www.samajalive.in
Friday, December 5, 2025
26.1 C
Bhubaneswar

ସମୟ ବଦଳିଛି; ବଦଳିନି ନୂଆଁଖାଇ

କିଶୋର କୁମାର ସାହୁ

ବୋହିଗଲା ପାଣି, ଝରିଗଲା ବାଲିପରି ବିତିଯାଉଛି ସମୟ। ରହିଗଲା ଚିହ୍ନ, ଅଲ୍‌ଝିଲା ସ୍ମୃତି ପରି ରହିଯାଇଛି ନୂଆଁଖାଇ। ଚାଷ ଓ ଚାଷୀର ପର୍ବ ନୂଅଁାଖାଇ। ହେଲେ ଚାଷୀର ହାଲ୍‌ ଏବେ ଭଲ ନାହିଁ। ପେଟ ପୋଷିବାକୁ ଅଣ୍ଟାରେ ବଳ ନାହିଁ। ​ସବୁ ଜଞ୍ଜାଳରୁ ତରିଯିବା ପାଇଁ ବାଟ ଖୋଜୁଛି ଚାଷୀ। କୀଟନାଶକ ଖାଇ କ୍ଷେତହୁଡ଼ାରେ ଗଡୁଛି, ନହେଲେ ଖୋଜୁଛି ଗାମୁଛା କି ଧୋତିଟିଏ ଗଁା’ ମୁଣ୍ଡ ଗଛରେ ଝୁଲିଯିବା ପାଇଁ। ସମୟ ବଦଳି ଯାଇଛି।
ବହିରେ ଲେଖାଅଛି ଭାରତ ଏକ କୃଷିପ୍ରଧାନ ଦେଶ। ପିଲାଏ ଘୋଷୁଛନ୍ତି ରଚନା ଲେଖିବା ପାଇଁ। ହେଲେ ଚାଷଜମି ଜବରଦଖଲ କରି ଗଢ଼ିଉଠୁଛି ଶିଳ୍ପ, କାରଖାନା। ଯେଉଁ ମାଟିରେ ଫସଲ ହେଉଥିଲା, ସେଇ ମାଟିରେ ଏବେ ବିଷ ଫଳୁଛି। ସହର ବଢୁଛି। ଚାଷଜମିରେ ଠିଆ ହେଉଛି କୋଠାପରେ କୋଠା। ଜମି ମାଲିକ ଜମି ଓ ମୁଣ୍ଡ ଉଭୟ ବିକି କାରଖାନାରେ ଚାକିରି କରୁଛି କିମ୍ବା ସହରରେ ଦୋକାନ କରି ଅୟସ ଜୀବନ ବିତାଉଛି। ଜମି ହିଡ଼ରେ ଆଗ ପରି ଲହଡ଼ି ମାରୁନି କାଅଁାଶ ଫୁଲର ଚାଉଁରୀ। ଭଙ୍ଗା ହିଡ଼ରେ ଗାମୁଛା ପକାଇ କୁତୁରି ଝୁରି ଧରିବାକୁ ପିଲାଙ୍କ ଫୁରସତ୍ ନାହିଁ କି ସଉକ୍‌ ବି ନାହିଁ। ସମୟ ବଦଳି ଯାଇଛି। ମାଟି, କାଦୁଅ ଗନ୍ଧଉଛି। ଏହା କୁଆଡ଼େ ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ- ‘ଭେରି ଅନହାଇଜେନିକ୍’। ମାଟିର ମଣିଷ ମାଟିଠୁ ଦୂରେଇ ଯାଉଛି।
ଆଗକାଳେ ଧାନ ବିକିବା ପାଇଁ ଚାଷୀକୁ ପରିଚୟପତ୍ର ତିଆରି କରିବାକୁପଡୁ ନଥିଲା କି ଗ୍ରାହକ ଖୋଜିବାକୁ ବାରଦୁଆର ହେବାକୁପଡ଼ୁ ନଥିଲା। ଏବେ ନୂଆ ନିୟମ, ନୂଆ କାଇଦା। ପରିଚୟ ପତ୍ରଠୁ ଆରମ୍ଭ କରି ମଣ୍ଡିରେ ଟୋକନ ପାଇବା ପର୍ଯ୍ୟନ୍ତ ନାନାଦି ବ୍ୟବସ୍ଥା। ସବୁ ସରିବା ପରେ ଟ୍ରାକ୍ଟରରେ ଲଦି ମଣ୍ଡିକୁ ଧାଇଁବାକୁ ପଡ଼ୁଛି। କ୍ଷେତରେ କମ୍, ଏଥିରେ ବେଶି ଝାଳ ନିଗାଡ଼ିବାକୁ ପଡୁଛି। ଶେଷରେ ମଣ୍ଡି ଆଗରେ ଗାମୁଛା ପକାଇ ଖରା, ବର୍ଷାରେ ଗରାଖର ପ୍ରତୀକ୍ଷା। ତା’ ଉପରେ ଧାନର ଗୁଣବତ୍ତା, ଆର୍ଦ୍ରତା ପରି ନୂଆନୂଆ ଜାଲର ବ୍ୟବସ୍ଥା। ଫସିଯାଉଛି ଚାଷୀ। ସମୟ ବଦଳି ଯାଇଛି। ‘ଚାଷ କାମ ଯାହାର କି ଆନନ୍ଦ ତାହାର’ ଏବେ ପରିହାସ ହୋଇଛି। ବୁଢ଼ା ତ ବୁଢ଼ା, ଯୁଆନ ଚାଷୀ ବି ରାହା ପାଉନାହିଁ। ଋଣ ବୋଝରେ ଚାପି ହୋଇଯାଉଥିବା ଚାଷୀ ତା’ ସ୍କୁଲପଢ଼ୁଆ ପୁଅକୁ କହୁଛି-‘ବାପରେ ସବୁ କରିବୁ, ଚାଷ କରିବୁ ନାହିଁ।’ ଭଲ ହୋଇଛି, ସାହିତ୍ୟ ବହିରୁ ‘ଆମେତ ଭାଗ୍ୟବାନ ପିଲାରେ’ ଗୀତଟି କେବେଠୁ ଉଠିଯାଇଛି।
କେଉଁଠି ଚଷା ପୁଅ ବୁଢ଼ା ବାପା,ମା’, ଅଭିଆଡ଼ି ଭଉଣୀଙ୍କୁ ଘରେ ଛାଡ଼ି ଦାଦନ ଖଟିବାକୁ ଯାଇଛି କେରଳ କି ତାମିଲନାଡୁ। ଫେରିଲେ ଭଉଣୀର ହାତ ଦି’ ହାତ ହେବ, ଘର ଛପର ହେବ, ବୁଢ଼ା ବାପାର ପେଜୁଆ ଆଖିରେ ମୋତିଆବିନ୍ଦୁ ଅପରେସନ ହେବ। ଦିନ ଗଡ଼ି ଯାଉଛି, ପୁଅ ଫେରୁନି। ଫେରୁଛି ତା’ର ଅସାଡ଼ ଦେହ। ସମୟ ବଦଳି ଯାଇଛି।
ବହୁକୁଟୁମ୍ବୀ ପରିବାରର କାନ୍ଥ ଭୁଶୁଡ଼ି ପଡୁଛି। ରାସ୍ତାକଡ଼ କାନ୍ଥରେ ସରକାରୀ ସ୍ଲୋଗାନ ‘ଆମେ ଦୁଇ, ଆମର ଦୁଇ’ ଖରା, ବର୍ଷା ଖାଇଖାଇ ଲିଭିଗଲାଣି। ଏବେ ଅଣୁ ପରିବାରର ଯୁଗ। ତା’ ସହିତ ଅଛି ନୂଆ ସଂସ୍କୃତି ‘ଲିଭିଂ ଟୁଗେଦର’। ସନ୍ତାନର ଆବଶ୍ୟକତା ଜରୁରୀ ନୁହେଁ।
କାହିଁ ଗଲା ସେ ଦିନ! କୁଆଡ଼େ ଗଲେ ସେ ଦିନର ଡାଲଖାଇ, ରସରକେଲି, ହୁମୋନନ? ଝୁମେରର ଝୁମ୍‌ରାଭଙ୍ଗା ଦରଦୀ ସ୍ବର ଆଉ ଶୁଭୁନାହିଁ। ଶୁଭୁନି ଘଁୁଘୁଁନାଦିଆର ଘଁୁଘୁଁ ଶବ୍ଦ। କ୍ଷୀଣ ହୋଇ ଆସିଲାଣି ସଞ୍ଚାରର ସୁର, ହଜିହଜି ଯାଉଛି କୃଷ୍ଣଗୁରୁ ଭଜନ। ସମୟ ବଦଳି ଯାଇଛି।
କାଦୁଅ ପଚ୍‌ପଚ୍‌ ଗଁା’ଖୁଲି (ଗଁା ଦାଣ୍ଡ)ଏବେ କଂକ୍ରିଟ ରୂପ ନେଲାଣି। ଡେରାଘର ହେଲାଣି କ୍ଲବ ଘର। ନୂଆ ଚଳଣି, ନୂଆ ସଭ୍ୟତା ଖେପିଯାଉଛି ଗଁା’କୁ ଗଁା। ମୁହଁସଞ୍ଜ ବେଳକୁ ଶୋଇପଡୁଥିବା ଗଁା ଏ​‌େ​‌ବ ରାତିଅଧ ପର୍ଯ୍ୟନ୍ତ ଚଳଚଞ୍ଚଳ। ଛପିଛପିକା ଜହ୍ନରାତିରେ ଅଧା ଅନ୍ଧାର, ଅଧା ଆଲୁଅର ରୋମାଞ୍ଚ ଆଉ ନାହିଁ। ମାଛିଅନ୍ଧାର ବେଳେ ଶୁଭୁନାହିଁ କୁଲିହା (ବିଲୁଆ)ର ହୁକେ..ହୋ। ନିଶବ୍ଦ ପ୍ରହରରେ ଗଁା’ ଚଉକିଆର ଡାକ ଆଉ ଶୁଭୁନି କି ତା’ର ଚାରିସେଲିଆ ଏଭାରେଡି ଟର୍ଚ୍ଚର ଫିକା ଫୋକସ କାନ୍ଥ, କବାଟ, ଚାଳ, ଗୁହାଳରେ ପଡୁନି। ବିଜୁଳି ଆଲୁଅରେ ଫର୍ଚ୍ଚା ସାରା ଗଁା। ରାସ୍ତା ଉପରେ ବିଜୁଳି ତାରର ବୁଢ଼ିଆଣି ଜାଲ। ପ୍ରତିଘର ମଥାନରେ ଡିଟିଏଚ୍‌ ଛତା। ସଭ୍ୟତା ଓ ପ୍ରଗତିର ଆଲୋକରେ ଉଦ୍‌ଭାସିତ ଗଁାଗଣ୍ଡା। ସମୟ ବଦଳିଯାଇଛି।
ଅମଳ ସମୟ ବି ବଦଳିଯାଇଛି। ନୂଆଁଖାଇ ଲଗନକୁ କେଉଁଠି ଗଛ କେଣ୍ଡା ଧରୁଛି ତ କେଉଁଠି ଧାନ କ୍ଷୀର ପିଉଛି। ବଜାର, ଗଁା’ ହାଟରୁ କିମ୍ବା ଝାଙ୍କର ଦେଇଯାଇଥିବା ଧାନକୁ ପୁରୁଣା ଚାଉଳରେ ପକାଇ ‘ନୂଆ’ ବଢ଼ା ଯାଉଛି। ସମୟ ବଦଳି ଯାଇଛି। ସମୟ ସାଙ୍ଗକୁ ସବୁକିଛି ବଦଳିଛି; ହେଲେ ବଦଳିନି ସୂର୍ଯ୍ୟ, ବଦଳିନି ଜହ୍ନ। ଆକାଶ ବି ତ ବଦଳି ନାହିଁ। ରୋଜ୍‌ ସକାଳେ ଉଉଁଛି, ସଞ୍ଜରେ ବୁଡୁଛି ସୂର୍ଯ୍ୟ। ନିର୍ଦ୍ଧାରିତ ତିଥିରେ କ୍ଷୟ-ବୃଦ୍ଧି ହେଉଛି ଜହ୍ନର। ଆକାଶ ବି ସଦାମୁକ୍ତ, ସଦା ଉଦାର ସବୁଦିନ ପରି। ଅଜସ୍ର ପରିବର୍ତ୍ତନ ସତ୍ତ୍ବେ ନୂଅଁାଖାଇ ଆଜି ବି ରହିଛି ଆମ ପରମ୍ପରାରେ, ସଂସ୍କୃତିରେ, ଆମ ରକ୍ତ ଓ ଆମର ଅସ୍ଥିମଜ୍ଜାରେ।
ଦିନଟିଏ ପାଇଁ ହେଉ ପଛେ ପରଦେଶୀ ପୁଅ ପିଲାଛୁଆ ଧରି ଫେରୁଛି ଗଁା’କୁ। ବର୍ଷକୁ ଥରେ ଚୂନଧଉଳା ହେଉଛି ମନ୍ଦିର। କଞ୍ଚା ଖର୍ସି (ଗୋବର)ପାଣିରେ ମାଜଣା ହେଉଛି ଘର। ଗଁା’ହାଟ ଓ ସାପ୍ତାହିକ ବଜାରରୁ କିଣା ହେଉଛି ନୂଆହାଣ୍ଡି, ପାତୁଲ, ଖଲି, ଦନା, ଭୁଗା, କୁଲା। ଭରାଭରା ଲାଗୁଛି ଗଁା’ ଖୁଲି। ଘରଘର ବୁଲି ନୂଆଁଧାନ ଦେଇଯାଉଛି ଝାଙ୍କର। କ୍ଲବଘର ଆଗରେ ପିଲାଏ ବାନ୍ଧୁଛନ୍ତି ମଡୁଆ (ଛାମୁଣ୍ଡିଆ)। ଗଁା’ଗଁାରେ ନୂଅଁାଖାଇ ଭେଟ୍‌ଘାଟ୍‌ର ପ୍ରସ୍ତୁତି। ବଜାଗଜା, ମାଇକ୍, ଡିଜେର ତାଳେତାଳେ ନୃତ୍ୟ, ସଙ୍ଗୀତର ଆସର ବି ଜମୁଛି। ରାଜନୀତି ଓ ସ୍ବାର୍ଥନୀତିର ବିଭାଜନକାରୀ ଅଦୃଶ୍ୟ ଲକ୍ଷ୍ମଣରେଖା ଡେଇଁ ଦିନକ ପାଇଁ ହେଲେ ବି କାନ୍ଧକୁ କାନ୍ଧ ମିଶୁଛି। ଜୁହାର ଓ ଆଶୀର୍ବାଦର ଆଦାନପ୍ରଦାନରେ ମନର ମଇଳା ସଫା ହେଉଛି।
ସମୟ ବଦଳିଛି ନିଶ୍ଚୟ। ଏଥିରେ ନୂଆ କ’ଣ? ଏହା ତ ନିୟତି। ପରିବର୍ତ୍ତନ ଚିରନ୍ତନ। ଆଗକୁ ଆହୁରି ବଦଳିବ, ହେଲେ ବଦଳିବନି ନୂଅଁାଖାଇ। ସେ ଭରସା ଓ ବିଶ୍ବାସ ଆମର ଅଛି, କାରଣ ସେ ନୂଅଁାଖାଇ- ଚିରନୂଆ।
ଗେଙ୍ଗୁଟିପାଲି, ଧନକଉଡ଼ା, ସମ୍ବଲପୁର

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories