ଡେସ୍କ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡିର ଅଭିଯୋଗକୁ ସ୍ୱତନ୍ତ୍ର ଅଦାଲତ ଗ୍ରହଣ କରିବା ପରେ ଅର୍ଥ ହେରଫେର ଅଭିଯୋଗରେ ଇଡି ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଅପରାଧକୁ ଗ୍ରହଣ କରାଯିବା ପରେ ଇଡି ଏବଂ ଏହାର ଅଧିକାରୀମାନେ ଅଭିଯୋଗରେ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ଧାରା ୧୯ ଅନୁଯାୟୀ କ୍ଷମତା ପ୍ରୟୋଗ କରି ପାରିବେ ନାହିଁ।
ବିଚାରପତି ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି ଇଡି କୌଣସି ଅଭିଯୁକ୍ତଙ୍କୁ ହେପାଜତରେ ନେବାକୁ ଚାହୁଁଛି, ତେବେ ଏହାକୁ ସ୍ବତନ୍ତ୍ର ଅଦାଲତରେ ଆବେଦନ କରିବାକୁ ପଡ଼ିବ। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଇଡି ସେହି ଅପରାଧ ସମ୍ବନ୍ଧରେ ଅତିରିକ୍ତ ତଦନ୍ତ କରିବାକୁ ଚାହୁଁଛି, ତେବେ ଧାରା ୧୯ର ଆବଶ୍ୟକତା ପୂରଣ ହେବା ପୂର୍ବରୁ ଦାଖଲ ହୋଇଥିବା ଅଭିଯୋଗରେ ଅଭିଯୁକ୍ତ ଭାବରେ ଦର୍ଶାଯାଇଥିବା ବ୍ୟକ୍ତିଙ୍କୁ ଗିରଫ କରିପାରିବେ।



