ଏଥିରେ ରାଷ୍ଟ୍ରର ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ। ତେବେ ଧର୍ମ ନାମରେ ଓ ଧାର୍ମିକ ବ୍ୟାପାରରେ ଯଦି କୁସଂସ୍କାର , ଶୋଷଣ, ଧର୍ମାନୁଗତଙ୍କ ମଧ୍ୟରେ ପାତରଅନ୍ତର ଓ ସର୍ବସାଧାରଣରେ ବିଭେଦ ସୃଷ୍ଟି କରାଯାଏ ସେତେବେଳେ ରାଷ୍ଟ୍ର ହସ୍ତକ୍ଷେପ କରିପାରେ। ଭାରତରେ ସାଂସ୍କୃତିକ, ଧାର୍ମିକ ଭେଦଭାବ ଓ ଅସହିଷ୍ଣୁତା ଅଧିକ। ଧର୍ମଭିତରେ ମଧ୍ୟ ଏହା ନାନାମତେ କାୟାବିସ୍ତାର କରି ରହିଛି। ମନ୍ଦିରରେ ଅଣହିନ୍ଦୁ, ତଥାକଥିତ ଅସ୍ପୃଶ୍ୟ ଓ କେତେକ ସ୍ଥାନରେ ମହିଳାଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ରହିଛି। ପରମ୍ପରା ନାମରେ ଏସବୁକୁ ମନ୍ଦିରର ପରିଚାଳନା ଓ ପୂଜାସହ ସଂପୃକ୍ତ କର୍ମକର୍ତ୍ତା, ବ୍ୟକ୍ତିବିଶେଷ ଗୁରୁତ୍ବ ଦେଇ ତାହାକୁ ବଳବତ୍ତର ରଖୁଛନ୍ତି। ତେବେ ଏଠାରେ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ଗୋଟିଏ ଧର୍ମର ପ୍ରତିଷ୍ଠିତ ଧାରା, ବିଶ୍ବାସ, ପରମ୍ପରା ଓ ରୀତିନୀତିକୁ ବଦଳାଇବାର ଅଧିକାର ଅଦାଲତଙ୍କର ନାହିଁ। ଯଦି ଗୋଟିଏ ସଂପ୍ରଦାୟ ନିଜ ଧର୍ମରେ ବିଶ୍ବାସ କରେ ଓ ତା’ର ପରମ୍ପରାକୁ ସମ୍ମାନ ଦିଏ ସେଥିରେ ଅଦାଲତ କାହିଁକି ହସ୍ତକ୍ଷେପ କରିବ?
କେରଳର ଶବରିମଲସ୍ଥିତ ଆୟାପ୍ପା ମନ୍ଦିରକୁ ନିର୍ଦିଷ୍ଟ ବର୍ଗର ମହିଳାଙ୍କ ପ୍ରବେଶ ଉପରେ ଯେଉଁ କଟକଣା ଥିଲା ତାହାକୁ ସୁପ୍ରିମକୋର୍ଟ ଉଠାଇଦେବା ପରେ ସେଠାରେ ବିଭିନ୍ନ ହିନ୍ଦୁ ସଂଗଠନ ଏହାର ତୀବ୍ର ବିରୋଧ କରୁଛନ୍ତି। ହିନ୍ଦୁଙ୍କ ସ୍ବାର୍ଥରକ୍ଷାର ନୈତିକ ଦାୟିତ୍ବ ଆପଣାଛାଏଁ ବହନ କରୁଥିବା ବିଜେପି ସ୍ବାଭାବିକ ଭାବେ ଏହି ଆନ୍ଦୋଳନର ପୁରୋଭାଗରେ ରହିଛି। କୌଣସି ଏକ ପୂଜାପୀଠରେ ଅନୁସୃତ ପରମ୍ପରାକୁ ଭାଙ୍ଗିବା ପାଇଁ ଅଦାଲତ ନିର୍ଦେଶ ଦେଲେ ବା ଏଥିରେ ହସ୍ତକ୍ଷେପ କରାଗଲେ ସଂପୃକ୍ତ ଧର୍ମାବଲମ୍ବୀଙ୍କ ପ୍ରତିକ୍ରିୟା ଓ ପ୍ରତିବାଦ ପ୍ରକାଶ ପାଇବା ସ୍ବାଭାବିକ। ସେମାନେ ଏହି ନିଷ୍ପତ୍ତିରେ ପ୍ରତିବାଦ ଶାନ୍ତିପୂର୍ଣ୍ଣଭାବେ କରିପାରିବେ ଏବଂ ଏହା ସମ୍ବିଧାନ ସ୍ବୀକୃତ। ପ୍ରତିବାଦ କରୁଥିବା ଲୋକେ ଏ ବିଷୟରେ ଯେ ଅଜ୍ଞ, ସେ କଥା ନୁହେଁ, ବରଂ ସେମାନେ ଜାଣିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆଜିକାଲି କାମ ଦେଉନାହିଁ। ସେଥିପାଇଁ ସେମାନେ ହିଂସାତ୍ମକ ପ୍ରତିବାଦ କରୁଛନ୍ତି। ସେଥିପାଇଁ ତ ବିଜେପିର ଜଣେ ଟାଣୁଆ ସମର୍ଥକ ଓ ଲୋକପ୍ରିୟ ମାଲୟଲୀ ଚିତ୍ରତାରକା କୋଲ୍ଲମ ତୁଳସୀ ଘୋଷଣା କଲେ ଯେ ଯେଉଁ ମହିଳା ଆୟାପ୍ପା ମନ୍ଦିରକୁ ପ୍ରବେଶ କରିବେ ତାଙ୍କୁ ଗଡ଼ଗଡ଼ କରି କାଟିଦିଆଯିବ।
ଆମେ ଏଭଳି ଖୋଲାଖୋଲି ହିଂସା ଉସୁକାଣର ଘୋର ବିରୋଧୀ। ତୁଳସୀଙ୍କ ଏହି ଧମକ ପଛରେ ଉଗ୍ର ଧର୍ମବିଶ୍ବାସ ଓ ମୌଳବାଦୀ ଚିନ୍ତା ରହିଥିବାର ସ୍ପଷ୍ଟ। କେବଳ ସେତିକି ନୁହେଁ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଦାଲତ ଆଦେଶରେ ବୋଧହୁଏ ବ୍ୟଥିତ ହୋଇ କିଛିଦିନ ତଳେ କହିଥିଲେ ଯେ ଏ କ୍ଷେତ୍ରରେ କେବଳ ହିନ୍ଦୁଧର୍ମ ଓ ହିନ୍ଦୁ ମନ୍ଦିରଗୁଡ଼ିକୁ ନିଶାଣ କରାଯାଉଛି କାହିଁକି? ତାଙ୍କ ପ୍ରତିକ୍ରିୟା ଯେ ଯୁକ୍ତି ବିବର୍ଜିତ, ଏକଥା କୁହାଯାଇ ନ’ପାରେ। ଭାରତରେ ମସଜିଦ୍‌ ପ୍ରବେଶ କ୍ଷେତ୍ରରେ ମହିଳାମାନଙ୍କର ଅଧିକାର ନାହିଁ; ପାର୍ସୀମାନଙ୍କ ଶେଷ ବିଶ୍ରାମ ସ୍ଥଳକୁ ଅନ୍ୟ ସଂପ୍ରଦାୟରେ ବିବାହ କରିଥିବା ପାର୍ସୀ ମହିଳାଙ୍କୁ ଅନୁମତି ମିଳେନି। ଏଭଳି ଅନେକ ଉଦାହରଣ ରହିଛି। ଆମେ ମୂଳରୁ କହିଛୁ ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ହୋଇଥିବାରୁ ଏଥିରେ ଅନେକ ପରମ୍ପରା ଓ ରୀତିନୀତି ସମୟକ୍ରମେ ଯୋଡ଼ି ହୋଇଯାଇଛି ଯାହା ମଣିଷର ସାର୍ବଜନୀନ ଅଧିକାରକୁ ସ୍ବୀକୃତି ଦିଏନା। ତଥାପି ଲୋକେ ତାହାକୁ ମାନି ଚଳିଆସୁଛନ୍ତି। ରାଷ୍ଟ୍ର, ସମ୍ବିଧାନ ପ୍ରଦତ୍ତ ଅଧିକାରର ପରିପାଳନ ପାଇଁ ଯଦି ଏସବୁ ଧାର୍ମିକ ଓ ସାଂସ୍କୃତିକ ପାତରଅନ୍ତରର ଅବସାନ ଘଟାଇବାକୁ ଚାହୁଁଛି ତେବେ ତାହା ଗୋଟିଏ ଧର୍ମ ବା ମନ୍ଦିର ପାଇଁ କାହିଁକି ପ୍ରଯୁଜ୍ୟ ହେବ- ତାହା ହିଁ ଆଜିର ମୁଖ୍ୟପ୍ରଶ୍ନ। ଧର୍ମ ଓ ବିଶ୍ବାସ ଭାରତର କୋମଳଶକ୍ତିର ଉତ୍ସ। ସେ ଉତ୍ସକୁ ଆଇନଗତ ବ୍ୟବସ୍ଥା ଦ୍ବାରା କେବଳ ନିର୍ମଳ କରିହେବନାହିଁ; ଏଥିପାଇଁ ସାମାଜିକ ସଂସ୍କାର ମଧ୍ୟ ଲୋଡ଼ା।
ଆୟାପ୍ପା ମନ୍ଦିରରେ ୧୧ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା(ଯେଉଁମାନେ ପ୍ରଜନନକ୍ଷମ)ଙ୍କ ପ୍ରବେଶ ଉପରେ ପରମ୍ପରାଗତ କଟକଣା ଥିଲା। ଏହିଭଳି କିଛି କଟକଣା ଅଳ୍ପ ବହୁତେ ବିଭିନ୍ନ ମନ୍ଦିରରେ ରହିଛି ଯାହା ମହିଳାଙ୍କ ଦ୍ବାରା ସ୍ବତଃପ୍ରବୃତ୍ତ ଭାବେ ପାଳନ କରାଯାଏ। କୌଣସି ହିନ୍ଦୁନାରୀ ରଜସ୍ବଳା ସମୟରେ ମନ୍ଦିରରେ ପ୍ରବେଶ କରନ୍ତି ନାହିଁ କିମ୍ବା ନିଜ ଘରେ କୌଣସି ଧାର୍ମିକ କାର୍ଯ୍ୟରେ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ହୁଅନ୍ତିନି। ଏହା ବ୍ୟକ୍ତିଗତ ଶୁଚିତା ଓ ରୁଚିର ବିଷୟ। ଏଥିରେ ବାଧ୍ୟବାଧକତା ନଥାଏ, ବରଂ ଥାଏ ବ୍ୟକ୍ତିଗତ ଆଚାର। ଶବରିମଲରେ କିନ୍ତୁ ଏ କ୍ଷେତ୍ରରେ ଏକ କଠୋର ଅନୁଶାସନ ପରମ୍ପରା ଲଦି ଦିଆଯାଇଛି ଯାହାକୁ ସଂପୂର୍ଣ୍ଣ ଯୁକ୍ତିଯୁକ୍ତ କୁହାଯାଇ ନ’ପାରେ। ବିବିଧତାରେ ପରିପୂର୍ଣ୍ଣ ଆମ ଦେଶ ଏବେ ମଧ୍ୟ ନାନା କୁସଂସ୍କାର ଓ ମୌଳବାଦୀ ପରମ୍ପରାରେ ବୁଡ଼ି ରହିଛି। ବିଜ୍ଞାନଭିତ୍ତିକ ବିଚାର ଓ ଯୁକ୍ତି ଆଧାରରେ ଆମକୁ ସେସବୁର ଅପସାରଣ ଓ ଅବସାନ ଘଟାଇବାକୁ ପଡ଼ିବ। ଏଥିପାଇଁ ଆମ ସରକାର ଓ ବିଚାରାଳୟ କେବଳ ସକ୍ରିୟ ହେଲେ ଚଳିବ ନାହିଁ, ସେମାନେ ନିଷ୍ପତ୍ତି ଗ୍ରହଣ କରିବା ସମୟରେ ସମ୍ବେଦନଶୀଳ ଓ ବାସ୍ତବବାଦୀ ହେବା ମଧ୍ୟ ଜରୁରୀ। ସର୍ବୋପରି ଧର୍ମ ଓ ପରମ୍ପରାର ଶୁଦ୍ଧିକରଣ ପ୍ରକ୍ରିୟାରେ ଧର୍ମାବଲମ୍ବୀମାନେ ଉଦାର ଓ ମହାନୁଭବତା ପ୍ରଦର୍ଶନ ନ’କଲେ କିଛି ହୋଇପାରିବ ନାହିଁ। ଏହି ବିଷମ କାଳରେ ଭଗବାନ ଆୟାପ୍ପା (ବିଷ୍ଣୁ) ଆମ ସମସ୍ତଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories