www.samajalive.in
Friday, December 5, 2025
17.1 C
Bhubaneswar

ହିମାଚଳ ପ୍ରଦେଶ ବ୍ୟାଙ୍କ ଠକେଇ​ର ଓଡ଼ିଶା ଲିଙ୍କ; ଖଣି ବ୍ୟବସାୟୀଙ୍କ ଘରେ ପଶିଲା ଇଡି

ଭୁବନେଶ୍ବର: ହିମାଚଳ ପ୍ରଦେଶରେ ବଡ଼ଧରଣର ବ୍ୟାଙ୍କ ଠକେଇ ମାମଲାରେ ଭୁବନେଶ୍ବରର ଖଣି ବ୍ୟବସାୟୀ ଶକ୍ତିରଞ୍ଜନ ଦାଶଙ୍କ ବାସଭବନ ଓ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ସିମ୍‌ଲା ଶାଖା ପକ୍ଷରୁ ଚଢ଼ଉ କରାଯାଇଛି। ଶକ୍ତିରଞ୍ଜନଙ୍କ ଦୁଇଟି ସ୍ଥାନରୁ ୧୦ଟି ବିଳାସପୂର୍ଣ୍ଣ ଗାଡ଼ି ଓ ୩ଟି ସୁପର ବାଇକ୍ ଜବତ କରାଯାଇଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ପୋର୍ସେ କାୟେନ୍, ମର୍ସିଡିଜ୍ ବେଞ୍ଜ୍ ଜିଏଲ୍‌ସି, ବିଏମ୍‌ଡବ୍ଲ୍ୟୁ-ଏକ୍ସ୭, ଅଡି ଏ୩, ମିନି କୁପର, ହୋଣ୍ଡା ଗୋଲ୍ଡ ୱିଙ୍ଗ ବାଇକ୍ ଆଦି ରହିଛି। ଜବତ ଗାଡ଼ିଗୁଡ଼ିକ ମୂଲ୍ୟ ୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନୁରୂପ ଭାବେ ୧.୧୨ କୋଟି ଟଙ୍କା ମୂଲ୍ୟର ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ୨ଟି ଲକର ଓ ଶକ୍ତି ରଞ୍ଜନଙ୍କ ମାଲିକାନାରେ ଥିବା ଅସ୍ଥାବର ସମ୍ପତ୍ତି ଓ ତାଙ୍କ ଦ୍ୱାରା ପରିଚାଳିତ ସଂସ୍ଥାଗୁଡ଼ିକ ସହ ଜଡ଼ିତ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି। ଖଣି ବ୍ୟବସାୟୀ ଶକ୍ତି ରଞ୍ଜନଙ୍କ ମେସର୍ସ ଅନମୋଲ ମାଇନ୍ସ ପ୍ରା. ଲି. (ଏଏମ୍‌ପିଏଲ୍‌) ଓ ମେସର୍ସ ଅନମୋଲ ରିସୋର୍ସେସ୍ ପ୍ରା. ଲି. (ଏଆର୍‌ପିଏଲ୍‌) ଦୁଇଟି କମ୍ପାନୀ ରହିଛି। ଉକ୍ତ ସଂସ୍ଥାର ସେ ପରିଚାଳନା ନିର୍ଦେଶକ ଅଛନ୍ତି। ହିମାଚଳ ପ୍ରଦେଶର ଏମ୍‌/ଏସ୍‌ ଇଣ୍ଡିଆନ୍‌ ଟେକ୍ନୋମ୍ୟାକ୍‌ କମ୍ପାନୀ ଲି. (ଆଇଟିସିଓଏଲ୍‌) ଏକ ବ୍ୟାଙ୍କରୁ ଠକେଇ କରିଥିବା ୧୩୯୬ କୋଟି ଟଙ୍କାରୁ ଶକ୍ତିରଞ୍ଜନଙ୍କ କମ୍ପାନୀକୁ ୫୯.୮୦ କୋଟି ଟଙ୍କା ଆସିଥିଲା। ଉକ୍ତ ବେଆଇନ ଆର୍ଥିକ କାରବାର ଓ ଋଣ ଜାଲିଆତି ମାମଲାରେ ଇଡି ପକ୍ଷରୁ ମନି ଲଣ୍ଡରିଂ(କଳାଧନକୁ ବୈଧ କରିବା) ଆଇନ ଅନୁଯାୟୀ ଶକ୍ତିରଞ୍ଜନଙ୍କ ସମ୍ପତ୍ତି ଜବତ କରିଛି।

ଇଡିର କହିବା ଅନୁଯାୟୀ, ୨୦୦୯ରୁ ୨୦୧୩ ମସିହା ପର୍ଯ୍ୟନ୍ତ ମେସର୍ସ ଆଇଟିସିଓଏଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଜାଲ୍ ପ୍ରକଳ୍ପ ରିପୋର୍ଟ ଦାଖଲ କରିବା ସହ ମିଛ କମ୍ପାନୀଗୁଡ଼ିକୁ ନକଲି ବିକ୍ରୟ ଦେଖାଇ ଋଣ ହାସଲ କରିଥିଲା। ତଞ୍ଚକତା କରି ବ୍ୟାଙ୍କରୁ ପ୍ରାୟ ୧୩୯୬ କୋଟି ଟଙ୍କା ଠକେଇ କରିଥିଲା। ଯେଉଁ ପ୍ରକଳ୍ପ ନାଁରେ ବ୍ୟାଙ୍କ ପକ୍ଷରୁ ମେସର୍ସ ଆଇଟିସିଓଏଲ୍‌କୁ ଏହି ଋଣ ମଞ୍ଜୁର କରାଯାଇଥିଲା, ସେ କାମ କରାଯାଇ ନଥିଲା। ବ୍ୟାଙ୍କ ପକ୍ଷରୁ ହିମାଚଳ ପ୍ରଦେଶ ପୁଲିସର ସିଆଇଡି ଦ୍ୱାରା ମେସର୍ସ ଆଇଟିସିଓଏଲ ଓ ଏହାର ଉ‌େ‌ଦ୍ୟାକ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାର ତଦନ୍ତ ଭାର ସିମଲା ସ୍ଥିତ ଇଡିର ଜୋନାଲ ଅଫିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ତଞ୍ଚକତା କରି ଋଣ ନେଇଥିବା ଏମ୍‌/ଏସ୍‌ ଆଇଟିସିଓଏଲ୍‌ ଓ ଏହାର ସମ୍ପର୍କିତ ସେଲ୍ ସଂସ୍ଥାଗୁଡ଼ିକ ଓଡ଼ିଶାର ଖଣି ବ୍ୟବସାୟୀ ଶକ୍ତିରଞ୍ଜନଙ୍କ କମ୍ପାନୀ ଏଏମ୍‌ପିଏଲ୍‌ର ବ୍ୟାଙ୍କ ଆକାଉଣ୍ଟକୁ ୫୯.୮୦ କୋଟି ଟଙ୍କା ପଠାଇଥିବା ତଦନ୍ତରୁ ଜଣାପଡ଼ିଥିଲା।

- Advertisement -

ଖଣି ବ୍ୟବସାୟୀ ଶକ୍ତି ରଞ୍ଜନ ଜାଣିଶୁଣି ଏମ୍‌/ଏସ୍‌ ଆଇଟିସିଓଏଲ୍‌ର ଉଦ୍ୟୋକ୍ତା ରାକେଶ କୁମାର ଶର୍ମାଙ୍କୁ ବ୍ୟାଙ୍କ ଋଣ ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର ଓ ଏହାକୁ ଓଡ଼ିଶାରେ ଖଣି କାର୍ଯ୍ୟରେ ବ୍ୟବହାର କରିବାରେ ସହାୟତା କରିଥିଲେ। ଶକ୍ତି ରଞ୍ଜନ ଉକ୍ତ ପରିମାଣ ଟଙ୍କାକୁ ନିଜ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ପରେ ଏହି କଳା ଟଙ୍କାକୁ ଏହାର ଆକାଉଣ୍ଟ ବହିରେ ଧଳା ଟଙ୍କା ଭାବରେ ପ୍ରଦର୍ଶିତ କରିଥିଲା। ଇଡି ସିମଲା ଶାଖା ପକ୍ଷରୁ ଶକ୍ତିରଞ୍ଜନଙ୍କ ନୂଆପଲ୍ଲୀସ୍ଥିତ ବାସଭବନ ଓ କମ୍ପାନୀ କାର୍ଯ୍ୟାଳୟରେ ଦୁଇଦିନ ଧରି ଖାନ୍‌ତଲାସ କରି ଗାଡ଼ି, ସୁନାଗହଣା, ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏହି ମାମଲାର ତଦନ୍ତ ଏବେ ଜାରି ରହିଥିବା ଇଡି ପକ୍ଷରୁ କୁହାଯାଇଛି। ସେପଟେ ପୂର୍ବରୁ ଏହି ମାମଲାରେ ୩୧୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି। ଆଟାଚ୍ ହୋଇଥିବା ସମ୍ପତ୍ତି ମଧ୍ୟରୁ ଗତ ଏପ୍ରିଲ ମାସରେ ୨୮୯ କୋଟି ଟଙ୍କାର ସମ୍ପତ୍ତି ଉକ୍ତ ବ୍ୟାଙ୍କକୁ ଫେରସ୍ତ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories