ଦୁଇ ଗୁରୁତ୍ବପୂର୍ଣ୍ଣ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ଖୋଳତାଡ଼

ସ୍ବତନ୍ତ୍ର କାର୍ଯ୍ୟବଳ, ଦୁର୍ନୀତି ନିବାରଣ ଓ ମହାନିରୀକ୍ଷକ ପଞ୍ଜୀକରଣ ବିଭାଗକୁ ଚିଠି

ଭୁବନେଶ୍ବର : ରାଜ୍ୟର ଦୁଇଟି ଗୁରୁତ୍ବପୂର୍ଣ୍ଣ ମାମଲାର ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଓଡ଼ିଶା କର୍ମଚାରୀ ପ୍ରବଣନ ଆୟୋଗ(ଓଏସ୍‌ଏସ୍‌ସି) ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ମାମଲାର ଖୋଳତାଡ଼ କରିବା ଲାଗି ମାମଲା ରୁଜୁ କରିବାର ଦୁଇ ଦିନ ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ନକଲି ଔଷଧ କାରବାର ପଛରେ ବେଆଇନ ଅର୍ଥ କାରବାର ନେଇ ଖୋଳତାଡ଼ ଆରମ୍ଭ କରିଛି। ନକଲି ଔଷଧ କାରବାର ସମ୍ପର୍କରେ ଖୋଳତାଡ଼ କରିବା ଲାଗି ଅପରାଧ ନିୟନ୍ତ୍ରଣ ଶାଖାର ସ୍ବତନ୍ତ୍ର କାର୍ଯ୍ୟବଳକୁ ଚିଠି ଲେଖାଯାଇଛି। ନକଲି ଔଷଧ କାରବାର ନେଇ ସ୍ବତନ୍ତ୍ର କାର୍ଯ୍ୟବଳ ପ୍ରାୟ ଦେଢ଼ ମାସରୁ ଅଧିକ ଦିନ ହେବ ଖୋଳତାଡ଼ କରୁଛି। ସେହିପରି ଏହି ନକଲି ଔଷଧର କାରବାର ସମ୍ପର୍କରେ ଭେଷଜ ନିୟନ୍ତ୍ରକ ବିଭାଗ ପ୍ରଥମେ ଖୋଳତାଡ଼ ଆରମ୍ଭ କରିଥିଲା। ମହାରାଷ୍ଟ୍ରରେ ପ୍ରଥମେ ଏହି ନକଲି ଔଷଧ କାରବାର ସମ୍ପର୍କରେ ଜଣାପଡିବାରୁ ସେଠାରୁ ଖବର ପାଇବା ପରେ ଏନେଇ ନକଲି ଔଷଧ ମହଜୁଦ୍‌କାରୀ କଟକ କନିକା ଛକସ୍ଥିିତ ‘ମେଡିଲିଓଡ୍ ମେଡିକାମେ ପ୍ରାଇଭେଟ୍ ଲିମିଟେଡ’ ଉପରେ ଚଢ଼ଉ କରାଯାଇଥିଲା। ୬୫ ଲକ୍ଷ ଟଙ୍କାର ନକଲି ଫାଭିପିରାଭିର (ଫାଭିମାକ୍ସ-୪୦୦) ବଟିକା ଜବତ କରାଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମଧ୍ୟ ଏହି ନକଲି ଔଷଧ ଚାଲାଣ କରାଯାଇଥିଲା। ସେଠାରୁ ସୂଚନା ମିଳିବା ପରେ ବିଭିନ୍ନ ସ୍ଥାନରୁ ଏହି ନକଲି ‘ଫାଭିମାକ୍ସ-୪୦୦’ ବଟିକା ଜବତ କରାଯାଇଥିଲା। ନକଲି ଔଷଧ କାରବାର ପଛରେ ରହିଥିବା ଅପରାଧିକ ଷଡଯନ୍ତ୍ରର ଖୋଳତାଡ଼ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର କାର୍ଯ୍ୟବଳକୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ। ସେହିପରି ନକଲି ଔଷଧ କାରବାର ପଛରେ ରହିଥିବା ବେଆଇନ୍‌ ଟଙ୍କା କାରବାର ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ଏବେ ତଦନ୍ତ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଅପରପକ୍ଷେ ‘ଓଏସ୍‌ଏସ୍‌ସି’ର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚିଙ୍କ ଘରୁ ଦୁର୍ନୀତି ନିବାରଣ ବିଭାଗ ୩.୫୧ କୋଟି ଟଙ୍କାର ସମ୍ପତ୍ତି ଠାବ କରିବା ସହିତ ଅନେକ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ଜବତ କରିଛି। ବିରଞ୍ଚିଙ୍କ ଘରୁ ଜବତ କାଗଜପତ୍ରକୁ ଯାଞ୍ଚ କରିବା ସହିତ ଆଉ ଅଧିକ ଜମି ତାଙ୍କ ନାମରେ ଏବଂ ସମ୍ପର୍କୀୟଙ୍କ ନାମରେ ଥିବା ସନ୍ଦେହ କରାଯାଉଛି। ତେଣୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ମହାନିରୀକ୍ଷକ ପଞ୍ଜୀକରଣ (ଆଇଜିଆର୍‌)ଙ୍କ ନିକଟକୁ ମଧ୍ୟ ଚିଠି ଲେଖାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କାଗଜପତ୍ର ମିଳିବା ପରେ ବିରଞ୍ଚିଙ୍କ ସମ୍ପତ୍ତିର ପୁନଃମୂଲ୍ୟାୟନ କରାଯିବ। କାଗଜପତ୍ର ମିଳିଥିବା ଜମିଗୁଡ଼ିକର କମ ମୂଲ୍ୟ ଦର୍ଶାଯାଇ ବିରଞ୍ଚି ପଞ୍ଜୀକରଣ କରିଛନ୍ତି। ଖୋର୍ଦ୍ଧା, ପୁରୀ ଓ ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ଅନେକ ଜମି ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ସନ୍ଦେହ କରାଯାଉଛି। ମହାନିରୀକ୍ଷକ ପଞ୍ଜୀକରଣଙ୍କଠାରୁ ସବିଶେଷ ତଥ୍ୟ ମିଳିବା ପରେ ବିରଞ୍ଚିଙ୍କ ବେଆଇନ ସମ୍ପତ୍ତି ପରିମାଣ ବଢ଼ିବା ଆଶା କରାଯାଉଛି।

Comments are closed.